ମତ୍ସ୍ୟ ଚାଷ ସମ୍ପର୍କରେ ତାଲିମ ଓ ସଚେତନତା ପାଇଁ ୱେବିନାର

ବାଲେଶ୍ୱର,(ଓ୍ବାଇଏନ୍ଏସ୍): ଆଜି ସ୍ଥାନୀୟ ସିପେଟ୍ ସମ୍ମିଳନୀ କକ୍ଷ ଠାରେ ମତ୍ସ୍ୟ ଚାଷ ଓ ଆକ୍ୱାକଲଚର୍ ସମ୍ପର୍କରେ ତାଲିମ ଓ ସଚେତନତା ସୃଷ୍ଟି ପାଇଁ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମତ୍ସ୍ୟ ସମ୍ପଦର ବିକାଶ ଓ ଅଭିବୃଦ୍ଧି ପାଇଁ ସଚେତନତା ସୃଷ୍ଟି ସହ ପ୍ରଶିକ୍ଷଣର ଆବଶ୍ୟକତା ରହିଥିବା କହିଥିଲେ । ଦେଶରେ ନୀଳକ୍ରାନ୍ତି ଯୋଜନା ଆରମ୍ଭ ହୋଇଥିବା ବେଳେ ୨୦୨୪ ମସିହା ସୁଦ୍ଧା ମତ୍ସ୍ୟ ଉତ୍ପାଦନକୁ ୨୨୦ଲକ୍ଷ ଟନ୍‌ରେ ପହଂଚାଇବା ଏବଂ ଚାଷୀର ଆୟକୁ ଦ୍ୱିଗୁଣିତ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି, ତାହା ହାସଲ କରିବା ପାଇଁ ପ୍ରତ୍ୟେକ ସ୍ତରରେ ଉଦ୍ୟମ କରାଯିବା ସହିତ ଏଥିରେ ପ୍ରତ୍ୟକ୍ଷ ଭାବେ ଜଡିତ ଚାଷୀମାନଙ୍କୁ ବିଭିନ୍ନ ଅତ୍ୟାଧୁନିକ ପ୍ରଣାଳୀ ଓ ଜ୍ଞାନକୌଶଳ ସମ୍ପର୍କରେ ତାଲିମ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ବିଶେଷ କରି ଜାଆଁଳ ଉତ୍ପାଦନ ଏବଂ ତାହାର ସୁରକ୍ଷା, ଶୀତଳ ଭଣ୍ଡାର ସ୍ଥାପନ ଓ ଉତ୍ପାଦିତ ସାମଗ୍ରୀର ବିତରଣ ପାଇଁ ଉପଯୁକ୍ତ ଯୋଜନା ପ୍ରଣୟନ ସହିତ ତାହାକୁ କାର୍ଯ୍ୟକାରୀ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି ୱେବିନାରରେ ଭୁବନେଶ୍ୱରରୁ ମାନ୍ୟବର ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ଓଡିଶା ଏବେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିପାରିଥିବା କହିଥିଲେ । ରାଜ୍ୟରେ ଏବେ ମତ୍ସ୍ୟ ଉତ୍ପାଦନ ୮(ଆଠ) ଲକ୍ଷ ମେଟ୍ରିକ ଟନ୍‌କୁ ଅତିକ୍ରମ କରିଥିବା ବେଳେ ଓଡିଶା ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ଭାବେ ସମ୍ମାନୀତ ହେବା ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ ବୋଲି ସେ ମତବ୍ୟକ୍ତ କରିଥିଲେ । ରାଜ୍ୟରେ ଏବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ମାଛ ଚାଷ କରିବା ପାଇଁ ଉତ୍ସାହିତ କରାଯାଉଥିବା ବେଳେ ଆଗାମୀ ସମୟରେ ରାଜ୍ୟର ମତ୍ସ୍ୟ ଉତ୍ପାଦନ ବେଶ ବୃଦ୍ଧି ହୋଇପାରିବ ବୋଲି ସେ ଆଶାପ୍ରକଟ କରିଥିଲେ । ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ଆୟୁକ୍ତ ତଥା ସଚିବ ଡ. ଆର. ରଘୁ ପ୍ରସାଦ ମାଛ ଚାଷ ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ପ୍ରୋତ୍ସାହନ, ସବସିଡି ଓ ଅନ୍ୟାନ୍ୟ ସୁବିଧା ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଜି. ରତିନରାଜ୍ ସ୍ୱାଗତ ଅଭିଭାଷଣ ପ୍ରଦାନ ସହ ୱେବିନାର ଆୟୋଜନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ମତ୍ସ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଦେବାନନ୍ଦ ଭଞ୍ଜ ଓଡିଶା ରାଜ୍ୟରେ ମାଛ ଚାଷର ସ୍ଥିତି ଏବଂ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଭଦ୍ରକ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ମତ୍ସ୍ୟ ବିଜ୍ଞାନୀ ଶ୍ରୀ ଅମ୍ବିକା ପ୍ରସାଦ ନାୟକ ଆଧୁନିକ ଜ୍ଞାନ କୌଶଳରେ ମାଛ ଚାଷ ସମ୍ପର୍କରେ ବୁଝାଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ସମ୍ପର୍କିତ ପ୍ରଚାର ପୁସ୍ତିକାକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ସମେତ ଅନ୍ୟ ଅତିଥିମାନେ ଉନ୍ମୋଚନ କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାର ମାଛ ଚାଷୀ ଓ ମତ୍ସ୍ୟ ବିଭାଗ ଅଧିକାରୀମାନେ ୱେବିନାରରେ ଯୋଗ ଦେଇ ମତ୍ସ୍ୟ ଚାଷ ଏବଂ ଆକ୍ୱାକଲଚରର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ ସହ ନିର୍ଦ୍ଦେଶକ ଡ.ଗୁଣମୟ ପାତ୍ର, ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡର ବରିଷ୍ଠ ଅଧିକାରୀ ଡ. ମାନସ କୁମାର ସିହ୍ନା, ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ବ୍ୟକ୍ତିଗତ ସଚିବ ଡ. ରାଘବ ଦାଶ, ବାଲେଶ୍ୱର ମତ୍ସ୍ୟ ବିଭାଗର ଉପନିର୍ଦ୍ଦେଶକ ଶ୍ରୀ ଅଜୟ କୁମାର ଭୋଇଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ