ସ୍କାନ୍ ପାଇଁ ଗଲେ ଟିମ୍ ଇଣ୍ଡିଆର ଆହତ ଖେଳାଳି ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡ଼େଜା
ନୂଆଦିଲ୍ଲୀ: ସିଡ୍ନିରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ୍ କ୍ରିକେଟ୍ର ତୃତୀୟ ଦିନ ଖେଳରେ ବ୍ୟାଟିଙ୍ଗ୍ କରୁଥିବା ବେଳେ ଆହତ ହୋଇଥିବା ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡ଼େଜାଙ୍କୁ ସ୍କାନିଙ୍ଗ୍ ପାଇଁ ନିଆଯାଇଛି। ପନ୍ତଙ୍କ କହୁଣି ଓ ଜାଡ଼େଜାଙ୍କ ବାମହାତ ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିଛି।ଟୁଇଟ୍ କରି ‘ବିସିସିଆଇ’ କହିଛି ଯେ, ସ୍କାନ୍ ହେବା ନିମନ୍ତେ ‘ଓ୍ଵିକେଟ୍କିପର୍-ବ୍ୟାଟ୍ସ୍ମ୍ୟାନ୍’ ଡାକ୍ତରଖାନାକୁ ଯାଇଛନ୍ତି। ତେଣୁ, ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ର ଦ୍ୱିତୀୟ ଇନିଙ୍ଗ୍ସ୍ରେ ଭାରତ ପକ୍ଷରୁ ଉଇକେଟ୍ ରକ୍ଷକ ହେବେ ଋଦ୍ଧିମାନ ଶାହା। ପ୍ୟାଟ୍ କୁମିନ୍ସ୍ଙ୍କର ଏକ ସର୍ଟ ଡେଲିଭରି ବଲ୍କୁ ପନ୍ତ ମୁକାବିଲା କରିବାରେ ବିଫଳ ହେବାରୁ ତାହା ତାଙ୍କ କହୁଣିରେ ବାଜିଥିଲା। ଟିମ୍ ଫିଜିଓମାନେ ତୁରନ୍ତ ଚିକିତ୍ସା କରିଥିଲେ ମଧ୍ୟ ପରେ ବ୍ୟାଟିଙ୍ଗ୍ କରିବା ବେଳେ ବାମହାତୀ ବ୍ୟାଟ୍ସ୍ମ୍ୟାନ୍ ପନ୍ତ କଷ୍ଟ ଅନୁଭବ କରିଥିଲେ।


