ଶ୍ୟାମସୁନ୍ଦର ମନ୍ଦିରରେ ପବିତ୍ର ରାଧାଷ୍ଟମୀ ଉତ୍ସବ
ବନ୍ତ, (ଚାନ୍ଦିନୀ ମହାନ୍ତି ): ଭଗବାନ୍ ଶ୍ରୀକୃଷ୍ଣଙ୍କ ପ୍ରାଣପ୍ରିୟା ରାଧାରାଣୀଙ୍କ ଆବିର୍ଭାବ ତିଥି ଅବସରରେ ଶନିବାର ଭଦ୍ରକ ଜିଲା ବନ୍ତ ବ୍ଲକ ବସନ୍ତିଆସ୍ଥିତ ଶ୍ୟାମସୁନ୍ଦର୍ ମନ୍ଦିରରେ ପବିତ୍ର ରାଧାଷ୍ଟମୀ ପୂଜା ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି l ପ୍ରାରମ୍ଭରେ ପୂଜକଙ୍କ ଦ୍ଵାରା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ଶ୍ରୀରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିଙ୍କୁ ମନୋରମ ବେଶରେ ସୁସଜ୍ଜିତ କରାଯାଇଥିଲା l ଦୀର୍ଘ ୧୦୦ ବର୍ଷରୁ ଉର୍ଦ୍ଧ୍ବ ହେବ ଏହି ମନ୍ଦିରରେ ଉକ୍ତ ପୂଜା ଉତ୍ସବ ପାରମ୍ପରିକ ଭାବେ ପାଳିତ ହୋଇଆସୁଛି l ପ୍ରତିବର୍ଷ ଭଳି ଚଳିତ ବର୍ଷ ଏହି ପରମ୍ପରାକୁ ବଜାୟ ରଖି ଅତି ଧୂମଧାମରେ ନୀତିକାନ୍ତି ସମ୍ପନ୍ନ ହୋଇଛି l ଏହି ଅବସରରେ ପ୍ରଭୁଙ୍କ ଦର୍ଶନ ଓ ଆଶୀର୍ବାଦ ଭିକ୍ଷା ପାଇଁ ଆଖପାଖ ଅଞ୍ଚଳରୁ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା l ସେହିପରି ଶ୍ରୀବନ୍ତପୁର ରାଧାକୃଷ୍ଣ ମନ୍ଦିରରେ ମଧ୍ୟ ପବିତ୍ର ରାଧାଷ୍ଟମୀ ଉତ୍ସବ ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି l ଏହା ସହ ବନ୍ତ ବ୍ଲକର ବିଭିନ୍ନ ରାଧାକୃଷ୍ଣ ମନ୍ଦିରଗୁଡ଼ିକରେ ହୋମଯଜ୍ଞ ଓ ବିଶେଷ ପୂଜାର୍ଚ୍ଚନା ସହ ଏହି ଉତ୍ସବ ଖୁବ୍ ଉତ୍ସାହର ସହ ପାଳନ କରାଯାଉଛି l


