ତମନ୍ନା ଯାହା ଖୋଜୁଥିଲେ..
କଥାରେ ଅଛି ଏ ମନ ଚାହୁଁଥାଏ ଯାହା କାଳେ ପ୍ରାପତ ହୁଏ ତାହା । ଓଡ଼ିଆ ସିନେମାର ଗ୍ଲାମର କୁଇନ୍ ଭାବରେ ପରିଚିତା ତମନ୍ନା ୟା ଭିତରେ ବେଶ୍ କେତୋଟି ଚଳଚ୍ଚିତ୍ରରେ ଅଭିନୟ କରିସାରିଲେଣି । ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ “ଭାଇନା କ’ଣ କଲା ସେ’ରେ ସଂଯୋଜିତ “ଚାଲ କରିବା ଠିଆପାଲା’ ଗୀତଟି ତାଙ୍କୁ ଦର୍ଶକଙ୍କ ନିକଟରେ ଆହୁରି ପରିଚିତ କରାଇପାରିଥିଲା । ନିର୍ମାଣାଧୀନ ଓଡ଼ିଆ ସିନେମା “ସୁପରବୟ’ରେ ତାଙ୍କୁ ମିଳିଛି ମନଲାଖି ଭୂମିକା । ଏ ସମ୍ପର୍କରେ ତମନ୍ନା କହନ୍ତି, ଏଥିରେ ମୋ ଭୂମିକାଟି ହେଲା ତାନିୟା । ସେ ଜଣେ ସୁଇଟ୍ ଆଉ ଇନୋସେଣ୍ଟ ଗର୍ଲ । ନିଜ ମନର ମଣିଷକୁ ଖୋଜୁ ଖୋଜୁ ସେ ପ୍ରେମ୍ ନାମକ ଜଣେ ଯୁବକ ସଂସ୍ପର୍ଶରେ ଆସିଛି ଯିଏ ସୁପର ପାୱାରର ଅଧିକାରୀ । ହେଲେ ସେହି ପାୱାରଟି କ’ଣ ତାହା ସିନେମା ଦେଖିଲେ ହିଁ ଜାଣିପାରିବେ । ଏହି ଫିଲ୍ମରେ ମୋତେ ମିଳିଥିବା ଭୂମିକାରେ ଏପରି ମସଲା ରହିଛି ଯାହା ଦର୍ଶକଙ୍କୁ ଫୁଲ୍ ଏଣ୍ଟରଟେମେଣ୍ଟ କରିବ ।’ “ସୁପରବୟ’ର ଟାଇଟଲ ଭୂମିକାରେ ଅଛନ୍ତି ଜ୍ୟୋତି ନାୟକ । ଖାସ୍ କଥା ହେଲା ଏହି ଫିଲ୍ମରେ ଶୁଭାଶିଷ ଶର୍ମା (ମଣ୍ଟୁ) ନେଗେଟିଭ ରୋଲରେ ଅଭିନୟ କରୁଛନ୍ତି । ସାଇ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏହାର ପ୍ରଯୋଜନା କରିଛନ୍ତି ଦକ୍ଷିଣ ଭାରତୀୟ ପ୍ରଯୋଜକ କେ. ଆନୀଷ । ଅପରପକ୍ଷରେ ଏହି ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ସେ ଦେଉଛନ୍ତି । ଚଳଚ୍ଚିତ୍ରର ସଂଳାପ ଲେଖିଛନ୍ତି ଡ. ଦୀପକ ଜେନା । ଗୀତଗୁଡ଼ିକୁ ସ୍ୱର ଦେଇଛନ୍ତି ବୈଦ୍ୟନାଥ ଦାଶ ।


