ଲଗାଣ ବର୍ଷା : ଚାଷୀ ମହଲରେ ଭୟର ଆଶଙ୍କା

ହିଞ୍ଜିଳିକାଟୁ, ୨୪ା୯ (ଶେଷଦେବ ସାହୁ): ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ପାଣିପାଗର ପରିବର୍ତନ ସହିତ ଅନେକ ସ୍ଥାନରେ ବର୍ଷାର ପରିମାଣ ବଢିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଥିବା ବେଳେ ହିଞ୍ଜିଳିକାଟୁରେ ମଧ୍ୟ ରବିବାର ରାତ୍ର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ବର୍ଷା ଲାଗିରହିଛି । ୨୩ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ହିଂଜିଳିକାଟୁ ଅଂଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଚାଷ ଜମିରେ ପାଣି ଜମି ରହିଥିବା ଯୋଗୁଁ ଚାଷୀ ମହଲରେ ଭୟର ଆଶଙ୍କା ରହିଛି । ଜୁଲାଇ ମାସରେ ବର୍ଷା ଅଭାବ ଯୋଗୁଁ ଚାଷୀ ମୁଣ୍ଡରେ ହାତ ଦେଇ ବସିଥିଲା । ଅନେକ ଜାଗାରେ ରୋଇବା ପାଇଁ କାଦ ବିଲରେ ଚାଷୀ ବର୍ଷାକୁ ଅପେକ୍ଷା କରି ରହିଥିଲା ।ଏତିକି ବେଳେ ବର୍ଷା ଦିନ ଆରମ୍ଭରୁ ବର୍ଷାର ଅଭାବ ରହିଥିବା ଯୋଗୁଁ ଗଜା ମରୁଡ଼ି ଆଶଙ୍କା ସାଙ୍ଗକୁ ରୂଆ ବେଉଷଣ ପାଇଁ ଚାଷୀ ନାମ ଧରି ପାରୁନଥିଲା । ଅଗଷ୍ଟ ମାସରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ହେବା ଫଳରେ ଚାଷୀ ମନରେ ଆନନ୍ଦ ଭରି ଯାଇଥିଲା । ଚାଷୀ ଯୁଦ୍ଧକାଳୀନ ଭିତିରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ସେପ୍ଟେମ୍ବର ପହିଲାରେ ଲଗାଣ ବର୍ଷା ପ୍ରଭାବରେ ଚାଷ ଜମି ଗୁଡ଼ିକରେ ପାଣି ଜମି ରହିବା ଯୋଗୁଁ ପ୍ରାୟତଃ ଫସଲ ନଷ୍ଟ ହେବାକୁ ବସିଥିଲା । ବର୍ଷା କମିବା ପରେ ଚାଷୀ କଷ୍ଟେମଟେ ଅଂଟା ସଳଖ କରି ଚାଷ କାମ ଆଗକୁ ବଢାଇଥିଲା । ତେବେ ଗତ ତିନି ଦିନ ଧରି ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଲାଗି ରହିବା ଫଳରେ ଚାଷୀକୂଳ ମହଲରେ ଭୟର ଆଶଙ୍କା ଦେଖାଦେଇଛି । ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ଆଶଙ୍ତକା କରି ସ୍ଥାନୀୟ ବ୍ଳକ ନଦୀ ଉପକୂଳବର୍ତି ଖଣ୍ଡରା, ଚାନ୍ଦୁଲି, ସିକିରି, ଆଲପୁର, ବୁରୁପୋଡ଼ା, ଗିରିଆ, ଖରିଡ଼ା ଅଂଚଳବାସୀଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି । ସ୍ଥାନୀୟ ବ୍ଳକ ପ୍ରଶାସନ ଓ ରାଜସ୍ୱ ବିଭାଗ ପକ୍ଷରୁ ସର୍ତକତା ଅବଲମ୍ବନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ