ପ୍ଲାଷ୍ଟିକ୍ ଦେଲେ ମିଳୁଛି ମାଗଣା ଖାଦ୍ୟ
ଅମ୍ବିକାପୁର: ବ୍ୟବହୃତ ପ୍ଲାଷ୍ଟିକ୍ ବଦଳରେ ମାଗଣାରେ ଖାଦ୍ୟ! ଏପରି ଆକର୍ଷଣୀୟ ଅଫର୍ କିଏ ଦେଉଥିବାର ଜାଣିଛନ୍ତି କି? ଛତିଶଗଡ଼ର ଏକ କ୍ୟାଫେରେ ଗ୍ରାହକଙ୍କୁ ଏପରି ଆକର୍ଷଣୀୟ ଅଫର୍ ଦିଆଯାଇଛି । ଗ୍ରାହକମାନେ ବ୍ୟବହୃତ ପ୍ଲାଷ୍ଟିକ୍ ଦେଇ ତାଙ୍କ କ୍ୟାଫେରୁ ମାଗଣାରେ ଖାଦ୍ୟ ଖାଇପାରିବେ ବୋଲି କୁହାଯାଇଛି । ଛତିଶଗଡ଼ର ରାଜଧାନୀ ରାୟପୁରରୁ ୩୦୦ କିଲୋମିଟର ଦୂରରେ ଥିବା ଅମ୍ବିକାପୁରରେ ଥିବା ଏକ କ୍ୟାଫେରେ ଏପରି ଆକର୍ଷଣୀୟ ଅଫର୍ ଦିଆଯାଇଛି । ଅମ୍ବିକାପୁରକୁ ପ୍ଲାଷ୍ଟିକ୍ ବିହୀନ କରିବା ପାଇଁ ଅକ୍ଟୋବର ୨ (ଗାନ୍ଧୀ ଜୟନ୍ତୀ) ପୂର୍ବରୁ ନୂଆ କରି ଖୋଲିବାକୁ ଯାଉଥିବା ଏହି ରେଷ୍ଟୁରାଣ୍ଟ୍ଟି ସ୍ଥାନୀୟ ପ୍ରଶାସନର ସମର୍ଥନରେ ଏପରି ପଦକ୍ଷେପ ନେଇଛି । ପ୍ରତ୍ୟେକ ୫୦୦ ଗ୍ରାମ୍ର ପ୍ଲାଷ୍ଟିକ୍ ପାଇଁ ଗ୍ରାହକଙ୍କୁ ୪୦ରୁ ୬୦ ଟଙ୍କାର ଏକ ଟୋକନ୍ ପ୍ରଦାନ କରାଯାଉଛି । ସେହି ଟୋକନ୍ଟି ଦେଖାଇ ଉକ୍ତ କ୍ୟାଫେରୁ ମାସେ ଭିତରେ କେଉଁ ବି ଦିନ ଖାଦ୍ୟ ଖାଇପାରିବେ ଗ୍ରାହକ । ସକାଳ ଜଳଖିଆ ଓ ମିଲ୍ (ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ) ପାଇଁ ଭିନ୍ନ ଟୋକନ ପ୍ରଦାନ କରାଯାଉଛି । ସକାଳ ଜଳଖିଆ ପାଇଁ ଉପଲବ୍ଧ ଟୋକନ୍ର ମୂଲ୍ୟ ୪୦ ଥିବାବେଳେ ମିଲ୍ ପାଇଁ ଥିବା ଟୋକନ୍ର ମୂଲ୍ୟ ୬୦ ଟଙ୍କା ।


