ପିଓକେରେ ଭୂମି କମ୍ପ, ବ୍ୟାପକ କ୍ଷୟକ୍ଷତି ,୫ ମୃତ ବହୁ ଗୁରୁତର
ନୂଆଦିଲ୍ଲୀ : ପାକିସ୍ତାନ ଅଧିକୃତ ପିଓକେରେ ପ୍ରକୃତର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରକୃତିର କୋପକେ ପିଓକେ ସଂପୂର୍ଣ୍ଣ ଭାବେ ଛିନଛତ୍ର ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ଣ ୪.୩୫ ମିନିଟ୍ ସମୟରେ ପିଓକେରେ ଶକ୍ତିଶାଳୀ ଭୂକମ୍ପ ଝଟକା ପୂରା ପ୍ରଦେଶକୁ ଛାରଖାର କରିଦେଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି । ପିଓକେର ମୀରପୁର ସହର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ରାସ୍ତା ମଝିରୁ ଦୁଇ ଫାଳ ହୋଇଯିବାରୁ ଏକାଧିକ ଗାଡ଼ି ଏହା ମଧ୍ୟରେ ଫସି ରହିଛି। ଭୂକମ୍ପ ପରେ ପାକିସ୍ତାନ ସରକାର ପକ୍ଷରୁ ମେଡିକାଲ ଟିମ୍ ଏବଂ ସେନା ବାହିନୀକୁ ଉଦ୍ଧାର ପାଇଁ ଘଟଣା ସ୍ଥଳକୁ ପଠାଯାଇଛି। ରିକ୍ଟର୍ ସ୍କେଲ୍ରେ ଭୂକମ୍ପର ତୀବ୍ରତା ୬.୩ ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପର କେନ୍ଦ୍ର ସ୍ଥଳ ପିଓକେର ମୀରପୁରଠାରେ ରହିଛି ବୋଲି ରିପୋର୍ଟରେ କୁହାଯାଇଛି। ଭୂକମ୍ପର ଝଟକା ସିଆଲକୋଟ୍, ସରଗୋଧା, ମନଶେହରା, ଗୁଜରାଟ, ଚିତ୍ରାଲ, ମଲକାନ୍ଦା, ସଂଘଲା, ବାଜାଉର, ସ୍ୱତ, ସାହିୱଲ, ରହିମ ୱାର ଖାନ ଓ ମୀରପୁରରେ ଅନୁଭୂତ ହୋଇଛି। ଏହାବାଦ୍ ପାକିସ୍ତାନର ଲାହୋର, ଇସ୍ଲାମାବାଦ, ରାୱଲପିଣ୍ଡି ଓ ପେଶୱାର ଭଳି ବଡ଼ବଡ଼ ସହରରେ ମଧ୍ୟ ଲୋକମାନେ ଭୂକମ୍ପ ପରେ ଖୋଲା ଆକାଶ ତଳେ କିଛି ସମୟ ବିତାଇଥିଲେ ।ଭୂକମ୍ପର ଝଟ୍କା ଭାରତରେ ସାମାନ୍ୟ ମଧ୍ୟ ଅନୁଭୂତ ହୋଇଥିଲା। ଉତ୍ତର ଭାରତର ରାଜଧାନୀ ନୂଆଦିଲ୍ଲୀ ସମେତ କିଛି ସ୍ଥାନରେ ଅନୁଭୁତ ହୋଇଛି।


