କରୋନା ଉତ୍ତୀର୍ଣ୍ଣ ଭା‌ରତୀୟ ଦଳର ପ୍ରଶିକ୍ଷଣ ଆରମ୍ଭ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଆସିଥିବା ଭାରତୀୟ କ୍ରିକେଟ୍‌ ଦଳ ପ୍ରଥମ କରୋନା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି। ୟୁଏଇରୁ ସିଧାସଳଖ ଆସି ସିଡ୍‌ନି ପହଞ୍ଚିବାର ଦୁଇ ଦିନ ପରେ ପୂରା ଭାରତୀୟ ଦଳ ଓ ଅଧିକାରୀମାନଙ୍କର କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଫଳରେ ଶନିବାରଠାରୁ ଭାରତୀୟ ଦଳକୁ ପ୍ରଶିକ୍ଷଣ ପାଇଁ ଅନୁମତି ମିଳିଥିଲା। ଭାରତୀୟ ଦଳ ମଧ୍ୟ ଶନିବାର ଉଭୟ ଆଉଟ୍‌ଡୋର୍‌ ଏବଂ ଜିମ୍‌ ସେସନ୍‌ରେ ପ୍ରସ୍ତୁତି ଚଳାଇଥିଲେ। ହାର୍ଦିକ୍‌ ପାଣ୍ଡ୍ୟା, ପୃଥ୍ବୀ ସ’ ଓ ମହମ୍ମଦ ସିରାଜ୍‌ଙ୍କ ଭଳି ୟୁଏଇରେ ଆଇପିଏଲ୍‌ ଖେଳି ଫେରିଥିବା ଅଧିକାଂଶ କ୍ରିକେଟର୍‌ ସିଡ୍‌ନି ଅଲିମ୍ପିକ୍‌ ପାର୍କ ଭିତରେ ଥିବା ବ୍ଲାକ୍‌ଟାଉନ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍ପୋର୍ଟସ ପାର୍କରେ ହାଲ୍‌କା ସେସନ୍‌ରେ ଯୋଗଦେଇଥିଲେ। ସ୍ପିନର କୁଲ୍‌ଦୀପ ଯାଦବ, ଦ୍ରୁତ ବୋଲର ଉମେଶ ଯାଦବ, ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜା, ସାର୍ଦୁଲ ଠାକୁର ଏବଂ ଟେଷ୍ଟ୍‌ ବିଶେଷଜ୍ଞ ‌ଚେତେଶ୍ବର ପୂଜାରା ମଧ୍ୟ ଅଭ୍ୟାସ କରିଥିଲେ। ଆଇପିଏଲ୍‌ରେ ପ୍ରଭାବ ଛାଡ଼ିଥିବା ୟର୍କର ବିଶେଷଜ୍ଞ ଥାଙ୍ଗାରାସୁ ନଟରାଜନ୍‌ ଓ ଅନ୍ୟତମ ଦ୍ରୁତ ବୋଲର ଦୀପକ ଚହର ମଧ୍ୟ ଜିମ୍‌ ସେସନ୍‌ରେ କଠୋର ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ଏହାର ଫଟୋ ମଧ୍ୟ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଟ୍ବିଟ୍‌ କରିଛି। ଲେଗ୍‌ ସ୍ପିନର ୟୁଜ୍‌ବେନ୍ଦ୍ର ଚହଲ୍‌ ମଧ୍ୟ ନିଜ ଟ୍ବିଟର ହ୍ୟାଣ୍ଡଲ୍‌ରେ କୁଲ୍‌ଦୀପ ଯାଦବଙ୍କ ସହ ତାଙ୍କର ଫଟୋ ପୋଷ୍ଟ କରିଛନ୍ତି। ଯଦିଓ ଭାରତୀୟ ଦଳ ପ୍ରଶିକ୍ଷଣ ଆରମ୍ଭ କରିଦେଇଛି ତଥାପି ପ୍ରଥମ ଦୁଇ ସପ୍ତାହ ଏଠାରେ ସଂଗରୋଧରେ ରହିବେ। ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଧଳାବଲ୍‌ ଶୃଙ୍ଖଳା ( ତିନି ଦିନିକିଆ ଓ ତିନି ଟି-୨୦)ରୁ ସିଡ୍‌ନି ଓ କାନ୍‌ବେରାରେ ଆରମ୍ଭ ହେବ। ସୀମିତ ଓଭର ଶୃଙ୍ଖଳା ଚଳିତ ମାସ ୨୭ ତାରିଖରୁ ଆରମ୍ଭ ହେବ। ଏହାପରେ ଦୁଇ ଦଳ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଖେଳିବେ। ଡିସେମ୍ବର ୧୭ରୁ ୨୧ ପର୍ଯ୍ୟନ୍ତ ଆଡିଲେଡ୍‌ରେ ପ୍ରଥମ ଟେଷ୍ଟ୍‌ ଦିବାରାତ୍ରରୁ ଆରମ୍ଭ ହେବ। ଏହାପରେ ବକ୍ସିଂ ଡେ’ ଏବଂ ନୂଆ ବର୍ଷ ଟେଷ୍ଟ ଯଥାକ୍ରମେ ମେଲ୍‌ବର୍ନ ଓ ସିଡ୍‌ନିରେ ଅନୁଷ୍ଠିତ ହେବ। ଚତୁର୍ଥ ତଥା ଶେଷ ଟେଷ୍ଟ୍‌ ଜାନୁଆରି ୧୫ରୁ ୧୯ ତାରିଖ ମଧ୍ୟରେ ବ୍ରିସ୍‌ବନ୍‌‌ରେ ଖେଳି ଭାରତ ତା’ର ଗସ୍ତ ଶେଷ କରିବ। ପ୍ରଥମ ଟେଷ୍ଟ୍‌ ପୂର୍ବରୁ ଭାରତୀୟ ଦଳ ମଧ୍ୟ ସିଡ୍‌ନିରେ ଦୁଇଟି ଅଭ୍ୟାସ ମ୍ୟାଚ୍‌ ଖେଳିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ