ଜରାଜିର୍ଣ୍ଣ ଅବସ୍ଥାରେ ବନ୍ଦର ବାସଗୃହ
ପାରାଦୀପ,(ପୀତବାସ ପ୍ରଧାନ): ଆନ୍ତର୍ଯ୍ୟାତିକ ବନ୍ଦ ପାରାଦୀପ ପଣ୍ୟ କାରବାରରେ ଦେଶରେ ବୃହତ ବନ୍ଦର ମଧ୍ୟରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଅଧ୍ୟକ୍ଷ ରିଙ୍କେଶ ରଏ ଙ୍କ ନେତୃତ୍ୱ ଓ ଦକ୍ଷ ପରିଚାଳନା ପାଇଁ ଏହା ପ୍ରଥମ ବନ୍ଦର ଦିଗକୁ ଅଗ୍ରସର ହେଉଛି । ବନ୍ଦର ତଥା ସହରର ସୌନ୍ଦର୍ଯ୍ୟ କରଣ ସମେତ ବନ୍ଦରର ଦକ୍ଷ ଅଧିକାରୀ ମାନଙ୍କ ସୁପରିଚାଳନା ପାଇଁ ବିଭିନ୍ନ ବିଭାଗ ତାର କାର୍ଯ୍ୟ ସଠିକ ରୂପେ କରିଚାଲିଛି । ତେବେ ବନ୍ଦର ଗୃହ ବିଭାଗ ଓ ଏହାର ଅଧିକାରୀଙ୍କ ଅପାରଗତା ପାଇଁ ବନ୍ଦରର ବାସଗୃହ ଗୁଡିକ ଜରାଜିର୍ଣ୍ଣ ଅବସ୍ଥାକୁ ଗତି କଲାଣି । ସୂଚନା ଥାଉକି, ବନ୍ଦର ପକ୍ଷରୁ ନିର୍ମିତ ବାସଗୃହ ଗୁଡିକରେ ବନ୍ଦର ଅଧିକାରୀ, କର୍ମଚାରୀଙ୍କ ସମେତ ବନ୍ଦର ବ୍ୟବହାରକାରୀ ଓ ବିଭିନ୍ନ ସଂସ୍ଥାର କର୍ମଚାରୀମାନେ ବସବାସ କରୁଛନ୍ତି । କିନ୍ତୁ ଦୀର୍ଘ ଦିନ ହେବ ଏଗୁଡିକରେ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଜରାଜିର୍ଣ୍ଣ ଅବସ୍ଥାକୁ ଆସି ଗଲାଣି । ଘରର କାନ୍ଥ, ଛାତ, କବାଟ, ଝରକା ଭାଙ୍ଗି ଯିବା ସହିତ ଏହାର ମଶା ଜାଲ ସବୁ ଛିଡି ଯାଇ ଘରେ ବିଶାକ୍ତ ଜନ୍ତୁ ପଶି ଯାଉଥିବାର ସୂଚନା ମିଳୁଛି । ଦୀର୍ଘ ଦିନ ଧରି ଅଧିବାସୀମାନେ ଏପରିକି ବନ୍ଦର କର୍ମଚାରୀ ବା ଅଧିକାରୀ ଅଭିଯୋଗ କଲେ ବି ବନ୍ଦର ଗୃହ ବିଭାଗ ଏହାକୁ କର୍ଣ୍ଣପାତ ନ କରି କୁମ୍ଭକର୍ଣ୍ଣ ନିଦ୍ରାରେ ଅଛନ୍ତି । ଯଦିଓ ବନ୍ଦର ପ୍ରଶାସନ ଏ ଦିଗରେ ଯଥେଷ୍ଟ ପରିମାଣର ଅର୍ଥ ବିନିଯୋଗ କରୁଛି କିନ୍ତୁ ବିଭାଗର ଅପାରଗ ଅଧିକାରୀ ମାନଙ୍କ ପାଇଁ ଏସବୁ ବାସଗୃହର ମରାମତି ହୋଇ ପାରୁନଥିବା ଶୁଣିବାକୁ ମିଳୁଛି । ଅପର ପକ୍ଷରେ ସଂଯୁକ୍ତ ବିଭାଗର ଅସାଧୁ ଅଧିକାରୀମାନେ ଠିକାଦାରଙ୍କ ସହ ମିଶି ଅସାଧୁ ଉପାୟରେ ବହୁ ପରିମାଣର ଅର୍ଥ ହରିଲୁଟ କରୁଥିବା ସାଧାରଣରେ ଆଲୋଚନା ହେଉଛି । ତେଣୁ ବନ୍ଦର ଅଧ୍ୟକ୍ଷ ଏହାକୁ ସମୀକ୍ଷା କରି ତୁରନ୍ତ ପଦକ୍ଷେପ ନେବାକୁ ବୁଦ୍ଧିଜିବୀ ମହଲରେ ଦାବୀ ହେଉଛି ।


