ଯୋଗାଣ ନିଗମ ଗୋଦାମରୁ ୨୧୦ବସ୍ତା ଗହମ ଚୋରା ଚାଲାଣ : ମାମଲା ଚପାଇଦେବାକୁ ଉଦ୍ୟମ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଛଗରିଆସ୍ଥିତ ରାଜ୍ୟ ବେସାମରିକ ଯୋଗାଣ ନିଗମ ଗୋଦାମରୁ ଗତ ଗୁରୁବାର ଅପରାହ୍ନରେ ୨୧୦ବସ୍ତା ପିଡିଏସ ଗହମ ଚୋରା ଚାଲାଣ ହେଉଥିବାର ଏକ ବିଶେଷ ସୁତ୍ରରୁ ଖବରପାଇ ସଦର ଥାନା ପୋଲିସ ଓଡି- ୦୫ – ଏପି -୨୬୬୮ନମ୍ବର ବିଶିଷ୍ଟ ଏକ ଆଇଚର ଗାଡିରେ ୨୧୦ବସ୍ତା ପିଡିଏସ ଗହମ ବୋଝେଇ ହୋଇଥିବା ଅବସ୍ଥାରେ ଗୋପ – ଦୁତିଆଳ ରାସ୍ତାରେ ସଂପୃକ୍ତ ଗାଡିକୁ ଜବତ କରିଥିଲା । ଏହାପରେ ବେସାମରିକ ଯୋଗାଣ ବିଭାଗର ସହକାରୀ ଯୋଗାଣ ଅଧିକାରୀ ଓ ଅନ୍ୟ ଜଣେ ମାର୍କେଟିଂ ଇନିସପେକ୍ଟର ତୁରନ୍ତ ଥାନାରେ ପହଁଚି ସେହି ଘଟଣାକୁ ରଫାଦଫା କରିଦେବାକୁ ଉଦ୍ୟମ କରିଥିଲେ ମଧ୍ୟ ଥାନାର ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକ ସେମାନଙ୍କ କଥାରେ ରାଜି ହୋଇନଥିଲେ । ଫଳରେ ସେମାନେ ରାତି ପର୍ଯ୍ୟନ୍ତ ଅପେକ୍ଷା କରି କରି ଫେରିଆସିଥିଲେ । ପରଦିନ ପୋଲିସ ଛଗରିଆସ୍ଥିତ ଯୋଗାଣ ନିଗମର ଗୋଦାମକୁ ପରିଦର୍ଶନ କରିଥିଲେ । ଘଟଣା ଅନୁଯାଇ ଜଗତପୁର ଠାରେ ଥିବା ଫୁଡ କରପୋରେସନ ଅଫ ଇଣ୍ଡିଆ (ଏଫ୍‌.ସି.ଆଇ.)ର ଗୋଦାମରୁ ଜଣେ ଲେଭେଲ -୧ ପରିବହନ ଠିକାଦାରଙ୍କ ମାଧ୍ୟମରେ କେନ୍ଦ୍ରାପଡା ଜିଲ୍ଲାର ଛଗରିଆସ୍ଥିତ ବେସାମରିକ ଯୋଗାଣ ନିଗମର ଗୋଦାମକୁ ଜିଲ୍ଲା ପାଇଁ ଆବଶ୍ୟକ ଗହମ ପହଁଚାଯାଇଥାଏ । ଛଗରିଆସ୍ଥିତ ଗୋଦାମ ଦାୟୀତ୍ୱରେ ଥିବା ପ୍ରୋକିଓରମେଂଟ ଇନିସପେକ୍ଟର ପେଙ୍ଗୁଇନ ସାମନ୍ତରାୟ ଲେଭେଲ-୧ ପରିବହନ ଠିକାଦାରଙ୍କ ଠାରୁ ସେସବୁ ଗହମକୁ ରିସିଭ କରିବା ସହ ଗୋଦାମରେ ମହଜୁଦ କରି ରଖିଥାନ୍ତି । ପରବର୍ତ୍ତି ସମୟରେ ଜିଲ୍ଲାର ୯ଟି ବ୍ଲକ ଓ ୨ଟି ପୈାରାଚଂଳକୁ ଜିଲ୍ଲା ପ୍ରଶାସନ ଦ୍ୱାରା ନିଯୁକ୍ତ ପ୍ରତି ବ୍ଲକ ବା ପୈାରାଚଂଳର ଲେଭେଲ -୨ ପରିବହନ ଠିକାଦାରଙ୍କ ମାଧ୍ୟମରେ ସେହି ଅଚଂଳର ପ୍ରତି କଂଟ୍ରୋଲ ଡିଲର(ଫେଆର ପ୍ରାଇସ ସପ) ନିକଟରେ ପହଁଚାଇଥାନ୍ତି । ଲେଭେଲ -୨ ପରିବହନ ଠିକାଦାର ଗହମ କିଲୋପ୍ରତି ୪୦ପଇସା ଦରରେ ପରିବହନ କରିଥାନ୍ତି । ଅଭିଯୋଗ ଅନୁଯାଇ ଏହି ଘଟଣାରେ ୨୧୦ବସ୍ଥା ପିଡିଏସ ଗହମ ଗୁରୁବାର ଅପରାହ୍ନରେ ଜଗତପୁରସ୍ଥିତ ଫୁଡ କରପୋରେସନ ଅଫ ଇଣ୍ଡିଆ ଗୋଦାମରୁ ଆସିଥିବା ଏକ ଟ୍ରକରୁ ଛଗରିଆସ୍ଥିତ ଗୋଦାମ ପରିସରରେ ପୋଲିସ ଦ୍ୱାରା ଜବତ ହୋଇଥିବା ଆଇଚର ଗାଡିକୁ ଅନଲୋଡ ହୋଇଥିବା ଏକ ବିଶେଷ ସୁତ୍ରରୁ ଜଣାପଡିଛି । ସଂପୃକ୍ତ ଜବତ ଗାଡିଟି ଦୁତିଆଳ ଗ୍ରାମକୁ ଯାଉଥିବା ବେଳେ ପୋଲିସ ତାକୁ ଜବତ କରିଥିଲା । ଅନ୍ୟ ପକ୍ଷରେ ଯୋଗାଣ ବିଭାଗ ପକ୍ଷରୁ କୁହାଯାଉଛି ଯେ ଏହି ଜବତ ଗହମ ଛଗରିଆସ୍ଥିତ ଗୋଦାମରୁ ଆସିନାହିଁ ବୋଲି । ପୋଲିସ ଆଗରେ ଜବତ ଗାଡିର ଚାଳକ ଚନ୍ଦନ ପ୍ରଧାନ ଓ ମିଲର ମାଲିକ ତାପସ ରାଉତ ଉଭୟ ଦେଇଥିବା ବୟାନ ଅନୁଯାଇ ସମସ୍ତ ଗହମ ଛଗରିଆସ୍ଥିତ ଗୋଦାମରୁ ଆସିଛି । ଏଠି ପ୍ରଶ୍ନ ଉଠୁଛି ଯେ ଏହି ଜବତ ଗହମ କାହାର ? ପୋଲିସର କଥା ଠିକ ନା ଯୋଗାଣ ବିଭାଗ ଅଧିକାରୀଙ୍କ କଥା ଠିକ ! ଆଉ ଏକ ଅଭିଯୋଗ ଅନୁଯାଇ ଛଗରିଆସ୍ଥିତ ଗୋଦାମରେ ଲାଗିଥିବା ସିସି ଟିଭିକୁ ହଠାତ କାଢି ନିଆଯିବା ଘଟଣା ଯୋଗାଣ ବିଭାଗ କାର୍ଯ୍ୟକଳାପ ପ୍ରତି ଆଙ୍ଗୁଳି ନିର୍ଦେଶ କରୁଛି ! ଏହି ଘଟଣାକୁ ଚପାଇଦେବାକୁ ଯୋଗାଣ ବିଭାଗ ଚେଷ୍ଟା ଚଳାଇଥିବା ମଧ୍ୟ ଅଭିଯୋଗ ହେଉଛି । ଜବତ ଗହମର ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କାରୁ ଅଧିକ ହେବ । ଏକ ବିଶେଷ ସୁତ୍ରରୁ ମିଳିଥିବା ଖବର ଅନୁଯାଇ ଏହି ଘଟଣା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଏହିଭଳି ଭାବରେ ଗହମର ଚୋରା ଚାଲାଣ ହୋଇଆସୁଛି । ଖାଉଟି କାର୍ଡଧାରୀଙ୍କ ପାଇଁ ଯୋଗାଇ ଦିଆଯାଉଥିବା ଟଙ୍କିକିଆ ଗହମ ସମସ୍ତ ଖାଉଟି ଡିଲର(ଫେଆର ପ୍ରାଇସ ସପ)ସେମାନଙ୍କ ଆବଶ୍ୟକତା ଅନୁଯାଇ ନିଅନ୍ତି ନାହିଁ । ଫଳରେ ପରିବହନ ଠିକାଦାର ସେହିସବୁ ଗହମକୁ ଏଭଳି ଭାବରେ ବାହାରେ ବିକ୍ରୀ କରି ସେଥିରୁ ଖାଉଟି ଡିଲର, ଯୋଗାଣ ବିଭାଗର ଅଧିକାରୀ, ନିଗମର ଗୋଦାମ ଦାୟୀତ୍ୱରେ ଥିବା ଅଧିକାରୀ ପ୍ରଭୃତିଙ୍କୁ ବୁଝାଇ ବାକି ମୁନାଫା ନିଜେ ନେଇଥାନ୍ତି ବୋଲି ସଂପୃକ୍ତ ତଥ୍ୟ ପ୍ରଦାନକାରୀ ସୂଚନା ଦେଇଛନ୍ତି । ଏହି ଘଟଣାର ତଦନ୍ତ କରି ଆସନ୍ତା ସୋମବାର ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ ବେସାମରିକ ଯୋଗାଣ ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି । କିନ୍ତୁ ଏହି ଘଟଣାରେ ଭିଜିଲାନ୍ସ ତଦନ୍ତ କରାଗଲେ ଏଭଳି ବେଆଇନ ଗହମ ଚୋରା ଚାଲାଣରେ ସଂପୃକ୍ତ ଥିବା ବହୁ ବିଭାଗୀୟ ଅଧିକାରୀଙ୍କ ମୁଖା ଖୋଲିପାରିବ ବୋଲି ସାଧାରଣରେ ଦାବୀ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ