‘ଦିଲ୍ଲୀ ଚଲୋ’ ଆନ୍ଦୋଳନକୁ ସମର୍ଥନ ଜଣାଇ ଓଡ଼ିଶାରେ ନବନିର୍ମାଣ କୃଷକ ସଂଗଠନର ମଶାଲ ଶୋଭାଯାତ୍ରା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍କୁ ବିରୋଧ କରି ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ସପ୍ତମ ଦିନରେ ପହଞ୍ଚଥିଲା ବେଳେ ଏହାକୁ ସମର୍ଥନ ଜଣାଇ ରାଜ୍ୟର ପ୍ରମୁଖ କୃଷକ ସଂଗଠନ ନବନିର୍ମାଣ କୃଷକ ସଂଗଠନ ତରଫରୁ ଲଗାତର କାର୍ଯ୍ୟକ୍ରମ ଜାରି ରହିଛି । ଆଜି ଆନ୍ଦୋଳନ ତୃତୀୟ ଦିନରେ ସଂଗଠନ ତରଫରୁ ମଶାଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଶୋଭଯାତ୍ରାକାରୀମାନେ ମାଷ୍ଟର କ୍ୟାଣ୍ଟିନରୁ ରାମମନ୍ଦିର ଅଭିମୁଖେ ମଶାଲ ଶୋଭାଯାତ୍ରାରେ ଯାଇଥିଲେ । ତୁରନ୍ତ କଳା କୃଷି ଆଇନ୍ ପ୍ରତ୍ୟାହାର ଆମର ଦାବୀ, ଚାଷୀଙ୍କ ଦ୍ୱିଗୁଣ ଆୟ କୁଆଡ଼େ ଗଲା ଜବାବ ଦିଅ, ସ୍ୱାମୀନାଥନ୍ କମିଶନ ସୁପାରିଶ ନାମରେ ଚାଷୀଙ୍କୁ କାହିଁକି ଠକିଲ ଜବାବ ଦିଅ, ମିଥ୍ୟାବାଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁର୍ଦ୍ଦାବାଦ, ମନୋହରଲାଲ ଖଟ୍ଟର, ଭି.କେ. ସିଂ ମୁର୍ଦ୍ଦାବାଦ ଧ୍ୱନିରେ ଶୋଭାଯାତ୍ରାକାରୀମାନେ ରାଜରାସ୍ତା ପ୍ରକମ୍ପିତ କରିଥିଲେ । ଆନ୍ଦୋଳନକାରୀଙ୍କୁ ସମ୍ବୋଧନ କରି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଲେ ଯେ, ଏ ମଶାଲ ହେଉଛି ଚାଷୀ ଚେତନାର ପ୍ରତୀକ । ଚାଷୀମାନଙ୍କୁ ଆନ୍ଦୋଳନକାରୀମାନେ ଭ୍ରମିତ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଓ ଏନ୍ଡ଼ିଏ ସରକାରର ବଡ଼ପଣ୍ଡାମାନେ ଯେଉଁ ପ୍ରଚାର ଚଳାଉଛନ୍ତି, ତାକୁ ପ୍ରତିହତ କରିବା ପାଇଁ ଓ କେନ୍ଦ୍ର ସରକାରଙ୍କୁ ଚାପଗ୍ରସ୍ତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଅଭିପ୍ରେତ । କେନ୍ଦ୍ର ସରକାର ଯେପର୍ଯ୍ୟନ୍ତ କୃଷି ଆଇନ୍ ପ୍ରତ୍ୟାହାର କରିନାହାଁନ୍ତି, ସେପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ଓ ଓଡ଼ିଶାରେ ୫ ତାରିଖରେ ବହୁ ସଂଖ୍ୟାରେ ଚାଷୀ ସର୍ବଭାରତୀୟ ଆନ୍ଦୋଳନରେ ସାମିଲ ହେବେ । ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଓଡ଼ିଶାରେ ଚାଷୀମାନେ ଏହି ଆନ୍ଦୋଳନରେ ବ୍ୟାପକ ଭାବରେ ସାମିଲ ହୋଇ ପ୍ରମାଣିତ କରିବେ ଯେ, ରାଜନୈତିକ ଦଳର ସମର୍ଥନ ନୁହେଁ, ବରଂ ଚାଷୀମାନେ ନିଜ ଲଢେଇ ନିଜେ ଲଢି ସରକାରଙ୍କୁ ଚାପଗ୍ରସ୍ତ କରିପାରନ୍ତି । ଆଜିର ମଶାଲ ଶୋଭାଯାତ୍ରାରେ ରେଭେନ୍ସାର ପୂର୍ବତନ ସଭାପତି ତପନ ମିଶ୍ର, ବିଶିଷ୍ଟ ଗାନ୍ଧିବାଦୀ କର୍ମୀ ରାଜନାରାୟଣ ଜେନା, ଯାଜପୁର ଜିଲ୍ଲା ସଂଯୋଜକ ଦୁର୍ଗା ଦାସ, ରାଜ୍ୟ କମିଟି ସଭ୍ୟ ମଧୁମିତା ସାମଲ, ଶୁଭେନ୍ଦୁ ମଲ୍ଲିକ, ସଂଗ୍ରାମ କିଶୋର, ଯୁବଛାତ୍ର ରାଜ୍ୟ ସଂଗଠନର ରାଜ୍ୟ ସଂଯୋଜକ ମନୱାର ଅଲ୍ଲୀ, ଦୀନବନ୍ଧୁ ଷଡ଼ଙ୍ଗୀ ପ୍ରମୁଖ ସାମିଲ୍ ଥିଲେ ।


