ଦଶହରା ଲଢ଼େଇ

ଏଥର ଦଶହରା ବଜାରରେ ଦୁଇଟି ସିନେମା-“ମିଷ୍ଟର ମଜ୍ନୁ’ ଏବଂ “ଦିସ୍ ଇଜ୍ ମାୟାରେ ବାୟା’ ରିଲିଜ୍ ହେବାକୁ ଯାଉଛି । ଅର୍ଥାତ୍ ଚଳିତବର୍ଷ ଏହି ଦୁଇ ସିନେମା ଦଶହରା ଲଢ଼େଇରେ ସାମିଲ ହୋଇଛନ୍ତି । ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନର ତଥା ଜାଗୀ ମଙ୍ଗତ ପଣ୍ଡାଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଛି “ମିଷ୍ଟର ମଜ୍ନୁ’ ଫିଲ୍ମଟି ଚଳିତ ମାସ ୪ରେ ପରଦା ଉପରକୁ ଆସୁଛି । ଫିଲ୍ମର ନିର୍ଦ୍ଦେଶନା ଭାର ଅଶୋକ ପତି ସମ୍ଭାଳିଥିବା ବେଳେ ଟାଇଟଲ ଭୂମିକାରେ ଅଭିନୟ କରିଛନ୍ତି ବାବୁସାନ୍ । ଏହା ପୂର୍ବରୁ ଅବଶ୍ୟ ଅଶୋକ-ବାବୁସାନ୍ ଯୋଡ଼ିକୁ ନେଇ ନିର୍ମିତ କେତେକ ଫିଲ୍ମ ଦର୍ଶକଙ୍କ ମନ ଜିଣିବାରେ ସକ୍ଷମ ହୋଇଛି । ତାଙ୍କ ଅପୋଜିଟ୍ରେ ଅଛନ୍ତି ତିନିଜଣ ନାୟିକା-ଶୀତଲ, ଦିବ୍ୟା ଏବଂ ସୂର୍ଯ୍ୟମୟୀ । ଅଭିଜିତ୍ ମଜୁମ୍ଦାରଙ୍କ ସ୍ୱର ସଂଯୋଜନାରେ ସଂଯୋଜିତ ଗୀତଗୁଡ଼ିକ ମଧ୍ୟରୁ “ଉଠିଗଲା ଧାରା ୩୭୦’ ଭାଇରାଲ ହୋଇସାରିଲାଣି । ଅନ୍ୟପକ୍ଷରେ ସିଦ୍ଧାର୍ଥ ମ୍ୟୁଜିକ୍ ବ୍ୟାନରରେ ପ୍ରସ୍ତୁତ ହୋଇଛି “ଦିସ୍ ଇଜ୍ ମାୟାରେ ବାୟା’ । ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ଏହି ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି । ଡ. ନିର୍ମଳ ନାୟକ ଗୀତ ଏବଂ ସଂଳାପ ରଚନା କରିଥିବା ବେଳେ ଗୀତଗୁଡ଼ିକୁ ସ୍ୱର ଦେଇଛନ୍ତି ବୈଦ୍ୟନାଥ ଦାଶ । ଏହି ଚିତ୍ରର “ଆଜିଠାରୁ ତୁ ମୋର, ତୁ ହୋଇଯା ଗୋଟେ ସ୍ମାର୍ଟ ଫୋନ୍ ଏବଂ ଫାଷ୍ଟ ଟାଇମ୍ କାହିଁ ଫିଲ୍ ହେଲା’ ଗୀତ ଚର୍ଚ୍ଚାରେ ରହିଛି । ଏହାର ମେଲ୍ ଲିଡରେ ସ୍ୱରାଜ ଅଭିନୟ କରିଥିବା ବେଳେ ତାଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ୍ ଶେୟାର କରିଛନ୍ତି ଏଲିନା ସାମନ୍ତରାୟ । ଅନ୍ୟପକ୍ଷରେ ସିଦ୍ଧାନ୍ତ ମହାପାତ୍ର ଏବଂ ଝିଲିକଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ତେବେ ଏଥର ଦଶହରା ବଜାରରେ କେଉଁ ଫିଲ୍ମ ବାଜି ମାରୁଛି, ତାହା ରିଲିଜ୍ ପରେ ହିଁ ଜଣାପଡ଼ିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ