ଦୁର୍ଗମ ଅଞ୍ଚଳ ବୋଲି ବିକାଶ ଏଠି ପାଲଟିଛି ସାତ ସପନ 

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ଅନେକ ଗ୍ରାମ ବାହ୍ୟ ମଳମୁକ୍ତ ହୋଇଥିବା ଘୋଷଣା କରାଯାଇଛି। ଏଥିପାଇଁ ଜାତୀୟସ୍ତରରେ ଜିଲାକୁ ପୁରସ୍କାର ମଧ୍ୟ ମିଳିଛି। ସରକାରୀ ଅଧିକାରୀ ଗ୍ରାମରେ ପହଞ୍ଚି ଲୋକଙ୍କୁ ବାହ୍ୟ ମଳମୁକ୍ତ ବିଷୟରେ ଅବଗତ କରାଇ ବୋର୍ଡ ମାରିଛନ୍ତି। ହେଲେ ପ୍ରକୃତ ସତ୍ୟ ଅଲଗା । ଗ୍ରାମକୁ ଯେଉଁଠି ସର୍ବନିମ୍ନ ସୁବିଧା ରାସ୍ତାଟିଏ ନାହିଁ, ସେଠି ବାହ୍ୟ ମଳମୁକ୍ତ ଗ୍ରାମ କି ବାର୍ତ୍ତା ବହନ କରୁଛି ତାହା ଏବେ ଆଲୋଚନାର ବିଷୟ ହୋଇଛି । ଏଭଳି ଏକ ଗ୍ରାମ ହେଉଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକପାଦ ବ୍ଲକ ଚାହାଳୀ ପଞ୍ଚାୟତର ଆଦିବାସୀ ବହୁଳ ଅଣ୍ଡ୍ରିଗଡ ଗ୍ରାମ । ସରକାର ଆଦିବାସୀମାନଙ୍କ ବିକାଶ ପାଇଁ ବହୁ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅଣ୍ଡ୍ରିଗଡ଼ ଗ୍ରାମବାସୀଙ୍କ ସମସ୍ୟା ସୁଧୁରୁନି । ଚାହାଳୀ ପଞ୍ଚାୟତର ୧୬ ନଂ. ୱାର୍ଡ ହେଉଛି ଅଣ୍ଡ୍ରିଗଡ ଗ୍ରାମ। ଦୁର୍ଗମ ଅଞ୍ଚଳ ବୋଲି ବିକାଶ ଏଠି ସାତ ସପନ ପାଲଟିଛି। ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଆଦି ସବୁ କ୍ଷେତ୍ରରେ ଅବହେଳିତ ଏହି ଗ୍ରାମ। ଗାଁରେ ୫୦ରୁ ଊର୍ଦ୍ଧ୍ୱ ଘରେ ୧୫୦ ଲୋକେ ରହୁଛନ୍ତି। ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ହେଲେ ରାସ୍ତା ନ ଥିବାରୁ ଶିକ୍ଷୟିତ୍ରୀ ଶିକ୍ଷକମାନେ ଯାତାୟତ କରିବାରେ ଅସୁବିଧା ଭୋଗୁଛନ୍ତି । ଗ୍ରାମର ପିଲାମାନେ ଉପର ଶ୍ରେଣୀରେ ପଢ଼ିବା ପାଇଁ ୧୦ କିମି ଦୂରରେ ଥିବା ବିଦ୍ୟାଳୟକୁ ପାହାଡିଆ ରାସ୍ତାରେ ଯାଇଥାନ୍ତି। ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଗ୍ରାମକୁ ଯାଇପାରେ ନାହିଁ । କୌଣସି ରୋଗୀ କିମ୍ବା ଆସନ୍ନ ପ୍ରସବା ଜଙ୍ଗଲ ରାସ୍ତାରେ ୧୦ କିମି ଦୂର ଜମ୍ବୁବଣିଆ ନିକଟକୁ ଆସିିବା ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ଗାଲେରି ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥାନ୍ତି। ଗ୍ରାମରେ ଗୋଟିଏ ହେଲେ ନଳକୂପ ନାହିଁ। କୂଅ ଏବଂ ଦୂଷିତ ଝରଣା ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରିବାକୁ ପଡ଼େ। ସରକାରୀ ଚାଊଳ ଆଣିବାକୁ ପାହାଡ ରାସ୍ତାରେ ୧୦ କିମି ଯିବାକୁ ପଡେ। ଗାଁରେ ବିଜୁଳି ମାସରେ ୨୦ ଦିନ ଲୁଚକାଳି ଖେଳେ। ଆବାସ ଯୋଜନାରେ ଘର ବି କରି ହେଉନାହିଁ। ଏସବୁ ସମସ୍ୟା ନେଇ ଗ୍ରାମବାସୀ ସରପଞ୍ଚଙ୍କଠାରୁ ଆରମ୍ଭ କରି ପ୍ରଶାସନ ଏବଂ ରାଜନେତାଙ୍କୁ ଅବଗତ କରି ଆସୁଥିଲେ ମଧ୍ୟ ସମସ୍ୟା ଅପରିବର୍ତ୍ତିତ ରହିଛି। ଆମକୁ ବିକାଶ ଦରକାର। ସର୍ବନିମ୍ନ ଆବଶ୍ୟକତା କହିଲେ ଆଗେ ରାସ୍ତା ଦରକାର ବୋଲି ଗ୍ରାମ ସଭାପତି ନରହରି ମଳିକ, କିଶୋର ଚନ୍ଦ୍ର ମଳିକ, ପଙ୍କଜ ମଳିକ, ନରୋତ୍ତମ ମଳିକ, ରାଜେନ୍ଦ୍ର ମଳିକ, ବୃନ୍ଦାବତୀ କହଁର, ଯୁଧିଷ୍ଠିର କହଁରଙ୍କ ସମେତ ଅନ୍ୟମାନେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ