ଅଯଥା ପୋଲିସ ହଇରାଣର ପ୍ରତିବାଦରେ ଅନିର୍ଦ୍ଧିଷ୍ଠ କାଳ ପାଇଁ ରାମଗିରିରେ ଟ୍ରାକ୍ଟର ଚଳାଚଳ ବନ୍ଦ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ରାମଗିରି ସ୍ଥିତ ମାଁ କୁରେଇଶୁଣୀ ଟ୍ରାକ୍ଟର ସଂଘ ଏବଂ ଆଖପାଖ ଅଞ୍ଚଳ ଟ୍ରାକ୍ଟର ମାଲିକ ଚାଳକ ମାନେ ଅନିର୍ଦ୍ଧିଷ୍ଠ କାଳ ପାଇଁ ଟ୍ରାକ୍ଟର ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଏକ ଧାରଣା ସଭା ସ୍ଥାନୀୟ ହାଇସ୍କୁଲ ପଡିଆ ଠାରେ ହୋଇଥିଲା । ଏଥିରେ ସଂଘର କର୍ମକର୍ତ୍ତା ଏବଂ କର୍ମଚାରୀମାନେ ଉପସ୍ଥିତ ରହି ଅଯଥା ପୋଲିସ ହଇରାଣ ହରକତ କରୁଥିବାକୁ ନେଇ ଚର୍ଚ୍ଚା ହୋଇଥିଲା । ସେମାନେ ଜଣାଇଛନ୍ତି ଯେ ଆମ୍ଭେ ଛୋଟ ଛୋଟ ମାଲିକ ଏଥିରେ ଆମ୍ଭ ପରିବାର ପ୍ରତିପୋଷଣ ଠାରୁ ଆରମ୍ଭ କରି ସବୁ ଭଲମନ୍ଦ ନିମନ୍ତେ ଅର୍ଥ ଅର୍ଜନ କରୁଛୁ । ବାଲି କିମ୍ବା ଅନ୍ୟ ସାମଗ୍ରୀ ପରିବହନ କଲେହିଁ କିଛି ଅର୍ଥ ଉପାର୍ଜନ କରୁଛୁ । ବିଶେଷ କରି ବାଲି ନେବାବେଳେ ପୋଲିସ ଗାଡି ଯାଞ୍ଚ କରି କୋର୍ଟ ଚାଲାଣ କରୁଥିବାବେଳେ ରାଜସ୍ୱ ଅଧିକାରୀମାନେ ଫାଇନ ଆଦାୟ କରୁଛନ୍ତି । ସେପଟେ କୋର୍ଟ ଚାଲାଣ କରିଦେଉଥିବାରୁ ଅଯଥା ଖର୍ଚ୍ଚାନ୍ତ ହୋଇ ଆର୍ଥିକ ସମସ୍ୟା ସୃଷ୍ଟି ହେଉଛି । ଏହାର ସମାଧାନ କରିବା ପର୍ଯ୍ୟନ୍ତ ଆମ୍ଭେ ଗାଡି ଚଳାଇବୁ ନାହିଁ ବୋଲି ଜଣାଇବା ସହ ଶତାଧିକ ଟ୍ରାକ୍ଟରକୁ ଏକ ପଡିଆରେ ରଖିଦେଇଛନ୍ତି । ଆସନ୍ତା କାଲି ତଥା ବୁଧବାର ଦିନ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଏବଂ ଆର୍.ଉଦୟଗରି ତହସିଲଦାରଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଜଣାଇଛନ୍ତି । ଏହି ଧାରଣାରେ ମାଁ କୁରେଇଶୁଣୀ ଟ୍ରାକ୍ଟର ସଂଘ ସଭାପତି ନିରଞ୍ଜନ ଗୌଡ, ଉପସଭାପତି ଶରତ ଚନ୍ଦ୍ର ବଡମୁଣ୍ଡି, ସମ୍ପାଦକ ନୟନ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ବେହେର୍ଦ୍ଦଳାଇ, କୋଷାଧ୍ୟକ୍ଷ ନାରାୟଣ ପ୍ରଧାନ, ଉପଦେଷ୍ଠା ଉମେଶ ଚନ୍ଦ୍ର ତ୍ରିପାଠୀ, ସହଦେବ ପାତ୍ର, ସହଦେବ ପ୍ରଧାନ ଏବଂ କମିଟି ସଦସ୍ୟ ମାନଙ୍କ ପ୍ରମୁଖଙ୍କ ସହ ଆଖପାଖ ଅଞ୍ଚଳ ବହୁ ଟ୍ରାକ୍ଟର ମାଲିକ ବା ଚାଳକ ମାନେ ଉପସ୍ଥିତଥିଲେ ।