ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ହସ୍ତକ୍ଷେନ କଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର,: ଦେଶରେ ବଢି ବଢି ଚାଲିଥିବା ଭିଡ଼ ହିଂସା ରୋକିବା ଏବଂ ଭାରତର ସାଂସ୍କୃତିକ ବିବିଧତାର ଭାବଧାରାକୁ ବଜାୟ ରଖିବା ପାଇଁ ଦେଶର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଗତ ଜୁଲଇ ମାସରେ ଚିଠି ଲେଖିଥିବା ୪୯ଜଣ ଲେଖକ, ଐତିହାସିକ, ଚଳଚ୍ଚିଚ୍ର ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ବିରୋଧରେ ବିହାରର ମୁଜାଫରପୁର କୋର୍ଟରେ ସିଜେଆଇ ଦେଶଦ୍ରୋହ ଅପରାଧରେ ଏତଲା ଦାୟର କରିବାକୁ ଦେଇଥିବା ନିର୍ଦ୍ଦେଶ ଅତ୍ୟନ୍ତ ହାସ୍ୟାସ୍ପଦ ଓ ଗଣତନ୍ତ୍ରର ବିରୋଧୀ ବୋଲି ବିଚାର କରି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସୁପ୍ରିମ କୋର୍ଟର ମାନ୍ୟବର ମୁଖ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଏକ ଚିଠି ଲେଖାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ଦ୍ୱାରା ଲିଖିତ ଏହି ଚିଠିରେ ଦର୍ଶାଯାଇଛି ଯେ, ଦେଶର ନାମୀଦାମୀ କଳାକାର ଓ ବିଭିନ୍ନ ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିବିଶେଷ ଯଥା ଚଳଚ୍ଚିତ୍ର ଅଭିନେତ୍ରୀ ଅପର୍ଣ୍ଣା ସେନ, ଐତିହାସିକ ରାମଚନ୍ଦ୍ର ଗୁହା, ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପ, ନିର୍ଦ୍ଦେଶକ ମଣି ରତ୍ନମ, ଶ୍ୟାମ ବେନେଗଲ ଓ ଅଦୁର ଗୋପାଲ କ୍ରିଷ୍ଣାନଙ୍କ ଭଳି ବ୍ୟକ୍ତିତ୍ୱଙ୍କ ବିରୁଦ୍ଧରେ ଦାୟର କରାଯାଇଥିବା ମକଦ୍ଦମାକୁ ତୁରନ୍ତ ରଦ୍ଦ କରିବା ପାଇଁ ମାନ୍ୟବର ମୁଖ୍ୟ ବିଚାରପତି ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରାଯାଇଛି । ଏଥିରେ କୁହାଯାଇଛି ଯେ, ଦେଶରେ ସଂଖ୍ୟାଲଘୁ, ଦଳିତ ଓ ଦୁର୍ବଳ ଶ୍ରେଣୀଙ୍କ ଉପରେ ଭିଡ଼ ହିଂସା ବଢି ଚାଲଥିଲା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଓ ଦେଶର ଏକତା ଏବଂ ସାଂସ୍କୃତି ଐକ୍ୟକୁ ବଜାୟ ରଖିବା ପାଇଁ ପତ୍ର ଲେଖିଥିବା ଏହି ବ୍ୟକ୍ତିତ୍ୱ ମାନଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ଗଣତନ୍ତ୍ର ପାଇଁ ବିଡ଼ମ୍ବନା । ଏହି ପତ୍ରରେ ଦେଶ ଦ୍ରୋହର କୌଣସି ଚିହ୍ନ ନାହିଁ କିମ୍ବା ସାମ୍ପ୍ରଦୟିକ ଶାନ୍ତି ଭଙ୍ଗ ଓ ଧାର୍ମିକ ଭାବନାକୁ ଆଘାତ କରି ଦେଶର ତଥା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ୱକୁ ମଳିନ କରିବାର କୌଣସି ପ୍ରୟାସ ମଧ୍ୟ କରାଯାଇ ନାହିଁ । ଦେଶର ଛବି ଖରାପ ନାମରେ ଜନୈକ ସୁଧୀର ଓଝାଙ୍କ ପିଟିସନକୁ ଆଳ କରି ମୁଜାଫରପୁର କୋର୍ଟର ସିଜେଆଇ ଏତଲା ଦାୟର ପାଇଁ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହାକୁ ଅବିଳମ୍ବେ ରଦ୍ଦ କରାଯାଉ । ଗଣତନ୍ତ୍ରରେ ସ୍ୱାଧୀନ ଭାବରେ ମତବ୍ୟକ୍ତ କରିବା, କୌଣସି ଦେଶ ବିରୋଧୀ ଓ ସାମ୍ପ୍ରଦାୟିକ ସଦ୍ଭାବନା ବିରୋଧୀ ଘଟଣା ଉପରେ ପ୍ରତିକ୍ରିୟା ଦେବା ଏକ ସାମ୍ବିଧାନିକ ଅଧିକାର । ନିଜର ଜୀବନକାଳ ଭିତରେ ଦେଶର ଛବିକୁ ଉଜ୍ଜ୍ୱଳ କରିଥିବା ଭାରତୀୟ ସଂସ୍କୃତିକୁ ରୁଦ୍ଧିମନ୍ତ କରିଥିବା ଏହି ବ୍ୟକ୍ତିତ୍ୱ ମାନଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ଏକ ଷଡ଼ଯନ୍ତ୍ର । ସାମ୍ରାଜ୍ୟବାଦୀ ଦେଶଦ୍ରୋହ ଆଳରେ ସେମାନଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇ ମାମଲା ଦାୟର କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏବଂ ଏଥିରେ ମାନ୍ୟବର ମୁଖ୍ୟ ବିଚାରପତି ହସ୍ତକ୍ଷେପ କରି ଏହି ମାମଲାକୁ ରଦ୍ଦ କରିବାକୁ ଶ୍ରୀ ବେହେରା ଅନୁରୋଧ କରିଛନ୍ତି । ଏହା ନହେଲେ ଦେଶରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଅବକ୍ଷୟମୁଖୀ ହେବ ଏବଂ ଆମ ସମ୍ବିଧାନର ଧର୍ମ ନିରପେକ୍ଷତାରେ ପ୍ରଶ୍ନବାଚୀ ସୃଷ୍ଟି ହେବ ବୋଲି ସେ ପ୍ରକାଶ କରିଛନ୍ତି । ଏହି ବ୍ୟକ୍ତିମାନଙ୍କୁ ଆଇନ୍ର ଗଣ୍ଡି ଭିତରକୁ ନ ଟାଣି ଅଯଥାରେ ହଇରାଣ ନ କରି ତୁରନ୍ତ ମାମଲାର ପୂର୍ଣ୍ଣଛେଦ ପକାଇବାକୁ ଆଜି ସୁପ୍ରିମ କୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ଉଦ୍ଦେଶ୍ୟରେ ଲେଖା ଯାଇଥିବା ଏହି ପତ୍ରରେ ଶ୍ରୀ ବେହେରା ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ