ଆଧାର ନାହିଁ ତ ସାମାଜିକ ସୁରକ୍ଷା ଭତ୍ତା ନାହିଁ; ଲକ୍ଷ୍ୟ ପୁରଣ ପାଇଁ ପଂଚାୟତ ସ୍ତରରେ ସ୍ୱତନ୍ତ୍ର ଆଧାର କ୍ୟାମ୍ପ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଆଧାର ଲିଙ୍କ ନହେଲେ କେହି ସରକାରୀ ସୁବିଧା ପାଇପାରିବେ ନାହିଁ । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଜୁଲାଇ – ୨୦୨୦ପର୍ଯ୍ୟନ୍ତ ସାମାଜିକ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଆଧାରକାର୍ଡ ବିନା ଏହି ସୁବିଧା ଗ୍ରହଣ କରିବାକୁ ଏହି ରିହାତି ପ୍ରଦାନ କରିଥିଲେ । କିନ୍ତୁ ମହାମାରୀ କୋଭିଡ ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶ ମତେ ଆଧାର ନଥିବା ସମସ୍ତ ଭତ୍ତା ହିତାଧିକାରୀଙ୍କୁ ୨୦୨୦ ଡିସେମ୍ବରମାସ ପର୍ଯ୍ୟନ୍ତ ଭତ୍ତା ପ୍ରଦାନ କରାଯାଇଛି । ଅଧିକନ୍ତୁ ଯେତେ ପ୍ରକାର ଚେଷ୍ଟା କଲେ ମଧ୍ୟ ବର୍ତ୍ତମାନ ସୁଧା ଜିଲ୍ଲାରେ ୨୭ହଜାର ୨୫୫ଜଣ ଏହି ବର୍ଗର ହିତାଧିକାରୀ ସେମାନଙ୍କ ଆଧାରକାର୍ଡ ଦାଖଲ କରୁନାହାନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତଥ୍ୟ ଦେବାକୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ରାଜ୍ୟ ସରକାରଙ୍କ ନିର୍ଦେଶ ପରେ ଜିଲ୍ଲାପାଳ ଗତ ୧୮ତାରିଖରେ ସମସ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଓ ପୈାରସଂସ୍ଥାର ନିର୍ବାହୀ ଅଧିକାରୀମାନଙ୍କୁ ପଂଚାୟତ ଓ ୱାର୍ଡସ୍ତରରେ ସ୍ୱତନ୍ତ୍ର ଆଧାର କ୍ୟାମ୍ପ କରି ସମସ୍ତ ବିନା ଆଧାର ସାମାଜିକ ସୁରକ୍ଷା ଭତ୍ତା ହିତାଧିକାରୀଙ୍କୁ ଆଧାରକାର୍ଡ ଯୋଗାଇ ଦେବାକୁ ନିର୍ଦେଶ ଦେବା ସହ ଏହାକୁ ଜିଲ୍ଲାରେ ତଦାରଖ କରୁଥିବା ଇ-ଗର୍ଭନାନ୍ସ ମ୍ୟାନେଜର ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ନିର୍ଦେଶ ଦେଇଛନ୍ତି । ଏହି ନିର୍ଦେଶନାମାକୁ କାର୍ଯ୍ୟକାରୀ କରି ଅଦ୍ୟାବଧି ମହାକାଳପଡା ଓ ପଟ୍ଟାମୁଣ୍ଡାଇ ୨ଟି ବ୍ଲକରୁ ଏହି ପ୍ରସ୍ତାବ ଜିଲ୍ଲା କାର୍ଯ୍ୟାଳୟରେ ହସ୍ତଗତ ହେବା ସହ ସୋମବାର ମହାକାଳପଡା ବ୍ଲକର ଯଦୁପୁର ପଂଚାୟତରୁ ଏହି କାର୍ଯ୍ୟର ଶୁଭାରମ୍ଭ ହୋଇଛି । ମହାକାଳପଡା ବିଡିଓ,ବିଏସଏସଓ,ସ୍ଥାନୀୟ ସରପଂଚ,ପିଇଓ ପ୍ରମୁଖ ଉପସ୍ଥିତ ରହି ବ୍ଲକରେ ଥିବା ଆଧାର ଟିମକୁ ଯଦୁପୁର ପଂଚାୟତକୁ ନେଇ ଆଧାର ନଥିବା ବା ଭୁଲ ଥିବା ଏହି ବର୍ଗର ଭତ୍ତା ହିତାଧିକାରୀଙ୍କ ଆଧାର କରାଇଥିଲେ । ଜିଲ୍ଲା ଇ-ଗର୍ଭନାନ୍ସ ମ୍ୟାନେଜର ଜ୍ଞାନରଞ୍ଜନ ସେଠୀ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଏହାକୁ ତଦାରଖ କରିବା ସହ କିଭଳି ପ୍ରତି ପଂଚାୟତରେ ଓ ପ୍ରତି ବ୍ଲକରେ ଏହା ସୂଚାରୁ ରୂପେ ଓ ଶୀଘ୍ର ଆରମ୍ଭ କରାଯାଇପାରିବ ସେଥିପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ଯେଉଁ ଭତ୍ତା ହିତାଧିକାରୀମାନେ ସହଯୋଗ ନକରିବେ ସେମାନେ ଆସନ୍ତା ଜାନୁଆରୀମାସ ଠାରୁ ଭତ୍ତା ପାଇବାରୁ ବଂଚିତ ହେବେ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି । ବ୍ଲକ ଦ୍ୱାରା ସ୍ଥିରିକୃତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ସମସ୍ତେ ପୂର୍ଣ୍ଣ ପ୍ରାଣରେ ସହଯୋଗ କରି ସେମାନଙ୍କ ଆଧାର କରାଇନେବାକୁ ଶ୍ରୀ ଦାସ ନିବେଦନ କରିଛନ୍ତି ।