ଡଃ.ଆରତୀ କରଙ୍କ ରଚିତ ପୁସ୍ତକ “ବାଣୀକଣ୍ଠ ନିମାଇଁ ଚରଣ” ଉନ୍ମୋଚିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ ଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରମଭକ୍ତ ଓ ଶ୍ରେଷ୍ଠ ସୁର ସାଧକ । ଓଡିଆ ଭାଷା ଓ ସାହିତ୍ୟକୁ ସଙ୍ଗୀତ ଜରିଆରେ ସେ ଯେପରି ବଳିଷ୍ଠ କରିଯାଇଛନ୍ତି ତାହାର ପଟାନ୍ତର ନାହିଁ । କେନ୍ଦ୍ରାପଡା ମାଟିକୁ ଧନ୍ୟ କରିଥିବା ଏହି ଓଡିଶାର ବରପୁତ୍ର ଙ୍କ ବିଶାଳତା ସମ୍ପର୍କରେ ଆଲୋଚନା କରିବା ଧୃଷ୍ଟତା ହେବ । ତେବେ ବାଣୀକଣ୍ଠଙ୍କ ଜୀବନାଦର୍ଶ ଓ କାଳଜୟୀ ସଙ୍ଗୀତ ଯେ ଯୁଗେ ଯୁଗେ ଆଗାମୀ ପିଢୀଙ୍କୁ ଉଦବୁଦ୍ଧ କରିବ ଏଥିରେ ସନ୍ଦେହର ଅବକାଶ ନାହିଁ ବୋଲି ତାଙ୍କ ଉପରେ ଲିଖିତ ପୁସ୍ତକର ସଂକ୍ଷିପ୍ତ ଉନ୍ମୋଚନ ଉତ୍ସବରେ ଯୋଗଦେଇ ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି । ଏହି ଉପଲକ୍ଷେ କେନ୍ଦ୍ରାପଡା ସହରର ଗୋକୁଳଚନ୍ଦ୍ର ସଙ୍ଗୀତ ସଦନ ପରିସରରେ ଓଡିଶା ଏକ୍ସପ୍ରେସର କାର୍ଯ୍ୟନିର୍ବାହୀ ସମ୍ପାଦକ ଅମ୍ବିକା ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାରସ୍ୱତ ସମାରୋହରେ ଓଡିଶା ପୂଜ୍ୟପୂଜାର ସଭାପତି ବିରଜା ପ୍ରସାଦ ଶତପଥୀ, ସମ୍ପାଦକ ରମାକାନ୍ତ ମିଶ୍ର, ସୁସାହିତ୍ୟିକା ମାନସୀ ଦାସ, ଡଃ.ବାସୁଦେବ ଦାସ ଓ ଡା.ବିଶ୍ୱପ୍ରକାଶ କାନୁନଗୋ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଡଃ. ଆରତୀ କରଙ୍କ ଦ୍ୱାରା ରଚିତ ପୁସ୍ତକ “ବାଣୀକଣ୍ଠ ନିମାଇଁ ଚରଣ”କୁ ମୁଖ୍ୟ ଅତିଥି ମାନସୀ ଦାସଙ୍କ ସମେତ ଅନ୍ୟ ଅତିଥିମାନେ ଉନ୍ମୋଚନ କରିଥିଲେ । ବାଣୀକଣ୍ଠଙ୍କ ନାତି ସୁରଜିତ ମର୍ଦ୍ଦରାଜ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ସଙ୍ଗୀତ ସଦନର ସମ୍ପାଦକ ବୈକୁଣ୍ଠନାଥ ନାୟକ, ସାମ୍ବାଦିକ ଗଣେଶ ଚନ୍ଦ୍ର ସାମଲଙ୍କ ସମେତ ସହରର ବହୁ ବୁଦ୍ଧିଜୀବି, ସାହିତ୍ୟିକଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ପ୍ରଥମେ ବାଣୀକଣ୍ଠଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ