ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଜିଲ୍ଲା ସ୍ତରୀୟ ନିଧି ସଂଗ୍ରହ ଅଭିଯାନର ଶୁଭାରମ୍ଭ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଅଯୋଦ୍ଧାର ଶ୍ରୀରାମ ଜନ୍ମଭୂମୀରେ ଏକ ଭବ୍ୟ ବିଶ୍ୱ ସ୍ତରୀୟ ତୀର୍ଥକ୍ଷେତ୍ର ମନ୍ଦିର ନିର୍ମାଣ କରାଯିବ । ଗତବର୍ଷ ଏନେଇ ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏକ ୫ଜଣିଆ ଖଣ୍ଡପୀଠ ଚୁଡାନ୍ତ ନ୍ୟାୟ ଦେବାପରେ ମନ୍ଦିର ନିର୍ମାଣ ନିମନ୍ତେ ପଥ ସୁଗମ ହୋଇଛି । ଏଥିନିମନ୍ତେ ଗଠିତ ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ଭାରତବର୍ଷର କୋଟି କୋଟି ରାମଭକ୍ତଙ୍କ ସହାୟତା ଲୋଡିଛି । ପ୍ରତି ରାଜ୍ୟରେ ଗଠିତ ଶ୍ରୀରାମ ମନ୍ଦିର ନିଧି ସମର୍ପଣ ସମିତି ଏଥିନିମନ୍ତେ ୧୫ଦିନ ବ୍ୟାପି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ଆଗାମୀ ମକର ସଂକ୍ରାନ୍ତୀ ଠାରୁ ଭକ୍ତ ଅଭିଯାନ ଆରମ୍ଭ ହୋଇ ଜାନୁଆରୀମାସ ୩୦ତାରିଖରେ ଶେଷ ହେବ । ସୋମବାର ପୂର୍ବାହ୍ନରେ ସମିତିର କେନ୍ଦ୍ରାପଡା ଶାଖା ପକ୍ଷରୁ ଜିଲ୍ଲା ସ୍ତରୀୟ ଅଭିଯାନର ଶୁଭ ଉଦଘାଟନ କରାଯାଇଛି । ସମିତି ପକ୍ଷରୁ ଗଠିତ ସଂଚାଳନ ଟିମର ସଂଯୋଜନ ମହନ୍ତ ହୃଷିକେଶ ପସ ମହାରାଜାଙ୍କ ପୈାରହିତ୍ୟରେ ସ୍ଥାନୀୟ ନୃସିଂହ ଟିକିରି ମଠ ପରିସରରେ ଏକ ଭବ୍ୟ ପରିବେଶରେ ଭଗବାନ ଶ୍ରୀରାମଙ୍କ ପୂଜାଅର୍ଚ୍ଚନା ଓ ହୋମ ଯଜ୍ଞ କରାଯାଇ ଅଭିଯାନର ଶୁଭାରମ୍ଭ କରାଯାଇଛି । ଏଥିରେ ଜିଲ୍ଲାର ବହୁ ମଠ, ମନ୍ଦିର, ଆଧ୍ୟାତ୍ମିକ ତଥା ସାମାଜିକ ସଂଗଠନ, ସାହିତ୍ୟିକ ଓ ସାଂସ୍କୃତିକ କର୍ମୀମାନେ ଯୋଗଦେଇ ନିଧି ସଂଗ୍ରହ ଅଭିଯାନକୁ ଶୃଙ୍ଖଳିତ ଭାବେ ସମ୍ପାଦନ କରିବା ସହ ଜିଲ୍ଲାର ପ୍ରତି ପରିବାରକୁ ଅଭିଯାନ ସହ ଯୋଡିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସଂଚାଳନ ସମିତିର ସଦସ୍ୟ ଭାବେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାମୀ ଅନିର୍ବାଣା ଗିରି, ସ୍ୱାମୀ ଆନନ୍ଦାନନ୍ଦ ଗିରି, ସ୍ୱାମୀ ବିଶ୍ୱରୂପାନନ୍ଦ ଗିରି, ମହନ୍ତ ପରାସର ଦାସ ମହାରାଜ, ନବକିଶୋର ଦାସ ମହାରାଜ, ସ୍ୱାମୀ ଯଶୋଦାନନ୍ଦ ମହାରାଜ ଅଧିକାରୀ, ଅଚ୍ୟୁତାନନ୍ଦ ଦାସ ମହାରାଜ, ଅଭୟ ଚରଣ ଦାସ ମହାରାଜ, ଡଃ.ସର୍ବେଶ୍ୱର ସେଣ, ବ୍ରହ୍ମ ଅବଧୂତ ସୁବ୍ରତ ବାବା, ସରୋଜରାଜ ସିଂ, ପ୍ରମୋଦ କର, ଦତ୍ତହରି ପଣ୍ଡା, ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ନିଧର ସଂଗ୍ରହ ଅଭିଯାନରେ ଜନସହଭାଗୀତା ଉପରେ ବକ୍ତବ୍ୟ ରଖିବା ସହ ଅଯୋଦ୍ଧାରେ ବିଶ୍ୱ ସ୍ତରୀୟ ପ୍ରମୁଖ ତୀର୍ଥକ୍ଷେତ୍ର ଶ୍ରୀରାମ ମନ୍ଦିର ନିର୍ମାଣରେ ପ୍ରତି ଗାଁକୁ ଯୋଡାଯାଇ ପାରିଲେ ଏହାଏକ ଗୈାରବ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀରାମଙ୍କ ଜନ୍ମଭୂମୀରେ ଭବ୍ୟ ମନ୍ଦିର ନିର୍ମାଣରେ ସମସ୍ତେ ସମର୍ପିତ ଭାବନାର ସହ କାର୍ଯ୍ୟକଲେ ହିଁ ଏହା ଗତ ୪୯୨ବର୍ଷ (୧୫୨୮ମସିହାରୁ – ୨୦୨୦)ମଧ୍ୟରେ ବଳିଦାନ ନେଇଥିବା ୪ଲକ୍ଷରୁ ଉର୍ଦ୍ଧ୍ୱ ରାମଭକ୍ତମାନଙ୍କ ନିମନ୍ତେ ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ଅଭିଯାନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟ ସଂଘଠନ ମନ୍ତ୍ରୀ ଆନନ୍ଦଜୀ ପାଣ୍ଡେ କହିଥିଲେ । ଏଥିସହିତ ପ୍ରାନ୍ତ ଧର୍ମ ପ୍ରସାର ପ୍ରମୁଖ ପଣ୍ଡିତ ସୁଧିର ନନ୍ଦ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ଅସ୍ମିତାର ପୁନଃସ୍ଥାପନ ନିମନ୍ତେ ସମସ୍ତ ହିନ୍ଦୁ ସମାଜ ଲିଙ୍ଗ, ଜାତି, ବର୍ଗ ଭାଷା, ସଂପ୍ରଦାୟ, କ୍ଷେତ୍ର ଆଦିକୁ ଭୁଲି ଏକାତ୍ମ ଭାବେ ଶ୍ରୀରାମଙ୍କ ସେବାରେ ସମର୍ପିତ ହେବାକୁ ଶ୍ରୀ ପାଣ୍ଡେ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅଭିଯାନ ପ୍ରମୁଖ ବିନୋଦବିହାରି ଦାସ, ହିସାବ ପ୍ରମୁଖ ବାଇଧର ରାଉତ, କାର୍ଯ୍ୟାଳୟ ପ୍ରମୁଖ ସଞ୍ଜୟ ପତ୍ରୀ ତଥା ଅନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଜିଲ୍ଲାର ୯ଗୋଟି ଖଣ୍ଡ ଓ ୨ଟି ନଗର ସମିତିର କାର୍ଯ୍ୟକର୍ତ୍ତାମାନେ ନିଜ ନିଜ ଅଚଂଳରେ ଅଭିଯାନ କାର୍ଯ୍ୟ ନିମନ୍ତେ ନିର୍ଦ୍ଧାରିତ କୁପନ ,ରସିଦ ବହି ଓ କରପତ୍ରକ ସଂଗ୍ରହ କରିଥିଲେ । ଶେଷରେ ଅକ୍ଷୟ କୁମାର ପାଣି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆଳି ଅଂଚଳର ରଶ୍ମିର-୍‌ଜନ ବେହୁରା ଏକ ଲକ୍ଷ ଏକ ହଜାର ଏକ ଟଙ୍କା ଏବଂ ଉକ୍ତ ଅଂଚଳର ଭାଗ୍ୟବତୀ ପଣ୍ଡା ଏକଲକ୍ଷ ଟଙ୍କାର ଚେକ ଶ୍ରୀରାମ ମନ୍ଦିର ନିର୍ମାଣାର୍ଥେ ନିଧି ସହାୟତା ରାଶି ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ