ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ବ୍ୟବସାୟୀଙ୍କ ବେଖାତିରି, ବାଣ ରୋଷଣୀରେ କମ୍ପିଲା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗତ ୧୧ ତାରିଖରେ ଗଞ୍ଜାମ ଜିଲ୍ଲାପାଳ ଭିଡ଼ିଓ କନଫେରେନ୍ସ ଜରିଆରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ସହରାଞ୍ଚଳ ପ୍ରଶାସନିକ ଅଧିକାରୀମାନଙ୍କ ସହ କରୋନା ନିୟମ ଓ ଗ୍ରୀନ ଦୀପାବଳୀ ପାଳନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଚଳିତ ଦୀପାବଳୀ ଉତ୍ସବରେ ପ୍ରଦୂଷଣମୁକ୍ତ ପରିବେଶ ଓ ଦୀପ ଜାଳି ଉତ୍ସବପାଳନ କରିବା ସକାଶେ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଥିଲେ । ଏ ନେଇ ଗତ ୧୩ ତାରିଖ ଶୁକ୍ରବାର ସ୍ଥାନୀୟ ପୌରପରିଷଦ କାର୍ଯ୍ୟଲୟ ଠରେ ପୌର ନିର୍ବାହୀ ଅଧିକାରୀ ଡ.ମନୋରଞ୍ଜନ ସାହୁ ସହରର ସମସ୍ତ ଛୋଟ ବଡ ବ୍ୟବସାୟୀଙ୍କୁ ଡାକି ଏକ ବୈଠକ ଆୟୋଜନ କରିଥିଲେ । ଏକ ପ୍ରଦୂଷଣ ମୁକ୍ତ ପରିବେଶ ଓ ଗ୍ରୀନ ଦୀପାବଳୀ ପାଳନ ସକାଶେ ବ୍ୟବସାୟ ମାନେ ବାଣ ଓ ଆତସବାଜି ବିକ୍ରି ନ କରିବା ପାଇଁ ଅନୁରୋଧ କରିବା ସହ ୧୦ ଦିନ ଧରି ଅଳିଆ ଆବର୍ଜନା ଗୁଡିକୁ ଭ୍ରାମ୍ୟମାଣ ମଇଳା ଉଠା ଗାଡ଼ିରେ ଦେବାକୁ ସହଯୋଗ ଲୋଡିଥିଲେ । କିନ୍ତୁ ଶନିବାର ସହରରେ ଗ୍ରୀନ ଦୀପାବଳୀ ଉତ୍ସବ ପାଳନ ଅବସରରେ ବହୁ ବ୍ୟତିକ୍ରମ ଘଟିଛି । ଉକ୍ତ ଦିନ ଅପରାହ୍ନରୁ ରବିବାର ସକାଳ ସୁଦ୍ଧା ସହରର କୋଣ ଅନୁକୋଣରେ ପ୍ରଚଣ୍ଡ ଶବ୍ଦ ଯୁକ୍ତ ଆତସବାଜିରେ ସହର ଥରି ଉଠିଛି । ସହରର କିଛି ୱାର୍ଡ ବ୍ୟତୀତ ମୋହନ କଲୋନୀ,ରେଗିଡି ସାହି,ହିଂଜିଳି ଗାଁ , ମେଡିକାଲ ପଛ ସାହି ଆଦି ବହୁ ସ୍ଥାନରେ ଅତିତୀବ୍ର ଓ ଉଚ୍ଚଶବ୍ଦଯୁକ୍ତ ବିଭିନ୍ନ କିସମର ବାଣ ବ୍ୟବହୃତ ହୋଇଥିବା ଜଣାପଡିଛି। ବିଭିନ୍ନ ସାହି ଗଳିରେ ବ୍ୟବହୃତ ବାଣର ପୋଡ଼ା ଓ ଟୁକୁଡ଼ା ଅଂଶ ରାସ୍ତାରେ ଏଣେ ତେଣେ ପଡିଥିଲା ବେଳେ କିଛି ଘରର ଛାତ୍ର ଉପରେ ପଡିଥିବା ଦେଖିବାକୁ ମିଳିଛି । ଫଳରେ ପ୍ରଦୂଷଣମୁକ୍ତ ଗ୍ରୀନ ଦୀପାବଳୀ ପାଇଁ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନର ଯେଉଁ ଉଦ୍ଦେଶ୍ୟ ନିହିତ ଥିଲା ତାହା କିଛି ଅସାଧୁ ବ୍ୟବସାୟୀଙ୍କ ଯୋଗୁଁ ଫସର ଫାଟିଯାଇଥିବା ଜଣାପଡିଛି।ବ୍ୟବହୃତ ବାଣ ଓ ଅତାସବାଜିର ପ୍ରଚଣ୍ଡ ଶବ୍ଦ ଓ ରସାୟନଯୁକ୍ତ ଦହନ ଫଳରେ ଛୋଟ ଛୋଟ ଶିଶୁ ଆହତ ହେବା ଓ ଅଞ୍ଚଳବାସୀ ଅଣନିଃଶ୍ୱାସୀ ହୋଇ ପଡିଥିବା ପରିବେଶ ଓ ପରିସ୍ଥିତିରୁ ସୂଚନା ମିଳିଛି । ସହରରେ ଧୁଆଁ ଓ ବିଷାକ୍ତ ମୟ ପରିବେଶ ପାଲଟି ଏକ ଅସୁସ୍ଥ ବାତାବରଣ ସୃଷ୍ଟି ହୋଇଥିବା ଜଣାପଡିଛି । ସ୍ଥାନୀୟ ପୌର ପ୍ରଶାସନର ବାରଣ ସତ୍ତ୍ୱେ ବୈଠକରେ ଉପସ୍ଥିତ ଥିବା କିଛି ବ୍ୟବସାୟୀ ଚୋରାରେ ବିଭିନ୍ନ କିସମର ବାଣ ସାମଗ୍ରୀ ବିକ୍ରି କରି ପରୋକ୍ଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଉଲଂଘନ କରିଥିବା ଜଣାଯାଇଛି । କିଛି ଅସାଧୁ ବ୍ୟବସାୟୀଙ୍କ ଚୋରା ବାଣ କାରବାର ଯୋଗୁଁ ଗ୍ରୀନ ଦୀପାବଳୀ ପାଳନରେ ଏଭଳିସମସ୍ୟା ସୃଷ୍ଟି ହୋଇଥିବା ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । ଏପରିକି କିଛି ଅସାଧୁ ବ୍ୟବସାୟୀ ଲୁକ୍କାୟିତ ଭାବେ ଗୁପ୍ତ ଗୋଦାମରେ ପ୍ରଚୁର ପରିମାଣର ବାଣ ମହଜୁଦ ରଖି ବିକ୍ରି କରିଥିବାବେଳେ ପୋଲିସ କେବଳ ହିଞ୍ଜିଳି ସହରର ଜଣେ ମାତ୍ର ବ୍ୟବସାୟୀଙ୍କୁ ବାଣ ବିକ୍ରି ଅଭିଯୋଗରେ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । କିନ୍ତୁ ଦୀପାବଳୀ ରାତିରେ ଫୁଟିଥିବା ପ୍ରଚୁର ବାଣ ଓ ସୃଷ୍ଟି ହୋଇଥିବା ପରିସ୍ଥିତି ପ୍ରତି ପୋଲିସ କିଭଳି ଉଦାସୀନତା ରହିଲା ତାହା ସାଧାରଣରେ ଚର୍ଚ୍ଚା ହେଉଛି । ସ୍ଥାନୀୟ ପୌର ନିର୍ବାହୀଅଧକାରୀ ଡ ସାହୁ ଓ ତହସିଲଦାର ପ୍ରଭାତ କୁମାର ପରିଡା ଉକ୍ତ ଦିନ ସକାଳେ ସହରର ବ୍ୟବସାୟୀଙ୍କୁ ବୁଲି ବୁଲି କରୋନା ସଚେତନତା ଜାରୀ ରଖିଥିଲେ । କିନ୍ତୁ ଅସାଧୁ ବ୍ୟବସାୟୀଙ୍କ ଲୁଚା ଛପାରେ ବାଣ ବିକ୍ରି କରିବା ଓ ତତ୍ଜଜନିତ ସମସ୍ୟା ପାଇଁ କାହାର ଅଦୃଶ୍ୟ ସହଯୋଗ ଥିଲା ତାହା ଅନେକଙ୍କୁ ବିସ୍ମିତ କରିଛି। ଏଣୁ ନିର୍ବିଘ୍ନରେ ବ୍ୟବସାୟୀମାନେ ବାଣ ବିକ୍ରି କରି ମାଲାମାଲ ହୋଇଥିଲା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ବେଖାତିର କରିଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ