ଧାନକିଣା ନୀତିରେ କାନ୍ଦୁଛି କ୍ଷୁଦ୍ର ଚାଷୀ;ବେପାରୀ ମାଲେମାଲ, ଫାଇଦା ଉଠାଉଛନ୍ତି ବଡଚାଷୀ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା) :ସଂପ୍ରତି ରାଜ୍ୟ ସରକାର ଖରିଫ ଧାନ କ୍ରୟ ପାଇଁ ମଣ୍ଡି ବ୍ୟବସ୍ଥା ଆରମ୍ଭ କରିଛନ୍ତି । ସମବାୟ ସମିତି ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଟୀ ଜରିଆରେ ଚାଷୀମାନଙ୍କ ଠାରୁ କେଉଁଭଳି ସୂଚାରୁ ରୂପେ ଧାନ କିଣାଯାଇ ପାରିବ ସେନେଇ ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନ ସମସ୍ତ ବ୍ୟବସ୍ଥା ହାତକୁ ନେଇଛନ୍ତି । ଏହିପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ୯ଗୋଟି ସମବାୟ ସମିତି ସହିତ ୫ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଧାନକ୍ରୟ ଆରମ୍ଭ ହୋଇଛି । ପ୍ରାମ୍ଭିକ ପର୍ଯ୍ୟାୟରେ ଟୁକନ ମୁତାବକ ଚାଷୀମାନେ ମଣ୍ଡିରେ ଧାନ ବିକ୍ରୟ କରୁଥିବା ଚିତ୍ର ଦେଖାଯାଉଥିଲେ ସୁଦ୍ଧା ବେପାରୀ ନାମଧାରୀ କିଛି ଚାଷୀ ମଧ୍ୟ ଏଥିରୁ ବହୁମାତ୍ରାରେ ଫାଇଦା ଉଠାଉଥିବା ଅଭିଯୋଗ ହେଉଛି । ବୃହତ୍ତ ଚାଷୀଟିଏ ନିଜ ନାମରେ ଧାନକାର୍ଡ କରି କୁଇଁଣ୍ଟାଲ କୁଇଁଣ୍ଟାଲ ଧାନ ମଣ୍ଡିରେ ବିକ୍ରୟ କରି ବେପାର କରୁଛନ୍ତି । ଉକ୍ତଚାଷୀମାନେ ନିଜ ଜମିକୁ ବଖରା ଦେଇ ଭାଗଧାନ ସହିତ ଅସାଧୁ ଭାବେ ଶହଶହ କୁଇଁଣ୍ଟାଲ ଶସ୍ୟ ମଣ୍ଡିରେ ବିକ୍ରୟ କରୁଥିବା ଜଣାପଡିଛି । କିଛି ବେପାରୀ ମଧ୍ୟ ଧାନକ୍ରୟ ଦାୟିତ୍ୱରେ ଥିବା ଅଧିକାରୀ ଓ କମ୍ପ୍ୟୁଟର ଅପରେଟରଙ୍କୁ ହାତ କରି କୌଶଳ କ୍ରମେ କାର୍ଡ ତିଆରି କରିଥିବାବେଳେ ସେ ଜରିଆରେ ମଧ୍ୟ ସରକାରୀ ଭାବେ ଧାନ ବିକ୍ରୟ କରି ମାଲେମାଲ ହେଉଛନ୍ତି । ଗୋଟିଏ ପଟେ ବେପାରୀ ଓ ବଡଚାଷୀ ଲାଭବାନ ହେଉଥିବାବେଳେ କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀଟିଏ ସରକାରୀ ଭାବେ ଧାନ ଗଣ୍ଡିଏ ବିକ୍ରି କରିନପାରି ଅନେକ କଷ୍ଟ ଯନ୍ତ୍ରଣାରେ କାଳାତିପାତ କରୁଛି । ସରକାରୀ ନିୟମ ଅନୁଯାୟୀ ବର୍ଷଯାକର ଭରଣପୋଷଣ ପାଇଁ ଧାନ ରଖି ବାକିତକ ଧାନ ବିକିବାକୁ ଥିବାବେଳେ ନାମମାତ୍ର ଚାଷୀଟିଏ ଏଥିରୁ ବାଦ ପଡୁଛି । ଏପଟେ ଓଡିଶା ସୀମା , ଆନ୍ଧ୍ର ଓ ପଶ୍ଚିମବଙ୍ଗ ସୀମା ଗେଟ ବନ୍ଦ ରହିଥିବାରୁ ବାହାର ବେପାରୀ ଙ୍କ ଉପରେ ମଧ୍ୟ କଟକଣା ରହିଛି । ଯେଉଁଥିପାଇଁ ପ୍ରକୃତ ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିଥିବା କ୍ଷୁଦ୍ର ଓ ଭାଗଚାଷୀଟିଏ ଧାନ ଅମଳ କରି ଏବେ ମୁଣ୍ଡରେ ହାତ ଦେଇଛି । ପରିବାରର ଯାବତୀୟ ଖର୍ଚ୍ଚ ପାଇଁ ନା ସେ ସରକାରୀ ଭାବେ ମଣ୍ଡିରେ ଧାନ ବିକ୍ରୟ କରିପାରୁଛି ନା ବାହାର ବେପାରୀ ନଆସିବାରୁ ଖୁଚୁରା ବଜାରରେ ଶସ୍ୟ ବିକ୍ରୟ କରି ନଜିର ଗୁଜୁରାଣ ମେଣ୍ଟାଇପାରୁଛି । ରୁଆ ପୋତା ଠାରୁ ଆରମ୍ଭ କରି ମେସିନରେ ଧାନ କଟାଯାଏଁ ଖର୍ଚ୍ଚ ବହନ ପାଇଁ ଚାଷୀ ଜଣକ ଉତ୍ପାଦିତ ଶସ୍ୟକୁ କେଉଁଠି ବିକ୍ରୟ କରିବ ସେ ନେଇ ଚିନ୍ତାରେ ପଡିଯାଇଛି । ଯଦିଓ କାଁଭାଁ କୌଣସି ଚାଷୀଙ୍କର ସରକାରୀ ଭାବେ ଧାନ କାର୍ଡ ରହିଛି କିନ୍ତୁ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଟୁକନ ଆସୁନଥିବାରୁ ସେ ଧାନ ବିକ୍ରୟ କରିପାରୁନାହିଁ । ଏପରିସ୍ଥଳେ ରାଜ୍ୟ ସରକାର ଏହା ଉପରେ ଦୃଷ୍ଟିଦେଇ ଧାନକ୍ରୟ ବ୍ୟବସ୍ଥାକୁ ସବୁ ଦିଗରୁ ସ୍ୱଭାବିକ କରିବା ପାଇଁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ