ମୋଦି ସରକାରଙ୍କ ନୀତି ବିରୁଦ୍ଧରେ ମିଳିତ ଟ୍ରେଡ ୟୁନିୟନ ପକ୍ଷରୁ ନଭେମ୍ବର୨୬ରେ ଦେଶବ୍ୟାପୀ ଧର୍ମଘଟ

ଯୋଡା, (ସମୀର କୁମାର ଦାସ): କେନ୍ଦ୍ରରେ ବିଜେପି ପରିଚାଳିତ ମୋଦି ସରକାରଙ୍କ ଶ୍ରମିକ, କୃଷକ ଓ ଜନବିରୋଧି ନୀତି ବିରୁଦ୍ଧରେ ୧୦ ଦଫା ଦାବୀ ନେଇ ଦେଶରେ ଥିବା ସମସ୍ତ ଟ୍ରେଡ ୟୁନିୟନ ମିଳିତ ଭାବେ ନଭେମ୍ବର ୨୬ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି । ଏହି କ୍ରମରେ ଏଆଇଟିୟୁସି ବଡବିଲ ଶାଖା ପକ୍ଷରୁ ଯୋଡା ଖଣି ମଣ୍ଡଳରେ କାର୍ଯ୍ୟକରୁଥିବା ସମସ୍ତ ଶ୍ରମିକ ଓ କୃଷିକ୍ଷେତ୍ରରେ ନିୟୋଜିତ ଥିବା କୃଷି ଭିତ୍ତିକ ଶ୍ରମିକ ଓ ଜନ ସାଧାରଣଙ୍କୁ ଏହି ଦେଶବ୍ୟାପୀ ଆନ୍ଦୋଳନରେ ସାମିଲ ହେବା ସହ ଧର୍ମଘଟକୁ ସଫଳ କରିବାକୁ ଆହ୍ୱାନ ଦେଇଥିବା ଜଣାପଡିଛି । କେନ୍ଦ୍ର ସରକାର ଶ୍ରମିକ ମାନଙ୍କୁ ତାଙ୍କ ଆନ୍ଦୋଳନ ମାଧ୍ୟମରେ ଅର୍ଜିତ ଆଇନଗତ ଅଧିକାରକୁ ଲୋପ କରି ଲାଗୁ ରହିଥିବା ୪୪ଟି ଶ୍ରମ ଆଇନ ପରିବର୍ତ୍ତେ ୪ଟି ଶ୍ରମକୋର୍ଡରେ ରୁପାନ୍ତରିତ କରିବା ଫଳରେ ଦେଶରେ ୯୦ଶତାଂଶ ଶ୍ରମିକ ସେମାନଙ୍କ ଆଇନଗତ ସୁଯୋଗ ଓ ଅଧିକାର ହରାଇ ଆନ୍ଦୋଳନ କରିବାରୁ ବଞ୍ଚିତ ହୋଇଛନ୍ତି । ଶ୍ରମିକ ମାନଙ୍କ ଅଧିକାରକୁ ଯୋରକରି ଛଡାଇନେଉଥିବା କେନ୍ଦ୍ର ସରକାରଙ୍କ ବିରୋଧରେଏହି ୧୦ଦଫା ଦାବୀ ଗୁଡିକ ମଧ୍ୟରେ ଶ୍ରମ ବିରୋଧି ଶ୍ରମ କୋଡ୍ କୁ ପ୍ରତ୍ୟାହାର. କୃଷକ ବିରୋଧି କୃଷକ ଆଇନକୁ ପ୍ରତ୍ୟାହାର , ଆୟକର ଦେଉନଥିବା ସମସ୍ତ ଗରିବ ପରିବାରକୁ ମାସିକ ୭୫୦୦ଟଙ୍କା ସହ ୧୦ କେଜି. ଚାଉଳ ଯୋଗାଇବା,ଗ୍ରାମଞ୍ଚଳ ମନରେଗା ବ୍ୟବସ୍ଥାରେ ବର୍ଷକୁ ୨୦୦ଦିନର କାମ ସମେତ ଦୈନିକ ମଜୁରି ୫୦୦ଟଙ୍କାକୁ ବୃଦ୍ଧି,କେନ୍ଦ୍ର ଓ ରଜ୍ୟ ସରକାରୀ କର୍ମଚାରୀ ତଥା ପେନସନଧାରୀ ମାନଙ୍କୁ ମହଙ୍ଗା ଭତ୍ତା ପ୍ରଦାନ କ୍ଷେତ୍ରରେ ଲାଗୁ ଥିବା କଟକଣା କୁ ଉଠାଇବା , ବ୍ୟାଙ୍କ,ବୀମା ଓ ରଷ୍ଟ୍ରାୟତ ଉଦ୍ୟୋଗକୁ ଘରୋଇ କରଣ ବନ୍ଦ କରିବା, ପ୍ରବାସୀ ଶ୍ରମିକ ମାନଙ୍କ ଲାଗି ଉପଯୁକ୍ତ ଆଇନ ସହିତ ରୋଜଗାର ବ୍ୟବସ୍ଥା କରିବା, ନିର୍ମାଣ ଶ୍ରମିକ ମାନଙ୍କୁ କରୋନା ସହାୟତା ପ୍ରଦାନ ଓ ସେମାନଙ୍କର ନବୀକରଣ ଓ ପଞ୍ଜିକରଣ କରିବା,ଅଙ୍ଗନବାଡି, ଆଶା କର୍ମୀ ଓ ପାଚିକା ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ ସହ ସାମାଜିକ ସୁରକ୍ଷା ବ୍ୟବସ୍ଥା, ନୂତନ ଲିଜଧାରୀ ଛଟେଇ ଶ୍ରମିକମାନଙ୍କୁ ପୁନଃ କାର୍ଯ୍ୟରେ ନିୟୋଜିତ କରିବା ବଧ୍ୟତାମୂଳକ କରିବା ଇତ୍ୟାଦି ଦାବୀନେଇ କେନ୍ଦ୍ର ସରକାରଙ୍କୁ ଘେରୁ ଥିବା ଜଣାପଡିଛି । ଏଥିସହିତ କେନ୍ଦୁଝର ଜିଲ୍ଲାରେ ଗତ ମାର୍ଚ୍ଚ ମାସରୁ ଛଟେଇ ହୋଇ କର୍ମହୀନ ହୋଇ ବସିଥିବା ଶ୍ରମିକ ମାନଙ୍କର ପରିବାର ଘୋର ଦୁର୍ଦ୍ଦିନରେ କାଳତିପାତ କରୁଛନ୍ତି । ନୂତନ ଲିଜଧାରୀ ମାନେ ଖଣି କାର୍ଯ୍ୟ ଆରମ୍ଭ କଲେ ମଧ୍ୟ ପୁରାତନ ଛଟେଇ ଶ୍ରମିକ ମାନଙ୍କୁ କାର୍ଯ୍ୟରେ ନେଇ ନାହାଁନ୍ତି । ନୂତନ ଲିଜଧାରୀ ମାନେ ଛଟେଇ ଶ୍ରମିକଙ୍କୁ ସେମାନଙ୍କ କାର୍ଯ୍ୟରେ ପୁନଃନିଯୁକ୍ତି ଦାବି କରାଯାଇଛି । ବଡବିଲ ଏଆଇଟିୟୁସି ଶାଖାର ଜିଲ୍ଲା ସମ୍ପାଦକ ମହେଶ୍ୱର ରାଉତ କହିଛନ୍ତି ୬୦ ବର୍ଷଧରି ଗଢିଉଠିଥିବା ରଷ୍ଟ୍ରୀୟ ଉଦ୍ୟୋଗ ଗୁଡିକୁ ବିଲୋପ କରି ହାତଗଣତି କେତେଜଣ କର୍ପୋରେଟର ହାତରେ ଟେକିଦେବା ପାଇଁ ମେଦି ସରକାର ଚକ୍ରାନ୍ତ ଚଳାଇ ଥିବାବେଳେ ଶ୍ରମିକ ମାନଙ୍କୁ ଛଟେଇ କରିବାକୁ ଘରୋଇ ମାଲିକ ମାନଙ୍କୁ କ୍ଷମତା ଦେଇ ଶ୍ରମିକ ମାରଣ ନୀତିର ପରିଚୟ ଦେଇଛନ୍ତି । ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ଏ.ଆଇ.ଟି.ୟୁ.ସି ସମେତ ଆଇ.ଏନ.ଟି.ୟୁ.ସି., ଏଚ୍‌.ଏମ.ଏସ. ସି.ଅଇ.ଟି.ୟୁ. ଏ.ଆଇ.ୟୁ.ଟି.ୟୁ.ସି, ଏ.ଆଇ.ସି.ସି.ଟି.ୟୁ.,ବ୍ୟାଙ୍କ,ବୀମା,ପ୍ରତିରକ୍ଷା ଓ ରାଜ୍ୟ ତଥା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସ୍ୱାଧୀନ ଫେଡେରେସନ୍ ପ୍ରମୁଖ ଓ ଦେଶର ଶ୍ରମିକ ମାନଙ୍କୁ ସୁରକ୍ଷା ଦେଉଥିବା ସମସ୍ତ ବାମପନ୍ଥୀ ଟ୍ରେଡ ୟୁନିୟନ ଏହି ଧର୍ମଘଟରେ ସାମିଲ ଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ