ରେଭେନ୍ସା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ଅବ୍ୟବସ୍ଥାକୁ ନେଇ ଛାତ୍ରଛାତ୍ରୀଙ୍କ ଧାରଣା
କଟକ,(ଓ୍ବାଇଏନଏସ): ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାଂପସରେ ଅସୁରକ୍ଷିତ ଛାତ୍ରଛାତ୍ରୀ ! ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଛି କ’ଣ ? କଟକିଆଙ୍କ ଇଏ ଗର୍ବ ଗୌରବ । କଟକିଆଙ୍କ ଇଏ ବି ସ୍ବାଭିମାନ । ହେଲେ ଏହି ସ୍ବାଭିମାନକୁ ସତେ ଯେମିତି ଦଳିମକଚି ଦିଆଯାଉଛି । ରେଭେନ୍ସା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ଅବ୍ୟବସ୍ଥାକୁ ନେଇ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ହଷ୍ଟେଲ ସୁବିଧାଠାରୁ ଆରମ୍ଭ କରି ପାଠପଢ଼ା ପାଇଁ ଆବଶ୍ୟକ ଭିତ୍ତିଭୂମି ନଥିବା ଅଭିଯୋଗ ହୋଇଛି । ତା’ ସହ କ୍ୟାମ୍ପସରେ ଅନାବନା ଗଛ ଓ ବୁଦା ବଢ଼ି ଯାଇଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ମଧ୍ୟ ଉଠିଛି ପ୍ରଶ୍ନ । ହଷ୍ଟେଲ ଆରମ୍ଭ ହୋଇଥିଲେ ମଧ୍ୟ କୌଣସି ଅଧ୍ୟାପକ, ଅଧ୍ୟାପିକା କିମ୍ବା ୱାର୍ଡେନ୍ କ୍ୟାମ୍ପସରେ ରହୁନାହାନ୍ତି । କ୍ଲାସରୁମରେ ସ୍ମାର୍ଟ ବୋର୍ଡ ଲାଗିଥିଲେ ମଧ୍ୟ ତା’ କାମ କରୁନାହିଁ । ଏହାସହ ମେଡିକାଲ ସୁବିଧା ଓ ୟୁନିଭର୍ସିଟି ବସ୍ ସେବା ନଥିବାରୁ ଜରୁରୀ ସମୟରେ ଛାତ୍ରଛାତ୍ରୀଙ୍କୁ ହଇରାଣ ହେବାକୁ ପଡ଼ୁଛି ବୋଲି ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । କେବଳ ଏତିକି ନୁହେଁ, ଫିଜିକ୍ସ ଓ କେମିଷ୍ଟ୍ରି ଲାବ୍ ନଥିବାରୁ ପ୍ରାକ୍ଟିକାଲ ପାଇଁ ୧୫ କିଲୋମିଟର ଦୂରରେ ଥିବା ପ୍ରଥମ କ୍ୟାଂପସକୁ ବାରମ୍ବାର ଯିବାକୁ ପଡୁଛି । ଏସବୁ ସମସ୍ୟା ନେଇ ପୂର୍ବରୁ ଅନେକ ଥର ଅଭିଯୋଗ ହୋଇଥିଲେ ମଧ୍ୟ ପଦକ୍ଷେପ ନିଆଯାଉନଥିବା ଛାତ୍ରଛାତ୍ରୀ କହିଛନ୍ତି । ଅନ୍ୟପଟେ ଛାତ୍ରଛାତ୍ରୀଙ୍କ ଅଭିଯୋଗ ହସ୍ତଗତ ହୋଇଥିବା କହିବା ସହ ଖୁବଶୀଘ୍ର ଦ୍ୱିତୀୟ କ୍ୟାମ୍ପସ ପରିଦର୍ଶନ କରି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କୁଳପତି । ତେବେ ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସର ଅବ୍ୟବସ୍ଥା ଧୀରେ ଧୀରେ ଚିନ୍ତାର କାରଣ ପାଲଟୁଥିବା ବେଳେ, ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ କେବେ ହେବ ତାହାକୁ ଅପେକ୍ଷା ।


