ପୂର୍ବତନ ମନ୍ତ୍ରୀ, ଜନନେତା ପ୍ରହ୍ଲାଦ ମଲିକଙ୍କ ୯୨ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ଓଡ଼ିଶାର ପୂର୍ବତନ ମନ୍ତ୍ରୀ, ବିରୋଧୀ ଦଳର ନେତା, ଜନନେତା ପ୍ରହ୍ଲାଦ ମଲିକଙ୍କ ୯୨ତମ ଜୟନ୍ତୀ ଉତ୍ସବ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡ଼େମୀଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଓଡ଼ିଶାର ଦୁଇଜଣ ପୂର୍ବତନ ମନ୍ତ୍ରୀ ଶ୍ରୀ ବୀରଭଦ୍ର ସିଂହ ଓ ଶ୍ରୀ ପଞ୍ଚାନନ କାନୁନଗୋ ଏବଂ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ଅତିଥି ରୂପେ ଯୋଗଦେଇ ସ୍ୱର୍ଗତ ମଲିକଙ୍କ ବହୁବିଧ ପ୍ରତିଭା ତଥା ଓଡ଼ିଶାକୁ ଗଢିତୋଳିବାରେ ତାଙ୍କର ବିଶେଷ ଅବଦାନ ସମ୍ପର୍କରେ ଅବତାରଣା କରିଥିଲେ । ପ୍ରକାଶ ଯୋଗ୍ୟ ଯେ, ପ୍ରହ୍ଲାଦ ମଲିକ ୧୯୫୭ ମସିହାରେ ପ୍ରଥମେ କେନ୍ଦ୍ରାପଡ଼ା ସଂଯୁକ୍ତ ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ପଟ୍ଟାମୁଣ୍ଡାଇ (ସଂରକ୍ଷିତ), ରାଜଗନର, ବରୀ-ଡ଼େରାବିଶ ଓ ପାଟକୁରା ଅଣସଂରକ୍ଷିତ ଆସନ ଗୁଡ଼ିକରୁ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ । ବିଭିନ୍ନ ସମୟରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ବହନ କରିଥିଲା ବେଳେ ରାଜ୍ୟର ଦଳସେଚନ ଓ ବନ୍ୟା ନିୟନ୍ତ୍ରଣ ନିମନ୍ତେ ତାଙ୍କ ଅବଦାନ ସ୍ମରଣୀୟ । ପୂର୍ବତନ ମନ୍ତ୍ରୀ ବୀରଭଦ୍ର ସିଂହ ଶ୍ରୀ ମଲିକଙ୍କ ସହଯୋଗୀ ରୂପେ ଏକ ସମୟରେ ମନ୍ତ୍ରୀମଣ୍ଡଳରେ ଏକତ୍ର କାର୍ଯ୍ୟ କରିଥିବା ଅନୁଭୂତି ଉପସ୍ଥାପନ କରିବା ସହିତ ନିଷ୍ପତ୍ତି ନେବାର ନିପୂଣତା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ଆଇସିଏମ୍‌ଆର- ଆଞ୍ଚଳିକ ମେଡ଼ିକାଲ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶିକା ତଥା ବିଶିଷ୍ଟ ଗବେଷିକା ଡ଼ାକ୍ତର (ଶ୍ରୀମତୀ) ସଂଘମିତ୍ରା ପତିଙ୍କୁ ୨୦୨୦ବର୍ଷ ପାଇଁ “ପ୍ରହ୍ଲାଦ ମଲିକ ସମ୍ମାନ” ପ୍ରଦାନ କରାଯାଇଛି । ଏଥିସହିତ ବିଶିଷ୍ଟ କୃଷକନେତା ଶ୍ରୀ ଲିଙ୍ଗରାଜ ‘ପ୍ରହ୍ଲାଦ ସ୍ମାରକୀ ବକ୍ତୃତା’ କ୍ରମରେ ‘କୃଷିନୀତି ଅତୀତ ଓ ବର୍ତ୍ତମାନ’ ଶୀର୍ଷକ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ଭାରତର କୃଷକମାନଙ୍କୁ କୃଷିଜାତ ଦ୍ରବ୍ୟର ନିମ୍ନତମ ମୂଲ୍ୟ ପ୍ରଦାନ ସୁନିଶ୍ଚିତ କରାଯିବା ଆବଶ୍ୟକ ବୋଲି ଉପସ୍ଥାପନା କରିଥିଲେ ।ପ୍ରହ୍ଲାଦ ମଲିକ ସ୍ମୃତି ପରିଷଦର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷା, ପୂର୍ବତନ ବିଧାୟିକା ଡ଼କ୍ଟର ସିପ୍ରା ମଲ୍ଲିକ ସ୍ୱାଗତ ଭାଷଣ ଦେଇଥିଲେ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ୍ ଅଧ୍ୟକ୍ଷ ତଥା ପରିଷଦର ସମ୍ପାଦକ ଡକ୍ଟର ବସନ୍ତ କୁମାର ମଲ୍ଲିକ ବିବରଣୀ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜର ପରିଚାଳକ ସୁରେଶ ମନ୍ତ୍ରୀ, ଗାନ୍ଧିବାଦୀ ଚିନ୍ତକ ପ୍ରହ୍ଲାଦ ସିଂହ, ନିଶାମୁକ୍ତି ଅଭିଯ।।ନର ଅଧ୍ୟକ୍ଷ, ବର୍ଷିୟାନ ନେତା ପଦ୍ମଚରଣ ନାୟକ, ନାରୀନେତ୍ରୀ ସୁମିତ୍ରା ଜେନା, ବିଶିଷ୍ଟ ପରିବେଶ କର୍ମୀ ପ୍ରଫୁଲ୍ଲ ସାମନ୍ତରାୟଙ୍କ ସମେତ ବହୁ ବୁଦ୍ଧିଜୀବୀ ଏଥିରେ ଯୋଗାଦାନ କରି ଜନନେତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବିଶିଷ୍ଟ ଲେଖିକା ସୁପ୍ରିୟା ମଲିକ ସଭା ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ