ଯୋଡାରେ ଠାକୁରାଣୀ ଓଷା ;କଣ୍ଟାରେ ଝୁଲିଲେ, ନିଆଁରେ ଚାଲିଲେ
ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ସହରସ୍ଥିତ ଭୂୟାଁବସ୍ତି ପାତ୍ରସାହିଠାରେ ଥିବା କୋଠି ଶାଳରେ କୋଭିଡ୍ ନିୟମକୁ ପାଳନକରି ଶୁକ୍ରବାର ମା’ ଠାକୁରାଣୀଙ୍କ ଓଷା ଅନୁଷ୍ଠିତ ହୋଇଯାଇଛି । ଏହି ଓଷା ଚଳିତବର୍ଷ ୭୮ ବର୍ଷରେ ପଦାର୍ପଣ କରିଛି । ଅସେଇଁକଳା ଗ୍ରାମର କୁମ୍ଭାର ପରିବାରରୁ ଠାକୁରାଣୀ ମା’ ଯୋଡାର କୋଠିଶାଳକୁ ଆସିବା ପରେ ୮ ଦିନ ଧରି ମା’ ଙ୍କର ରୀତିନୀତି ଅନୁଯାୟୀ ଦେହୁରୀମାନେ ପୂଜା କରିଥାନ୍ତି । ଶ୍ରଦ୍ଧାଳୁମାନେ ଓଷା ଗୀତ ଗାନ କରି କଣ୍ଟା ର ଦୋଳିରେ ଝୁଲିବା ସହିତ ନିଆଁ ଖନ୍ଦାରେ ଚାଲିଚାଲି ମା’ଙ୍କର ସ୍ମରଣ କରିଥାନ୍ତି । ମା’ଙ୍କର ଏହି ଓଷା ସମ୍ପର୍କରେ ମୁଖ୍ୟ ଦେହୁରୀ ରମେଶ ଚନ୍ଦ୍ର ପାତ୍ର, ବାବୁ ପାତ୍ର, ବସନ୍ତ ପାତ୍ର, ଇଶ୍ୱର ପାତ୍ର ପ୍ରମୁଖ କହିଛନ୍ତି ଯେ, ରାତି ୨ଟା ବେଳେ ମା’ଙ୍କୁ କୋଠିଶାଳରୁ ପୂଜା ମଣ୍ଡପକୁ ବାହାର କରାଯାଇ ଉପବାସ ରହିଥିବା ଶ୍ରଦ୍ଧାଳୁମାନେ ଅପରାହ୍ନ ସାଢେ ୪ଟା ପର୍ଯ୍ୟନ୍ତ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା । ପରମ୍ପରା ଅନୁଯାୟୀ ଗାଆଣୀ ଓଷାଗୀତ ଗାଇ ମା’ଙ୍କର ସ୍ମୃତିଚାରଣ କରିଥିଲେ । ସମସ୍ତ ପୂଜାର୍ଚ୍ଚନା ସରିବାପରେ ଶତାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ମା’ଙ୍କର ବିସର୍ଜନ କରାଯାଇଥିଲା । ରୀତିନୀତି ଅନୁଯାୟୀ ସନ୍ଧ୍ୟାବେଳେ ମାନସିକ ରଖିଥିବା ଶ୍ରଦ୍ଧାଳୁ ମାନେ ପଣା ପିଇଥିଲେ । ମା’ଙ୍କର ପୂଜାରେ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ମାନସିକଧାରୀ ଓ ଶ୍ରଦ୍ଧାଳୁମାନେ ଭୋଗ ଏବଂ ଅନ୍ୟାନ୍ୟ ପାରମ୍ପରିକ ନୈବେଦ୍ୟ ଅର୍ପଣ କରିଥିଲେ । ଶୁକ୍ରବାର ଯୋଡା ସମେତ କଣ୍ଡରା, ବାସୁଦେବପୁର, ଧୋବାକୁଚୁଡା, ରଘୁଆଳ ସାହି, କମଳପୁର, ବିରିକଳା ଆଦି ସ୍ଥାନରୁ ମା’ଙ୍କର ପୂଜା ଦେଖିବା ପାଇଁ ଶ୍ରଦ୍ଧାଳୁମାନେ ଯୋଡା ଆସିଥିଲେ । ଝାଡଖଣ୍ଡ ରାଜ୍ୟରୁ ମଧ୍ୟ ବହୁ ଶ୍ରଦ୍ଧାଳୁ ଏହି ପୂଜାରେ ଯୋଗଦାନ କରି ମାନସିକ ପୂରଣ କରିଥିଲେ ।