ଲୁହାରା ଗ୍ରାମରେ ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ୟୁନିଅନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ୱାରା ଗୁମ୍ମା ବ୍ଲକ ଅଜୟଗଡି ଗ୍ରାମ ପଞ୍ଚାୟତର ଲୁହାରା ଗ୍ରାମରେ ଛତୁ ଚାଷ ତାଲିମ କାର୍ଯ୍ୟକ୍ରମର ଉଦ୍ଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସେରଙ୍ଗ ସ୍ଥିତ ଜନ କଲ୍ୟାଣ ପ୍ରତିଷ୍ଠାନ ସଂସ୍ଥା ସହାୟତରେ ଅଜୟଗଡ ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ମୋଟ ୩୦ ଜଣ ଛତୁ ଚାଷ ତାଲିମ ନିମନ୍ତେ ଭାଗ ନେଇଛନ୍ତି । ଏହି ଛତୁ ଚାଷ ୧୦ଦିନ ଧରି ଚାଲିବ । ଏଥି ନିମନ୍ତେ ହୋଇଥିବା ଉଦ୍ଘାଟନ ସଭାରେ ଅନୁଷ୍ଠାନର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ବ୍ରହ୍ମା ସଭାପତିତ୍ୱ କରି ପ୍ରତିଭାଗୀ ମାନଙ୍କୁ ଭାରତ ସରକାରଙ୍କ ଜନ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁସାରେ କୋଭିଡ୍-୧୯ ପ୍ରତିଷେଧକ ନିମନ୍ତେ ଶପଥ ପାଠ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଜପତି ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ କିଶୋର ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିବାବେଲେ ସମ୍ମାନିତ ଅତିଥିଭାବେ ଜନ କଲ୍ୟାଣ ପ୍ରତିଷ୍ଠାନର ଟିମ ଲିଡର ବ୍ୟୁଟି ଲିମା ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରଶିକ୍ଷଣ ଅନୁଷ୍ଠାନର ପ୍ରଧ୍ୟାପକ ଦିଲ୍ଲୀପ କୁମାର ତନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।


