ପଣ୍ଡିତ ଶ୍ରୀଧର ଶତପଥୀଙ୍କ ଜୟନ୍ତୀ ପାଳିତ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଘୁମୁସର ମାଟିର ବିଶିଷ୍ଟ ଜ୍ୟୋତିଷ, ଭଞ୍ଜ ସାହିତ୍ୟର ପାଣ୍ଡିତ୍ୟପୂର୍ଣ୍ଣ ସାଧକ, ଗବେଷକ ତଥା ବିଶିଷ୍ଟ ସାହିତ୍ୟିକ ଭଞ୍ଜଶ୍ରୀ ପଣ୍ଡିତ ଶ୍ରୀଧର ଶତପଥୀଙ୍କ ୧୧୩ତମ ଜୟନ୍ତୀ ଆଜି ଜାମପଲ୍ଲୀସ୍ଥିତ କାଳିଞ୍ଜୀ ସମାଜ ଗୃହର ସଭାମଞ୍ଚରେ ଶ୍ରଦ୍ଧା ଓ ଭାବଗମ୍ଭୀର ପରିବେଶରେ ପାଳିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିକାଶ ପରିଷଦ, ଭଞ୍ଜନଗର ଶାଖା ଏବଂ ଭଞ୍ଜଶ୍ରୀ ପଣ୍ଡିତ ଶ୍ରୀଧର ଶତପଥୀ ଫାଉଣ୍ଡେସନ, ଭଞ୍ଜନଗର, ଗଞ୍ଜାମର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ସ୍ମୃତିଚାରଣ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ଅନୁଷ୍ଠାନର ସଭାପତି ଜଗବନ୍ଧୁ ଜେନା । କାର୍ଯକ୍ରମ କୁ ଅନୁଷ୍ଠାନର ଉପସଭାପତି ସନ୍ତୋଷ ଜେନା ସଂଯୋଜନା କରିଥିବାବେଳେ ସଂପାଦକ ତ୍ରିନାଥ ବେହେରା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ରୂପେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ ଓ ଅନ୍ୟତମ ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ପୂର୍ଣ୍ଣଚନ୍ଦ୍ର ତ୍ରୀପାଠୀ,ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ରାଜ୍ଯ କର୍ମଚାରୀ ସଂଘର ରାଜ୍ଯ ସଭାପତି ବିଭୁତି ଭୂଷଣ ଜେନା, ସଂସ୍କୃତି ଗବେଷକ ତଥା ପଣ୍ତିତ ଶ୍ରୀଧର ଶତପଥୀ ଙ୍କ ସୁପୁତ୍ର ସୁରେନ୍ଦ୍ର କୁମାର ଶତପଥୀ ପ୍ରମୁଖ ମଞ୍ଚାସୀନ ରହି ଆଲୋଚନାରେ ଅଂଶ ଗ୍ରହଣ କରିବା ସହ ସ୍ମୃତିଚାରଣ କରିଥିଲେ । ଶ୍ରୀଧର ଶତପଥୀ ଫାଉଣ୍ଡେସନ ତରଫରୁ ଚଳିତ ବର୍ଷ ନିମିତ୍ତ ପ୍ରଫେସର କୃତିବାସ ବିଶ୍ୱାଳ ଙ୍କୁ ଭଞ୍ଜଶ୍ରୀ ଶ୍ରୀଧର ଶତପଥୀ ସ୍ମୃତି ସମ୍ମାନ-୨୦୨୬ ପ୍ରଦାନ କରାଯାଇଥିଲା । ସେହିପରି ଘୁମୁସର ଅଞ୍ଚଳର କିଛି ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ଯଥା:- ଡକ୍ଟର ପୂର୍ଣ୍ଣଚନ୍ଦ୍ର ତ୍ରୀପାଠୀ, ଅରୁଣାଞ୍ଚଳ ପତି, ତ୍ରିନାଥ ବେହେରା,ଗୋପାଳ ଚନ୍ଦ୍ର ଲେଙ୍କା, ସୁଜାତା ସିଂ, ନେତାଜୀ ବିଷୋୟୀ, ଅଶୋକ କୁମାର ସ୍ୱାଇଁ ପ୍ରମୁଖଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରଯାଇଥିଲା। କାର୍ଯକ୍ରମ ପ୍ରାରମ୍ଭରେ ଅଧ୍ୟାପକ ଅଶୋକ ସ୍ୱାଇଁ, ଅଧ୍ୟାପକ ଦୁର୍ଗାମାଧବ ଦାସ ଏବଂ କଣ୍ଠ ଶିଳ୍ପୀ ରୀନା ସେଠୀ ଭଞ୍ଜ ସଂଗୀତ ପରିବେଷଣ କରିଥିଲେ। ଘୁମୁସରର ବିଶିଷ୍ଟ କବି ପ୍ରଶାନ୍ତ ମହାନ୍ତି,ଘୁମୁସର ସମ୍ବାଦର ପ୍ରତିଷ୍ଠାତା ନେତାଜୀ ବିଷୋୟୀ, ପ୍ରାବନ୍ଧିକ ଆରୁଞ୍ଚଳପତି, ଗୋବରା ସ୍ଥିତ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦର ପ୍ରତିଷ୍ଠାତା ଗୋପାଳ ଚନ୍ଦ୍ର ଲେଙ୍କା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପ୍ରକାଶ ଥାଉକି ପଣ୍ଡିତ ଶ୍ରୀଧର ଶତପଥୀ ଘୁମୁସର ଅଞ୍ଚଳର ସାହିତ୍ୟ, ସଂସ୍କୃତି ଓ ଗବେଷଣା କ୍ଷେତ୍ରରେ ଏକ ଅନନ୍ୟ ପ୍ରତିଭା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ଛାଡ଼ିଯାଇଛନ୍ତି। ବିଶେଷକରି ଭଞ୍ଜ ସାହିତ୍ୟ ଉପରେ ତାଙ୍କର ଗଭୀର ପାଣ୍ଡିତ୍ୟ ଓ ଗବେଷଣା ତାଙ୍କୁ ସାହିତ୍ୟ ଜଗତରେ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛି। ତାଙ୍କର ସାହିତ୍ୟସାଧନା ଓ ଅବଦାନ ପାଇଁ ସେ ଆର୍ତ୍ତତ୍ରାଣ ପୁରସ୍କାର ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପରି ମର୍ଯ୍ୟାଦାପୂର୍ଣ୍ଣ ସମ୍ମାନରେ ସମ୍ମାନିତ ହୋଇଥିଲେ। ଗବେଷଣା କ୍ଷେତ୍ରରେ ଅବଦାନ ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ତାଙ୍କୁ ଅଙ୍ଗବସ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ଅନୁଷ୍ଠିତ ୧୧୩ତମ ଜୟନ୍ତୀ ଅବସରରେ ତାଙ୍କର ସାହିତ୍ୟସାଧନା, ଗବେଷଣା ଓ ଭଞ୍ଜ ସାହିତ୍ୟ ପ୍ରତି ଅବଦାନକୁ ସ୍ମରଣ କରାଯିବା ସହ ତାଙ୍କର କୃତି ଓ ଆଦର୍ଶକୁ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ଦିଗରେ ଅଧିକ ପ୍ରୟାସ ଆବଶ୍ୟକ ବୋଲି ଆଲୋକାକଙ୍କ ଦ୍ଵାରା ମତପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ, ଗବେଷକ, ବୁଦ୍ଧିଜୀବୀ ଓ ସାହିତ୍ୟପ୍ରେମୀମାନେ ଉପସ୍ଥିତ ରହି ପଣ୍ଡିତ ଶତପଥୀଙ୍କ ସ୍ମୃତିଚାରଣ କରିଥିଲେ। ଶେଷରେ ଅନୁଷ୍ଠାନର ଅନ୍ୟତମ ଉପସଭାପତି ପ୍ରଭାତି ମଞ୍ଜରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।


