ଧାମନଗର -ଫଳପୁର ରାସ୍ତା ମରାମତି କାମ ନିମ୍ନମାନର

ଧାମନଗର,(ସନ୍ତୋଷ କୁମାର ପ୍ରଧାନ): ଧାମନଗର-ଫଳପୁର ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡ଼କ କାମ ନିମ୍ନମାନର । ପ୍ରାୟ ୧ କୋଟି ଟଙ୍କାରେ ରାସ୍ତା ମରାମତି ହେଉଥିଲେ ବି ପୁଣି ଦୁଇ ତିନି ବର୍ଷ ଭିତରେ ରାସ୍ତା ନଷ୍ଟ ହୋଇଯିବ । ଏବେ ଯେଉଁ ରାସ୍ତା ତିଆରି ଚାଲିଛି, ତାହା ଅତି ନିମ୍ନମାନର ହେଉଥିବାରୁ ଏହାର ସ୍ଥାୟୀତ୍ବ ନେଇ ପ୍ରଶ୍ନ ଉଠିଛି । ଧାମନଗର ହାଟ ପାଖରୁ ଫଳପୁର ଯାଏ ୬.୭ କିଲୋମିଟର ଲମ୍ବର ରାସ୍ତା ପାଇଁ ରାଜ୍ଯ ସରକାରଙ୍କ ଗ୍ରାମ୍ଯ ଉନ୍ନୟନ ବିଭାଗ-୨ ପକ୍ଷରୁ ୧କୋଟି ୩୪ଲକ୍ଷ ଟଙ୍କା ବ୍ଯୟ ଅଟକଳ ହୋଇଅଛି । ଏଥିରୁ ଜିଏସଟି ଓ ଅନ୍ଯାନ୍ଯ ଦେୟ କଟିବା ପରେ ୧କୋଟି ୧୮ଲକ୍ଷ ୫୮ହଜାର ୫୨୨ଟଙ୍କାର ଟେଣ୍ଡର ହୋଇଥିଲା । ସ୍ଥାନୀୟ ଅଞ୍ଚଳର ଜଣେ ଠିକାଦାର ୧୪ପ୍ରତିଶତ କାମରେ ଠିକା ଧରିଥିଲେ । ଗ୍ରାମ୍ଯ ଉନ୍ନୟନ ବିଭାଗ ପକ୍ଷରୁ ୧କୋଟି ୮୦ହଜାର ୯୩୦ଟଙ୍କାର କାର୍ଯ୍ଯାଦେଶ ଦିଆଯାଇଥିଲା । ମୋଟ ମରାମତି ହେବାକୁ ଥିବା ରାସ୍ତା ଭିତରୁ ୫.୦୭୫ କିଲୋମିଟର ପିଚୁ ଓ ୦.୫୯୪ କିଲୋମିଟର ଯାଏ ଲୁହା ରଡ ଦିଆଯାଇ କଂକ୍ରିଟ କରିବାକୁ ନିର୍ଦ୍ଦେଶ ଥିଲା । ପିଚୁ ରାସ୍ତାର ତଳେ ମୋରମ, ପାଣି, ବାଲି ଓ ଗେଟି ଦେଇ ଗୋଟିଏ ମୋଟା ଆସ୍ତରଣ କରାଯିବା କଥା । ତାହା ଉପରେ ପ୍ରଥମେ ବଡ଼ ଚିପ୍ସ ଓ ପିଚୁର ଆସ୍ତରଣ ପଡ଼ିବ ତାପରେ ବଜୁରି ଓ ପିଚୁର ଆସ୍ତରଣ ଦିଆଯିବା କଥା । ପ୍ରତ୍ଯେକ ଆସ୍ତରଣ ପରେ ଭଲ ଭାବେ ରୋଲିଙ୍ଗ କରାଯିବାକୁ ରାସ୍ତାର ପ୍ଲାନ୍ ଆଣ୍ଡ ଏଷ୍ଟିମେଟରେ ରହିଛି । ହେଲେ ଠିକାଦାର ତାହା କରୁନାହାନ୍ତି। ତଳେ ମୋରମ, ପାଣି, ବାଲି ଓ ଗେଟିକୁ ମିଶାଇ ୱାଟର ବାଉଣ୍ଡ ମ୍ଯାକାଡମ ଡିଜାଇନର ରାସ୍ତା କରିବା ବଦଳରେ, ପୁରୁଣା କଂକ୍ରିଟକୁ ଭାଙ୍ଗି ତଳେ ପକାଯାଉଛି । ତା ଉପରେ ସ୍କ୍ରିନିଙ୍ଗ କରାନଯାଇ ସିଧାସଳଖ ପିଚୁ କରିବାର ପ୍ଲାନ ହୋଇଛି । ସେହିପରି ଯେଉଁ ସ୍ଥାନରେ କଂକ୍ରିଟ ରାସ୍ତା ତିଆରି ହେଉଛି, ସେଠାରେ ଭାରତ ମାନକ ବ୍ଯୁରୋ ଦ୍ବାରା ନିର୍ଦ୍ଧାରିତ କଂକ୍ରିଟ ଡିଜାଇନକୁ ଧ୍ଯାନ ଦିଆଯାଉନି । ଧାମନଗର-ଫଳପୁର ରାସ୍ତାଟି ବନ୍ଯା ପ୍ଳାବିତ ଅଞ୍ଚଳ ଓ ରାସ୍ତା ତଳେ ଥିବା ମାଟି କେଲୁଆ ପ୍ରକାରର ଏଣୁ ଏଠାରେ କଂକ୍ରିଟ ରାସ୍ତା ନିର୍ମାଣ ଲାଗି ସ୍ବତନ୍ତ୍ର ଧ୍ଯାନ ଦିଆଯିବାକୁ ନିର୍ଦ୍ଦେଶ ଦେଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ