ଜିଲ୍ଲା ପ୍ରଶାସନକୁ କେନ୍ଦ୍ରାପଡା ଜିଲ୍ଲା ହାଇୱାଟିପ୍ପର ମାଲିକସଙ୍ଘ ପକ୍ଷରୁ ବେଆଇନ ଜୋରିମାନା ଆଦାୟ ପ୍ରତିବାଦରେ ଶୁକ୍ରବାର ଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଲଘୁଖଣିଜ ଦ୍ରବ୍ୟ ପରିବହନ ବନ୍ଦ ଓ ରାସ୍ତାରୋକ ନୋଟିସ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ହାଇୱା ଟିପ୍ପର ମାଲିକ ସଙ୍ଘ ପକ୍ଷରୁ ବେଆଇନ ଜୋରିମାନା ଆଦାୟ ପ୍ରତିବାଦରେ ଶୁକ୍ରବାର ଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଜିଲ୍ଲାରେ ଲଘୁ ଖଣିଜ ଦ୍ରବ୍ୟ ପରିବହନ ବନ୍ଦ ଓ ରାସ୍ତାରୋକ ନିମନ୍ତେ ସଙ୍ଘ ପକ୍ଷରୁ ଗୁରୁବାର ଜିଲ୍ଲାପାଳଙ୍କୁ ନୋଟିସ ପ୍ରଦାନ କରାଯାଇଛି । ଗତ ମଙ୍ଗଳବାର ଠାରୁ ସଙ୍ଘ ପକ୍ଷରୁ ଗୋଗୁଆଛକରେ ଧାରଣା ଦିଆଯିବା ସହ ସେହିଦିନ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଅଭିଯୋଗ ଅନୁଯାଇ ଜିଲ୍ଲା ପ୍ରଶାସନର ତୃଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁଁ ହାଇୱା ଗାଡିମାଲିକମାନେ ବେଆଇନ ଭାବେ ଯୋରିମାନା ଦେଉଥିବାରୁ ସେମାନେ ଏହାର ପ୍ରତିବାଦ କରିଛନ୍ତି । ହାଇୱା ଗାଡି ଗୁଡିକ ଜିଲ୍ଲା ପ୍ରଶାସନର ସ୍ୱିକୃତିପ୍ରାପ୍ତ ବାଲିଖାଦାନ ଲିଜଧାରୀଙ୍କ ଠାରୁ ବାଲି ବୋଝେଇକରି ଜିଲ୍ଲାର ବିଭିନ୍ନ ସ୍ଥାନକୁ ବାଲି ନେଇ ଯାଉଥିବା ସମୟରେ ସେମାନଙ୍କ ଗାଡି ଗୁଡିକୁ ବେଆଇନ ଭାବେ ରାସ୍ତାରେ ଅଟକାଯାଇ ପୋଲିସ, ତହସିଲଦାର ଓ ଆଂଚଳିକ ପରିବହନ ଅଧିକାରୀଙ୍କ ଦ୍ୱାରା ଜୋରିମାନା ଆଦାୟ କରାଯାଉଛି । ଯେଉଁ କାରଣ ପାଇଁ ଜୋରିମାନା ଆଦାୟ କରାଯାଉଛି ସେଥି ପାଇଁ ଗାଡିମାଲିକମାନେ ପ୍ରକୃତରେ ଦାୟୀ ନୁହନ୍ତି ବୋଲି ସଙ୍ଘ ପକ୍ଷରୁ ଅଭିଯୋଗ କରାଯାଇଛି । ହାଇୱା ଗାଡି ଗୁଡିକ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ୱିକୃତିପ୍ରାପ୍ତ ବାଲିଖାଦାନରେ ବାଲି ବୋଝେଇ କରିବା ପରେ ଲିଜଧାରୀ ସେହି ଗାଡି ଗୁଡିକୁ ନିର୍ଭୁଲ ୱାଇ ଫର୍ମ ଯୋଗାଇ ଦେବା ସହ ଗାଡିରେ ବୋଝେଇ ହୋଇଥିବା ବାଲର ପରିମାଣ ଓଜନକରି ସେବାବଦରେ ପ୍ରମାଣପତ୍ର ଗାଡି ଚାଳକକୁ ଦେବା କଥା । କିନ୍ତୁ ସଂପୃକ୍ତ ବାଲିଖାଦାନ ଲିଜଧାରୀଙ୍କ ପକ୍ଷରୁ ଗାଡିକୁ ପ୍ରଦାନ କରୁଥିବା ୱାଇଫର୍ମ ତୃଟିଯୁକ୍ତ ରହୁଥିବା ଓ ଗାଡିରେ ଥିବା ବାଲିର ଓଜନ ପ୍ରମାଣପତ୍ର ନଥିବାରୁ ରାସ୍ତାରେ ସେହି ଗାଡି ଗୁଡିକୁ ପୋଲିସ, ତହସିଲଦାର ଓ ଆଂଚଳିକ ପରିବହନ ଅଧିକାରୀ ଅଟକାଇ ୱାଇଫର୍ମ ତୃଟି ଥିବା ଏବଂ ଓଭରଲୋଡିଂ ହୋଇଥିବା କହି ଅଯଥାରେ ଓ ଅନ୍ୟାୟ ଭାବରେ ଗାଡିରୁ ଜୋରିମାନା ଆଦାୟ କରୁଥିବା ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ଠାରୁ ଲିଜ ନେଇଥିବା ବାଲିଖାଦାନଧାରୀ ସଠିକ ୱାଇଫର୍ମ ପ୍ରଦାନ କରିବା ଏବଂ ଗାଡିରେ ବୋଝେଇ ବାଲିର ପରିମାଣ ସମ୍ପର୍କରେ ପ୍ରମାଣପତ୍ର ଦେବା ବିଷୟରେ ତଦାରଖ କରିବା ଦାୟୀତ୍ୱ ହେଉଛି ଜିଲ୍ଲା ପ୍ରଶାସନର । ଏଥି ପାଇଁ ଗାଡି ମାଲିକମାନେ ଦାୟୀ ନୁହନ୍ତି ବୋଲି ସଙ୍ଘ ପକ୍ଷରୁ ଅଭିଯୋଗ କରାଯାଇଛି । କିନ୍ତୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ନଦେବାରୁ ବାଲି ବୋଝେଇ ହାଇୱା ଗାଡିକୁ ରାସ୍ତାରେ ଅଟକାଯାଇ ବେଆଇନ ଭାବେ ଜୋରିମାନା ଆଦାୟ କରିବା ଦ୍ୱାରା ଗାଡିମାଲିକଙ୍କ ଜୀବିକା ଉପରେ ଏହାର ଗୁରୁତ୍ତର ପ୍ରଭାବ ପଡୁଥିବା ସେମାନେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ସଙ୍ଘ ପକ୍ଷରୁ ସମସ୍ୟାର ସମାଧାନ କରାଯିବାକୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ସଙ୍ଘର ସଭାପତି ନାରାୟଣ ସ୍ୱାଇଁ ଓ ସମ୍ପାଦକ ମହେନ୍ଦ୍ର କୁମାର ମିଶ୍ର ଏକ ଦାବୀପତ୍ର ପ୍ରଦାନ କରିବା ପରେବି କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଆଜି ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ନୋଟିସ ପ୍ରଦାନ କରାଯାଇ ଶୁକ୍ରବାର ଠାରୁ ଜିଲ୍ଲାରେ ଲଘୁ ଖଣିଜ ଦ୍ରବ୍ୟ ପରିବହନକୁ ସଂପୂର୍ଣ୍ଣ ବନ୍ଦ କରାଯିବା ସହିତ ରାସ୍ତାରୋକ କରାଯିବ ବୋଲି କୁହାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ନିରାକାର ସାହୁ, ପ୍ରମୋଦ କୁମାର ଦାସ, ସନ୍ଦୀପ ନାୟକ, ମହମ୍ମଦ ଫାୟାଜ, ଗୋଲେଖ ଚନ୍ଦ୍ର ବଳ, ସେକ ଅବଦୁଲ ରସିଦ, ମୀଲୁ ସେଠୀ, ରଞ୍ଜନ କୁମାର ଭଳ, ପ୍ରଶାନ୍ତ କୁମାର ନାୟକ, ତ୍ରିଲୋଚନ ସାହୁ, ସେକ ମସକୁର ହୋସେନ, ଚନ୍ଦ୍ରଶେଖର ସ୍ୱାଇଁ, ମାନସରଞ୍ଜନ ପଟ୍ଟନାୟକ, ନିୟାଜୁଦ୍ଦିନ ସେକ, ମହମ୍ମଦ ଫରିଦ, ସେକ ଅଫତାବ, ଶ୍ରୀଧର ଦାସ, ଦେବଦାସ ନାୟକ, ପ୍ରିତିଶ କୁମାର ବିଶ୍ୱାଳ, ସେକ ଅରମାନ, ସେକ ଲିୟାଜତ ପ୍ରମୁଖ ସଙ୍ଘର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ