ମୁଖ୍ୟରାସ୍ତା ପାଶ୍ୱର୍ରେ ବିଦ୍ୟୁତ ସେବା ପାଇଁ ବାଉଁଶ ଖୁଂଟ ଭରସା
ନାଉଗାଁ,(ଓ୍ବାଇଏନ୍ଏସ୍): ଗତକିଛି ମାସ ହେବ ଟାଟା କମ୍ପାନୀ ଜନସାଧାରଣଙ୍କୁ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ଦାୟିତ୍ୱ ନେଇଛି । ଏହି କମ୍ପାନୀରେ ସେସୁ ସଂସ୍ଥାର ସମସ୍ତ କର୍ମଚାରୀ ସହିତ ଏଂଜେନ ସଂସ୍ଥାରେ କାର୍ଯ୍ୟ କରୁଥିବା କିଛି କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଜନସାଧାରଣ ଯେପରି ବିଦ୍ୟୁତ ସେବାରୁ ବଂଚିତ ନ ହେବେ ଏଥିପ୍ରତି ସଜାଗ ରହିବାକୁ କମ୍ପାନୀ ପକ୍ଷରୁ ନିଯୋଜିତ କର୍ମଚାରୀଙ୍କୁ ଚେତାବନୀ ଦିଆଯାଇଛି । ଫଳରେ ପ୍ରତିଦିନ ଏଚଟି ଲାଇନି ସହିତ ଏଲଟି ଲାଇନି କାର୍ଯ୍ୟ କରାଯାଉଛି । ଯଦି କୌଣସି ତାର ଉପରେ ଗଛଲତା ପଡି ରହିଛି ତାକୁ ମଧ୍ୟ ସଫା କରାଯାଉଥିବା ଦେଖାଯାଉଛି । ହେଲେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ବ୍ଲକଛକରେ ବିଦ୍ୟୁତ ବିଭାଗ ପକ୍ଷରୁ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଠାରେ ଖୋଲା ତାର ସହିତ ବାଉଁଶ ଖୁଣ୍ଡ ଉପରେ ବିଦ୍ୟୁତ ତାର ବନ୍ଧା ହୋଇ ବିଦ୍ୟୁତ ସେବା ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳିଛି । ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଗାଡି ଯାତାୟତ କରୁଛି । ଏପରିକି ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଯିବା ଆସିବା କରୁଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଦ୍ୟୁତ ବିଭାଗ ପକ୍ଷରୁ ଚାରିଆଡେ ନୂତନ ବିଦ୍ୟୁତ ଖୁଂଟ ସହିତ କେବୁଲ ତାର ବନ୍ଧା ଯାଇ ବିଦ୍ୟୁତ ସଂଯୋଗ କରାଯାଉଛି । କିନ୍ତୁ ବ୍ଲକର ମୁଖ୍ୟରାସ୍ତାରେ କିଭଳି ଭାବେ ବାଉଁଶ ଖୁଂଟ ଉପରେ ଖୋଲା ତାର ବନ୍ଧା ଯାଇ ବିଦ୍ୟୁତ ସେବା ଯୋଗାଇ ଦିଆଯାଉଛି । ଯାହାକୁ ନେଇ ବିଦ୍ୟୁତ ବିଭାଗର କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏ ସଂର୍ପକରେ ନାଉଗାଁ ବ୍ଲକ ସେସୁର କନିଷ୍ଠ ଯନ୍ତ୍ରୀ ଇଂ କମଳକାନ୍ତ ବିଷୋଇଙ୍କ ମତାମତ ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।