ଗଜପତିରେ ପୁଣି ୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଗଲା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ପୁଣି ଗତକାଲି ବେଆଇନ ଭାବେ ଚାଷ କରାଯାଇଥିବା ୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଚୋରା ଗଞ୍ଜେଇ ଗଛକୁ ପୋଡି ଦିଆଯାଇଛି । ଘଟଣାରୁ ପ୍ରକାଶ,ଗଜପତି ଜିଲ୍ଲାପାଳ ଅନୁପମ ସାହା,ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ପୋଲିସ,ଅବକାରୀ,ବନ ଓ ରାଜସ୍ୱ ବିଭାଗର ମିଳିତ ଚଢାଉରେ ଗତକାଲି ପୁଣି ଏହି ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳରୁ ୮ କୋଟି ୮୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛକୁ ପୋଡା ଯାଇଛି । ଏକ ସୂଚନାକୁ ଭିତ୍ତି କରି ଆର୍.ଉଦୟଗିରି ଥାନାଧିକାରୀ ମମତା ନାୟକଙ୍କ ନେତୃତ୍ୱରେ ପୋଲିସ, ଅବକାରୀ,ବନ ଓ ରାଜସ୍ୱ ବିଭାଗ କର୍ମଚାରୀମାନେ ଚଢାଉ କରି ଆର୍.ଉଦୟଗିରି ବ୍ଲକର କାକଟବନ୍ଧା ଗ୍ରାମ ନିକଟରେ ଥିବା ଜଙ୍ଗଲରେ ପ୍ରାୟ ୪୪ ଏକରରୁ ଉର୍ଦ୍ଧ୍ୱ ଜମିରେ ବେଆଇନ ଭାବେ ଲଗାଯାଇଥିବା ୮୮,ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଥିଲା । ଯାହାର ଆନୁମାନିକ ବଜାର ମୁଲ୍ୟ ୮ କୋଟି ୮୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ଜଣାପଡିଛି । ଏହି ଚଢାଉ ନୂଆଗଡ ତହସିଲଦାର ପ୍ରଫୁଲ କୁମାର କୁଜୁରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କରାଯାଇଥିଲା । ଏ ନେଇ ଆର୍.ଉଦୟଗିରି ଥାନାରେ କେସ ନଂ-୧୬/୨୧ ଏନଡିପିଏସ ଆକ୍ଟର ଧାରା ୨୦(କ)(ଆଇ)ରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।


