୫୩ନଂ ରାଜ୍ୟ ରାଜପଥରେ ପେଟ୍ରୋଲ ଟ୍ୟାଙ୍କରର ଫାଟିଲା ଚକା :ଅଳ୍ପକେ ବର୍ତ୍ତିଗଲା ଅନେକ ଜୀବନ

ବନ୍ତ,(ଚାନ୍ଦିନୀ ମହାନ୍ତି ): ଭଦ୍ରକ-ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥର ଆପଣ୍ଡା ନିକଟରେ ଆଜି ଏକ ଭୟଙ୍କର ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛି ଏକ ପେଟ୍ରୋଲ ଟ୍ୟାଙ୍କର ଟ୍ରକ୍। ଟ୍ରକଟି ଦ୍ରୁତ ଗତିରେ ଯାଉଥିବା ସମୟରେ ହଠାତ୍ ଏହାର ଆଗ ବାମ ପାର୍ଶ୍ୱ ଚକାଟି ସମ୍ପୂର୍ଣ୍ଣ ଚିରିଯାଇ ଫାଟି ଯାଇଥିଲା। ଚକା ଫାଟିବା ଯୋଗୁଁ ଗାଡ଼ିଟି ନିଜର ଭାରସାମ୍ୟ ହରାଇ ରାସ୍ତା ଉପରେ କିଛି ବାଟ ଘୋଷାରି ହୋଇ ଆଗେଇ ଯାଇଥିଲା। ଘଟଣାସ୍ଥଳରେ ଗାଡ଼ିଟି ଅଟକି ଯାଇଥିବାରୁ ଏକ ବଡ଼ ଧରଣର ବିସ୍ଫୋରଣ କିମ୍ବା ରକ୍ତପାତରୁ ବର୍ତ୍ତି ଯାଇଛନ୍ତି ଅନେକ ଧନଜୀବନ। ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇବା ସହ ଗାଡ଼ି ମାଲିକ, ଚାଳକ ଏବଂ ପରିବହନ ସଂସ୍ଥାର ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କର ଗାଡ଼ିର ଟାୟାରଟି ଦୀର୍ଘଦିନରୁ ଅତ୍ୟନ୍ତ କ୍ଷୟପ୍ରାପ୍ତ ଓ ବିପଜ୍ଜନକ ଅବସ୍ଥାରେ ଥିଲା। ଟାୟାରର ଭିତର ଭାଗର ତାର ସବୁ ବାହାରକୁ ବାହାରି ପଡ଼ିଥିବା ଦେଖିବାକୁ ମିଳିଛି। ପେଟ୍ରୋଲ ଭଳି ଏକ ଅତ୍ୟନ୍ତ ଜ୍ୱଳନଶୀଳ ଓ ବିପଦପୂର୍ଣ୍ଣ ସାମଗ୍ରୀ ପରିବହନ କରୁଥିବା ଗାଡ଼ିରେ ଏଭଳି ଜର୍ଜରୀତ ଟାୟାର୍ ବ୍ୟବହାର କରିବା ସିଧାସଳଖ ଭାବେ ଲୋକଙ୍କ ଜୀବନ ସହ ଖେଳିବା ସହ ସମାନ। ନିୟମ ଅନୁସାରେ, ଏପରି ଜରୁରୀକାଳୀନ ଓ ବିପଜ୍ଜନକ ଗାଡ଼ିଗୁଡ଼ିକର ସମସ୍ତ ଯନ୍ତ୍ରାଂଶ ଏବଂ ଟାୟାର୍ ପ୍ରତିଦିନ ଯାଞ୍ଚ କରାଯିବା ଆବଶ୍ୟକ। ମାତ୍ର ଅଧିକ ଲାଭ କମାଇବା ନିଶାରେ ଟ୍ରାନ୍ସପୋର୍ଟ ସଂସ୍ଥା ଏବଂ ଗାଡ଼ି ମାଲିକ ମରାମତି ଓ ରକ୍ଷଣାବେକ୍ଷଣକୁ ସମ୍ପୂର୍ଣ୍ଣ ଆଖିବୁଜି ଦେଇଥିବା ଅଭିଯୋଗ ହୋଇଛି। ଆଜି ଯଦି ଘଟଣାସ୍ଥଳରେ ଟ୍ୟାଙ୍କରଟି ଓଲଟି ପଡ଼ିଥାନ୍ତା କିମ୍ବା ନିଆଁ ଲାଗିଯାଇଥାନ୍ତା, ତେବେ ରାଜପଥରେ ଯାତାୟାତ କରୁଥିବା ଶହ ଶହ ଲୋକ ଏବଂ ଯାତ୍ରୀବାହୀ ବସ୍ ବଡ଼ ଦୁର୍ଘଟଣାର ଶିକାର ହୋଇଥାନ୍ତେ। ସେତେବେଳେ ହୋଇଥିବା ଅପୂରଣୀୟ କ୍ଷତି ପାଇଁ କିଏ ଦାୟୀ ରହିଥାନ୍ତା? ଗାଡ଼ିକୁ ରାସ୍ତାକୁ ଛାଡ଼ିବା ପୂର୍ବରୁ ତାର ସୁରକ୍ଷା ଓ ଫିଟନେସ୍ ଯାଞ୍ଚ କରିବା କ’ଣ ମାଲିକ ଓ ଚାଳକଙ୍କ ପ୍ରାଥମିକ ଦାୟିତ୍ୱ ନୁହେଁ? ଏହି ଘଟଣା ପରିବହନ ବିଭାଗର କାର୍ଯ୍ୟଶୈଳୀ ଉପରେ ମଧ୍ୟ ପ୍ରଶ୍ନ ଉଠାଉଛି। କିପରି ଏଭଳି ବିପଜ୍ଜନକ ଗାଡ଼ିଗୁଡ଼ିକୁ ରାସ୍ତାରେ ଚାଲିବାକୁ ଅନୁମତି ମିଳୁଛି, ତାହାର ତଦନ୍ତ ହେବା ନିହାତି ଜରୁରୀ। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଏବଂ ବୁଦ୍ଧିଜୀବୀମାନେ ଅବହେଳା କରିଥିବା ଟ୍ରାନ୍ସପୋର୍ଟ ସଂସ୍ଥା, ଗାଡ଼ି ମାଲିକ ଏବଂ ଚାଳକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ରାଜପଥରେ ଯାତାୟାତ କରୁଥିବା ସମସ୍ତ ଜ୍ୱଳନଶୀଳ ଟ୍ୟାଙ୍କରଗୁଡ଼ିକର କଡ଼ା ତଦାରଖ ଏବଂ ଫିଟନେସ୍ ଯାଞ୍ଚ କରାଯାଉ, ଯେପରି ଆଗାମୀ ଦିନରେ କୌଣସି ନିରୀହ ଲୋକଙ୍କ ଜୀବନ ଦୁର୍ଘଟଣାର ଶିକାର ନହେଉ ବୋଲି ପରିବହନ ବିଭାଗ ଓ ପ୍ରଶାସନ ପାଖରେ କଡ଼ା ଦାବି ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ