ବିଗ୍ ବି ଅମିତାଭଙ୍କୁ ଦାଦା ସାହେବ୍ ଫାଲ୍କେ
ହିନ୍ଦୀ ସିନେମା ଜଗତର ବିଗ୍ ବି ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ମିଳିବ ଭାରତର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଦାଦା ସାହେବ୍ ଫାଲ୍କେ । ଜୀବନ ବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଟ୍ୱିିଟ୍ କରି ଘୋଷଣା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଏହି ଟ୍ୱିଟ୍ରେ ଲେଖିଛନ୍ତି, ଗତ ୨ ପିଢ଼ି ଧରି ଆମକୁ ମନୋରଞ୍ଜନ ଯୋଗାଇଆସିଥିବା ଏବଂ ଆମକୁ ପ୍ରେରଣା ଯୋଗାଇ ଆସିଥିବା କିମ୍ବଦନ୍ତୀ ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ୍ ଫାଲ୍କେ ପାଇଁ ମନୋନୀତ କରଯାଇଛି । ପୂରା ଦେଶ ଏବଂ ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ମାନେ ଏଥିରେ ଖୁସି ପ୍ରକାଶ କରିଛନ୍ତି । ମୁଁ ଅମିତାଭଙ୍କୁ ଅଭିନନ୍ଦନ ଜଣାଉଛି । ସୂଚନାଯୋଗ୍ୟ ଯେ, ଦାଦା ସାହେବ ଫାଲ୍କେ ପୁରସ୍କାର ପ୍ରସିଦ୍ଧ ସିନେ ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ସଂଳାପ ଲେଖକ ଧୁନ୍ଦିରାଜ ଗୋବିନ୍ଦ ଫାଲ୍କେ ବା ଦାଦା ସାହେବ୍ ଫାଲ୍କେଙ୍କ ନାମରେ ଦିଆଯାଇଥାଏ । ବିଗ୍ ବି ଅମିତାଭ ବିଭିନ୍ନ ଫିଲ୍ମ ସହ କ୍ୱିଜ୍ ଶୋ “କୌନ୍ ବନେଗା କରୋଡ଼ପତି’ରେ ସକ୍ରିୟ ଅଛନ୍ତି । ଶେହେନ୍ଶାହ ଭାବେ ମଧ୍ୟ ଘରେ ଘରେ ପରିଚିତ ।


