ଓଡିଶା କୃଷକ ସଭା କେନ୍ଦ୍ରାପଡା ଜିଲ୍ଲା କମିଟି ବୈଠକରେ ଚାଷୀ ଆନ୍ଦୋଳନକୁ ବ୍ୟାପକ କରିବାକୁ ଆହ୍ୱାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଦିଲ୍ଲୀ ଚଲୋ ଆନ୍ଦୋଳନକୁ ସମର୍ଥନ କରି ଓଡିଶା କୃଷକ ସଭା କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଆହୁତ ବୈଠକରେ ଗାଁଗଣ୍ଡାରେ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ସ୍ଥିର କରାଯାଇଛି । ଉମେଶ ଚନ୍ଦ୍ର ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାକୁ ଉଦ୍‌ଘାଟନ କରି ଓଡିଶା କୃଷକ ସଭାର ରାଜ୍ୟ ସାଧାରଣ ସଂପାଦକ ସୁରେଶ ପାଣିଗ୍ରାହୀ ବକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ ଦିଲ୍ଲୀ ଚଲୋ ଆନ୍ଦୋଳନ ଆଜିକୁ ୫୦ ଦିନ ଅତିକ୍ରମ କରିଯାଇ ଥିଲେ ମଧ୍ୟ ୬୦ ଜଣ ଚାଷୀ ମୃତ୍ୟୁ ବରଣ କରିବା ସତ୍ୱେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରାକର ୩ଟି କୃଷି ଓ କୃଷକ ବିରୋଧୀ କୃଷି ଆଇନ ଓ ବିଦ୍ୟୁତ୍ ବିଲ୍ ପ୍ରତ୍ୟାହାର ନକରିବା କ୍ଷୋଭ ଏବଂ ପରିତାପର ବିଷୟ । ୭ଥର ବୈଠକ ପରେ ମଧ୍ୟ କେନ୍ଦ୍ର ସରକାର ଲକ୍ଷ ଲକ୍ଷ ଆନ୍ଦୋଳନକାରୀଙ୍କ ଦାବିପ୍ରତି କର୍ଣ୍ଣପାତ ନକରିବା ଏକଛତ୍ରବାଦୀ ମାନସିକତାର ପରିଚୟ । କୃଷିଜାତ ସାମଗ୍ରୀର ବିପଣନ ଓ କାରବାର (ପ୍ରୋତ୍ସାହନ ଏବଂ ସୁବିଧା ପ୍ରଦାନ) ଆଇନ-୨୦୨୦, କୃଷକ (ସଶକ୍ତିକରଣ ଏବଂ ସୁରକ୍ଷା) ରାଜିନାମା ସଂକ୍ରାନ୍ତ ମୂଲ୍ୟ ସୁନିଶ୍ଚିତତା ଏବଂ କୃଷିସେବା ଆଇନ-୨୦୨୦, ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ-୨୦୨୦ ରଦ୍ଦ କରିବା ଓ ନୂତନ ବିଦ୍ୟୁତ୍ ସଂଶୋଧନ ବିଲ ୨୦୨୦ କୁ ପ୍ରତ୍ୟାହାର କରିବା ଏବଂ ଏମ.ଏସ୍‌. ସ୍ୱାମୀନାଥନ ଜାତୀୟ କୃଷକ କମିଶନ ସୁପାରିଶ ଅନୁସାରେ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା ନିମନ୍ତେ ଏବଂ କୃଷିଜାତ ଦ୍ରବ୍ୟ ଗୁଡିକୁ ସରକାରୀ ଭାବେ ସଂଗ୍ରହ କରିବା ପାଇଁ ଆଇନଗତ ବ୍ୟବସ୍ଥା କରିବା ସହିତ ଓଡିଶାରେ ଧାନ କ୍ୱିଣ୍ଟାଲ ପ୍ରତି ସର୍ବନିମ୍ନ ୩ ହଜାର ଟଙ୍କା ସହାୟକ ମୂଲ୍ୟ ଧାର୍ଯ୍ୟ କରିବା ଓ କେନ୍ଦ୍ର ସରକାର ଏହି ମୂଲ୍ୟ ନିର୍ଦ୍ଧାରଣ କରିବା ପର୍ଯ୍ୟନ୍ତ ଧାନ କ୍ରୟ ବେଳେ କ୍ୱିଣ୍ଟାଲ ପ୍ରତି ୧ ହଜାର ଟଙ୍କା ବୋନସ ପ୍ରଦାନ କରିବା ଏବଂ ଯୋଗାଣ ଏବଂ ଖାଉଟୀ କଲ୍ୟାଣ ବିଭାଗର ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରାଥମିକ ସମବାୟ ସମିତିି, ଗ୍ରାମ ପଂଚାୟତ ଇତ୍ୟାଦି ସଂସ୍ଥା ଜରିଆରେ ଧାନ କିଣା ଯିବାର ବ୍ୟବସ୍ଥା କରାଯିବାକୁ ଦାବି କରିଥିଲେ । ଜିଲ୍ଲା ସାଂପାଦକ ଗୟାଧର ଧଳ ସଂପାଦକୀୟ ବିବରଣୀ ପାଠ କରିବା ସହିତ ମଣ୍ଡି ବ୍ୟବସ୍ଥାକୁ ସଂପ୍ରସାରଣ, ସୁଦୃଢ ଏବଂ ସୁରକ୍ଷିତ କରିବା ଦାବିରେ ଓଡିଶା କୃହକ ସଭା କେନ୍ଦ୍ରାପଡା ଜିଲ୍ଲା କମିଟି ଆସନ୍ତା ୫ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଗାଁଗଣ୍ଡାରେ ବ୍ୟାପକ ପ୍ରଚାର ଅଭିଯାନ, ଗ୍ରାମ ବୈଠକ, ଶୋଭାଯାତ୍ରା ମାନ ସଂଗଠିତ କରିବା ଏବଂ ୨୦ ହଜାର ପ୍ରଚାର ପତ୍ର ବାଣ୍ଟିବା ପାଇଁ ନିଷ୍ପତି ର ଘୋଷଣା କରିଥିଲେ । ଏଥିସହିତ ପ୍ରତ୍ୟେକ ବ୍ଲକ ଅଫିସ ସମ୍ମୁଖରେ ସଂଗଠନ ଓ ଅନ୍ୟାନ୍ୟ କୃଷକ ସଂଗଠନକୁ ସାଙ୍ଗରେ ନେଇ ଧାରଣା କାର୍ଯ୍ୟକ୍ରମ ସଂଗଠିତ କରିବା ସହିତ ଜାନୁୟାରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସର ଅପରାହ୍ନରେ ବିଭିନ୍ନ ସ୍ଥାନ ମାନଙ୍କରେ କୃଷକ ପ୍ୟାରେଡ କରିବା ପାଇଁ ନିଷ୍ପତି ହୋଇଛି ବୋଲି କହିଥିଲେ । ଏହାସହିତ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଆସନ୍ତା ୨୩ ତାରିଖ ଦିନ ରାଜଭବନ ଆଗରେ ଥିବା ଲକ୍ଷାଧିକ ଚାଷୀଙ୍କ ଆନ୍ଦୋଳନକୁ କେନ୍ଦ୍ରାପଡା ଜିଲ୍ଲାରୁ ହଜାରରୁ ଉର୍ଦ୍ଧ୍ୱ ଚାଷୀ ଯୋଗ ଦେବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଂପାଦକ କାଳୀ ପ୍ରସାଦ ନାୟକ, ବରିଷ୍ଠ ନେତା ବାବାଜୀ ପରିଡା, ଉପ ସଭାପତି ସୋମନାଥ ବିଶ୍ୱାଳ, ଗଙ୍ଗାଧର ମଲିକ, ଅର୍ଜ୍ଜୁନ ମଣ୍ଡଳ, ଯୁଗ୍ମ ସଂପାଦକ ଗୁଣମଣି ବେହେରା, ବିଜୟ ଦାସ, ମାନ ଗୋବିନ୍ଦ ସ୍ୱାଇଁ, ବାବାଜୀ ଦାସ, ଶତୃଘନ ରାଉତ, ଭଞ୍ଜ କିଶୋର ପାଳଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ ଚାଷୀ ନେତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ