ଆଇନ ସଚେତନତା କର୍ମଶାଳା ଉଦଘାଟିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ରିସର୍ଚ୍ଚ ଓ ତାଲିମ ସଂସ୍ଥାଙ୍କ ସହଯୋଗରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଦ୍ୱାରା ଏକ ତିନି ଦିନିଆ ଆଇନ ସଚେତନତା କର୍ମଶାଳାକୁ ମଙ୍ଗଳବାର ପ୍ରକଳ୍ପ ପ୍ରଶାସକ ବିରେନ୍ଦ୍ର କୁମାର ଦାସ ଉଦଘାଟନ କରିଛନ୍ତି। ପ୍ରଥମ ଦିନ ନାଗରିକ ଅଧିକାର ସୁରକ୍ଷା ଅଇନ, ଅନୁସୂଚିତ ଜାତି ଓ ଜନଜାତି ନିର୍ଯ୍ୟାତନା ନିବାରଣ ଆଇନ, ଓଡ଼ିଶା ଡାହାଣୀ ହତ୍ୟା ନିବାରଣ ଆଇନ, ୨୦୧୪ ଏବଂ ଏହି ଆଇନ ଗୁଡ଼ିକର ସଫଳ କାର୍ଯ୍ୟକାରୀତା ପାଇଁ ପଞ୍ଚାୟତିରାଜ ସଦସ୍ୟ ସଦସ୍ୟା, ସ୍ୱେଚ୍ଛାସେବୀ ସଂଗଠନର ଭୂମିକା ଉପରେ ଆଲୋଚନା କରାଯାଇଥିଲା। ଆଲୋଚନା ରେ ଭାଗନେଇ ସ୍ୱତନ୍ତ୍ର ସରକାରୀ ଅଭିଯୋଜକ ବିଜୟ କୃଷ୍ଣ ପଟ୍ଟନାୟକ କହିଲେ ଯେ, ଆଜିର ଆଲୋଚନାର ବିଷୟବସ୍ତୁ କନ୍ଧମାଳ ଭଳି ଏକ ଅଦିବାସୀ ବହୁଳ ଜିଲ୍ଲା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାର ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସ୍ୱତନ୍ତ୍ର ଯୋଜନା ମାନ ମଧ୍ୟ ରଖିଛନ୍ତି। ନାଗରିକ ଅଧିକାର ସୁରକ୍ଷା ଆଇନ, ୧୯୫୫ ବଳରେ ଜାତିଆଣ ଉଚ୍ଛେଦ କରାଗଲା। ତଥାପି ଆଇନର ମୂଳ ଲକ୍ଷ୍ୟ ପୂରଣ ହୋଇ ପାରିଲା ନାହିଁ। ଫଳରେ ଅନୁସୂଚିତ ଜାତି ଓ ଜନଜାତି ନିର୍ଯ୍ୟାତନା ନିବାରଣ ଆଇନ ଲାଗୁ କରାଗଲା। ଏହି ଆଇନ ଅନୁସାରେ ସେମାନଙ୍କୁ ଶାରିରୀକ, ମାନସିକ ତଥା ସାମାଜିକ ସ୍ତରରେ ନିର୍ଯ୍ୟାତନା ଦିଆଯାଇପାରିବ ନାହିଁ। ନିର୍ଯ୍ୟାତନା ଦେଉଥିବା ଲୋକ ପାଇଁ ପୂର୍ବାପେକ୍ଷା କଠୋର ଦଣ୍ଡ ବ୍ୟବସ୍ଥା ରଖାଗଲା। ସେହିପରି ଡାହାଣୀ ହତ୍ୟା ବିପଦକୁ ନିୟନ୍ତ୍ରଣ କରିବା ପାଇଁ ଫଳପ୍ରଦ ବ୍ୟବସ୍ଥିତ ଏକ ଆଇନ ଓ ରାଜ୍ୟରେ ଗୁଣିଗାରେଡ଼ି/ଡାହାଣୀ ବିଦ୍ୟା ନିବାରଣ ଏବଂ ତାହା ସହିତ ସଂପୃକ୍ତ ବା ତାହାର ଆନୁସଙ୍ଗୀକ ବିଷୟ ଗୁଡ଼ିକ ନିବାରଣ ନିମନ୍ତେ ଲାଗୁ ହୋଇଥିବା ଓଡ଼ିଶା ଡାହାଣୀ ହତ୍ୟା ନିବାରଣ ଆଇନ, ୨୦୧୪ ଉପରେ ମଧ୍ୟ ଶ୍ରୀ ପଟ୍ଟନାୟକ ଆଲୋଚନା କରିଥିଲେ। ଏହି ଆଇନରେ ଉଲ୍ଲେଖ ଅଛି ଯେ, କୌଣସି ଲୋକ ଡାହାଣୀ ହତ୍ୟା କରିବେ ନାହିଁ ବା ଅନ୍ୟର କ୍ଷତି କିମ୍ବା ଆଘାତ କରିବାକୁ ଡାହାଣୀ ବା ଗୁଣିଗାରେଡ଼ି ବିଦ୍ୟା ଶିଖିବେ ନାହିଁ ବା ଅଭ୍ୟାସ କରିବେ ନାହିଁ। ଡାହାଣୀ ହତ୍ୟା ପାଇଁ ଦଣ୍ଡ, ଡାହାଣୀ ବିଦ୍ୟା ବା ଶବରୀ ବିଦ୍ୟା ପାଇଁ ଦଣ୍ଡ, ଗୁଣିଆ ମାନଙ୍କ ପାଇଁ ଦଣ୍ଡ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଉକ୍ତ କର୍ମଶାଳାରେ, ଜିଲ୍ଲା ପଞ୍ଚାୟତ ଅଧିକାରୀ କିଶୋର ଚନ୍ଦ୍ର ପାଢ଼ୀ, ସ୍ୱାତୀର ସମ୍ପାଦକ ହରିଶଙ୍କର ରାଉତଙ୍କ ସମେତ ଜିଲ୍ଲା ସ୍ତରୀୟ ପଦାଧିକାରୀ, ଫୁଲବାଣୀ, ଫିରିଙ୍ଗିଆ ଓ ଖଜୁରୀପଡ଼ା ବ୍ଲକ ର ସରକାରୀ ପଦାଧିକାରୀ, ନିର୍ବାଚିତ ପ୍ରତିନିଧି, ସ୍ୱେଚ୍ଛାସେବୀ ଅନୁଷ୍ଠାନର ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ। ବୈଦ୍ୟନାଥ ଖଟୁଆ ଏବଂ ଶ୍ରମତୀ ଶୁଭଶ୍ରୀ ମହାନ୍ତି ଏହି କର୍ମଶାଳାକୁ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ