କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଦାବି
ଭଣ୍ଡାରିପୋଖରୀ ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଅରେଇକଣା ଛକ ଠାରୁ ହାଟଡିହୀକୁ ସଂଯୋଗ କରୁଥିବା ମୋରମ ମାଟିମିଶା ରାସ୍ତାକୁ କଂକ୍ରିଟ ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି । ଉକ୍ତ ରାସ୍ତାଟିର ଦୈର୍ଘ୍ୟ ପ୍ରାୟ ୩କିଲୋମିଟର ହୋଇଥିବାବେଳେ ଏହା ଦୀର୍ଘଦିନ ହେବ ପ୍ରଶାସନର ନଜର ଅଢୁଆଳରେ ରହିଯାଇଛି । ପାଟୁଳି ଠାରୁ ଜୋରାଗଡିଆ, ମୋବାରକପୁର, ଆଣ୍ଠୁଆପଦୀ, ବେଲମଳା, ଯୋକଗଡିଆ ଗ୍ରାମର ଲୋକେ ଏହି ବାଟଦେଇ ଭଣ୍ଡାରିପୋଖରୀ ବଜାରକୁ ଆସିଥାଆନ୍ତି । ଯାତାୟତ ପାଇଁ ଅନ୍ୟ ପ୍ରମୁଖ ରାସ୍ତା ଥିଲେ ସୁଦ୍ଧା ଏହିରାସ୍ତା ଦେଇ ଭଣ୍ଡାରିପୋଖରୀକୁ ନିକଟ ହେଉଥିବାରୁ ଲୋକମାନେ ସଦାସର୍ବଦା ଏହା ଉପରେ ନିର୍ଭର କରିଥାଆନ୍ତି । ଖରା ଆଠମାସ ରାସ୍ତାରେ ସବୁ ଠିକଠାକ ଚାଲିଥିବାବେଳେ ବର୍ଷା ହେଲେ ରାସ୍ତାର ଅବସ୍ଥା ଦୟନୀୟ ହୋଇଯାଏ । ଯଦିଓ ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତ ଜରିଆରେ ରାସ୍ତାର ରକ୍ଷାଣାବେକ୍ଷଣ ପାଇଁ ମୋରମ କାର୍ଯ୍ୟ ହୋଇଥାଏ ବର୍ଷାଦିନେ କିନ୍ତୁ ସେଗୁଡିକ କାଦୁଅରେ ପରିଣତ ହୋଇଯାଏ । ଯେଉଁଥି ପାଇଁ ଲୋକମାନେ ଯାତାୟତ କରିବା ସକାଶେ ଘୋର ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଏହାଛଡା ଜରୁରୀକାଳୀନ ପରିସ୍ଥିତି ବେଳେ ଦମକଳ, ପୁଲିସ କିମ୍ବା ୧୦୮ ଗାଡି ଚାହିଁଲେ ସୁଦ୍ଧା ଏହି ରାସ୍ତା ଦେଇ ଯାଇପାରନ୍ତି ନାହିଁ । ତେଣୁ ଗୁରୁତ୍ୱ ଦୃଷ୍ଟିରୁ ଏହାର କଂକ୍ରିଟ ନିର୍ମାଣ ଅପରିହାର୍ଯ୍ୟ ହୋଇପଡିଛି । ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଏହାକୁ ସାମିଲ କରି ପକ୍କା ରାସ୍ତା ନିର୍ମାଣ କରିପାରିଲେ ଅଞ୍ଚଳବାସୀ ଉପକୃତ ହୋଇପାରନ୍ତେ ବୋଲି ମତ ପ୍ରକାଶ ପାଇଛି । ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ସହିତ ଯୋଗାଯୋଗ କରାଯାଇଥିବାବେଳେ ରାସ୍ତାଟି ବ୍ଲକ ପ୍ରଶାସନ ଅଧିନରେ ଥିବା ସେ କହିଛନ୍ତି । ତେଣୁ ରାସ୍ତା ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ଆମକୁ ଦାୟିତ୍ୱ ହସ୍ତାନ୍ତର କଲେ ଏହା ଉପରେ ଦୃଷ୍ଟି ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


