ସମସ୍ୟା ଘେରରେ ଅଲଣାହାଟ ହାଇସ୍କୁଲ
ନାଉଗାଁ , (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ସର୍ବପୁରାତନ ତଥା ପ୍ରଥମ ହାଇସ୍କୁଲ ହେଉଛି ଅଲଣାହାଟ ହାଇସ୍କୁଲ | ଏହି ହାଇସ୍କୁଲ ୧୯୪୪ ମସିହାରେ ବୈକୁଣ୍ଠନାଥ ଆଚାର୍ଯ୍ୟଙ୍କ ଦ୍ୱାରା ଗଢି ଉଠିଥିବା ଏହି ବିଦ୍ୟାଳୟ ବହୁ ସଫଳ ବିଦ୍ୟାର୍ଥୀ ଦେଶ ବିଦେଶ ରେ ସୁନାମ ଅର୍ଜନ କରି ଆସୁଛନ୍ତି | କିନ୍ତୁ ଦୁଃଖ ଓ ପରିତାପର ବିଷୟ ହେଉଛି ଦୀର୍ଘ ଦୁଇ ମାସ ପରେ ବିଦ୍ୟାଳୟ ଖୋଲିବାକୁ ଯାଉଛି | ଏହାରି ଭିତରେ ୧୬ଜଣ ଶିକ୍ଷକଙ୍କ ମଧ୍ୟରୁ ୪ଜଣ ଶିକ୍ଷକଙ୍କର ପଦୋନ୍ନତି ହେବା ପରେ ବଦଳି ହୋଇଯାଇଛନ୍ତି । ହେଲେ ତାଙ୍କ ପରିବର୍ତ୍ତେ ସ୍କୁଲକୁ କୌଣସି ଶିକ୍ଷକ ଆସିନାହାନ୍ତି | ବର୍ତମାନ ୫ଟି ଶ୍ରେଣୀ ପାଇଁ ୪୫୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୧୨ଙ୍କ ଶିକ୍ଷକ ଅଛନ୍ତି । ଏହି ୧୨ ଜଣ ଶିକ୍ଷକଙ୍କୁ ନେଇ କିପରି ଶ୍ରେଣୀ କାର୍ଯ୍ୟ ଚାଲିବ ଅଭିଭାବକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି | ପିଲାମାନଙ୍କୁ କେଉଁଠାରେ ନାମ ଲେଖାଇବେ , ତାହାକୁ ନେଇ ଅଭିଭାବକଙ୍କ ମନରେ ଦନ୍ଦ୍ବ ରହିଛି | ଯେତେବେଳେ ଅଭିଭାବକଙ୍କ ପ୍ରଥମ ପସନ୍ଦ ଥିଲା ଅଲଣାହାଟ ହାଇସ୍କୁଲ , କିନ୍ତୁ ଏବେ ଶିକ୍ଷକ ନ ଥିବାରୁ ବିଦ୍ୟାଳୟ ପ୍ରତି ମୁହଁ ଫେରାଉଛନ୍ତି ଅଭିଭାବକ | ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଏହି ସ୍କୁଲରେ ଚାରି ବର୍ଷ ହେବ ଜଣେ ହେଲେ ବି ପିଅନ ନାହାନ୍ତି | ପିଅନ କାର୍ଯ୍ୟ ବି ବିଦ୍ୟାଳୟର ଶିକ୍ଷକମାନେ ତୁଲାଉଛନ୍ତି| ସେହିପରି ସ୍କୁଲରେ ଆବଶ୍ୟକ ମୁତାବକ କିରାଣୀ ନ ଥିବାରୁ ଜଣେ ମାତ୍ର କିରାଣୀକୁ ନେଇ କାର୍ଯ୍ୟ ଚାଲୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଦ୍ୟାଳୟରେ ବେଞ୍ଚ ଡେସ୍କର ଅଭାବ ରହିଥିବାରୁ ଷଷ୍ଠ ଶ୍ରେଣୀର ପିଲାମାନେ ଚଟାଣରେ ବସି ପାଠ ପଢୁଛନ୍ତି | ଦୀର୍ଘ ୬ ଘଣ୍ଟା ଛାତ୍ରଛାତ୍ରୀମାନେ ଚଟାଣରେ ବସିବାରୁ ତାଙ୍କର ଗୋଡ ବଥା ହେଉଥିବାର ଅଭିଭାବକମାନେ ଅଭିଯୋଗ କରୁଛନ୍ତି | ସ୍କୁଲ ଅଫିସ ପାଖକୁ ଲାଗିକି ଥିବା ଘରର ଆଜବେଷ୍ଟସ ଫାଟି ଯିବାରୁ ସାମାନ୍ୟ ବର୍ଷା ହେଲେ ସେଥିରୁ ପାଣି ଗଳୁଛି | ଫଳରେ ପାଠପଢ଼ାରେ ଅସୁବିଧା ହେଉଛି। ଏହାକୁ ନେଇ ଅଭିଭାବକମାନେ ବାରମ୍ବାର ଅଭିଯୋଗ କରୁଛନ୍ତି ହେଲେ କିଛି ସୁଫଳ ମିଳୁ ନାହିଁ। ସୂଚନା ଥାଉକି ସେ ସମୟରେ ଏହି ହାଇସ୍କୁଲରେ ୪୦୦୦ରୁ ଉର୍ଦ୍ଧ୍ବ ପିଲା ଅଧ୍ୟୟନ କରୁଥିବା ବେଳେ ପ୍ରତି ଶ୍ରେଣୀରେ ୬ ରୁ ୭ ଟି ଲେଖାଏଁ ସେକ୍ସନ ଥିଲା | ପିଲାଙ୍କୁ ପାଠ ପଢ଼ାଇବା ପାଇଁ ପାଖାପାଖି ୬୧ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ହୋଇଥିଲେ | ଶିକ୍ଷକମାନଙ୍କ ଆଦର୍ଶ କର୍ତ୍ତବ୍ୟ ନିଷ୍ଠା ଓ ନିସ୍ଵାର୍ଥପର ମନୋଭାବ ଯୋଗୁଁ ଏହି ସ୍କୁଲରୁ ପାଠ ପଢିଥିବା ବହୁ ପୁରାତନ ଛାତଛାତ୍ରୀ ବର୍ତମାନ ଦେଶ ବିଦେଶରେ ବହୁ ଉଚ୍ଚ ପଦ ପଦବୀରେ ପ୍ରତିଷ୍ଠିତ ହୋଇପାରିଛନ୍ତି |


