ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପବିତ୍ର ପୀଠ ଏବେ ମଦ ମାଂସ ଓ ଡିଜେ ଡ୍ୟାନ୍ସ ଦ୍ୱାରା ଅପବିତ୍ର ହେବାରେ ଲାଗିଛି ।
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପୁରାଣ ପ୍ରସିଦ୍ଧ ଓଡିଶାର ହିମାଳୟ ଗଜପତି ଜିଲ୍ଲାରେ ରହିଛି । ରାମଚନ୍ଦ୍ରଙ୍କ ବନବାସ, ପାଣ୍ଡବଙ୍କ ଅଜ୍ଞାତବାସ,ପ୍ରଭୁ ହନୁମାନ ଓ ପର୍ଶୁରାମଙ୍କ ଅତ୍ୟନ୍ତ ପ୍ରିୟ ବିଚରଣ ଆଦିର ବହୁ ଜୀବନ୍ତ କିମ୍ବଦନ୍ତିରେ ପୂର୍ଣ,ପବିତ୍ର ଶୈବପୀଠ ଏବଂ ବହୁ ମୁନିଋଷି,ସାଧୁସନ୍ଥଙ୍କ ତପୋସ୍ଥଳୀ ଭାବେ ପୌରାଣିକ କାଳରୁ ପ୍ରସିଦ୍ଧି ଲାଭ କରିଥିବା ପବିତ୍ର ମହେନ୍ଦ୍ରଗିରି ବର୍ତ୍ତମାନ ଅପବିତ୍ର ହେବାକୁ ଯାଉଛି ବୋଲି ମହେନ୍ଦ୍ରାଶ୍ରମର ମୁଖ୍ୟ ଲକ୍ଷୀ୍ମବାବା ଅତ୍ୟନ୍ତ ଦୁଃଖର ସହ କହିଛନ୍ତି,କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ମହେନ୍ଦ୍ରର ପାଦଦେଶ ବୁରୁଖତ ଠାରୁ ମହେନ୍ଦ୍ରଗିରି ଶିଖର ପର୍ଯ୍ୟନ୍ତ ନିତିଦିନିଆ ରାସ୍ତା ନିର୍ମାଣ ଚାଲୁ ରହିଛି । ଏହା ଦ୍ୱାରା ମହେନ୍ଦ୍ରଗିରି ଶିଖର ପର୍ଯ୍ୟନ୍ତ ୨ ଓ ୪ ଚକିଆ ଯାନବାହାନ ସୁବିଧାରେ ପହଞ୍ଚି ପାରୁଛି । ଏହା ଦ୍ୱାରା ବହୁ ପର୍ଯ୍ୟଟକ,ଦର୍ଶକ ଓ ଭୋଜିଭାତ କରିବା ପାଇଁ ବହୁଲୋକ ଆସୁଛନ୍ତି । ସମସ୍ତେ ଏଠାକୁ ଆସିବା ଉଚିତ । ଏଠାକାର ପବିତ୍ର ଭକ୍ତିର ପରିବେଶ ସହ ରାମାୟଣ ମହାଭାରତ ଯୁଗର ମନ୍ଦିର ଗୁଡିକରେ ପୂଜାର୍ଚନା କରି ଭଗବାନଙ୍କର ଆଶୀର୍ବାଦ ଗ୍ରହଣ କରିବା ସହ ନିରାମିଷ ଭୋଜି କରିବା ଉଚିତ । ଏଥି ପୂର୍ବରୁ ପାଦଚଲାରେ ବହୁ ଭକ୍ତ ଆସି ମନ୍ଦିର ଗୁଡିକୁ ଦର୍ଶନ କରିବା ସହ ଆମ ମହେନ୍ଦ୍ରାଶ୍ରମରେ ଭୋଜନ କରୁଥିଲେ । କିିଛି ଲୋକ ମଧ୍ୟ ଏଠାରେ ନିରାମିଷ ଭୋଜିଭାତ କରି ଖାଉଥିଲେ । ହେଲେ ବର୍ତ୍ତମାନ କେତେକ ଲୋକ ଏଠାରେ ମଦ ମାଂସ ଓ ଡିଜେ ଡ୍ୟାନ୍ସ ଆସର ଦ୍ୱାରା ମହେନ୍ଦ୍ରଗିରିର ପବିତ୍ରତାକୁ ଅପବିତ୍ର କରିବାରେ ଲାଗିଛନ୍ତି । ଚଳିତ ବର୍ଷ ନୂତନ ବର୍ଷକୁ ସ୍ୱାଗତ ଜଣାଇ କେତେକ ବ୍ୟକ୍ତି ଏଠାରେ ରାତ୍ରି ଯାପନ କରି ମଦ ମାଂସ ଓ ଡିଜେ ଡ୍ୟାନ୍ସ ଆସର କରିଥିଲେ । ଯଦ୍ୱାରା ମହେନ୍ଦ୍ରାଶ୍ରମରେ ରହୁଥିବା ସାଧୁସନ୍ଥଙ୍କ ବିଭିନ୍ନ ଜପ ତପ ଓ ରାତ୍ରକାଳୀନ ବିଶ୍ରାମ ଆଦିରେ ଅନ୍ତରାୟ ସୃଷ୍ଟି କରିଥିଲା । ସାଧୁସନ୍ଥଙ୍କ ତପୋସ୍ଥଳୀ ଭାବେ ପୌରାଣିକ କାଳରୁ ପ୍ରସିଦ୍ଧି ଲାଭ କରିଥିବା ପବିତ୍ର ମହେନ୍ଦ୍ରଗିରିରେ ଏଭଳି କରିବା ଅନୁଚିତ । ସରକାରଙ୍କ ସମେତ ଗଜପତି ପ୍ରଶାସନ ଓ ପୋଲିସ ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ମହେନ୍ଦ୍ରାଶ୍ରମର ମୁଖ୍ୟ ଲକ୍ଷୀ୍ମବାବାଙ୍କ ସମେତ ଅଞ୍ଚଳବାସୀ ନିବେଦନ କରିଛନ୍ତି ।

 
             
						 
						 
						 
						 
						 
						
