ଜାତୀୟ ଉଠାଦୋକାନୀ ଦିବସ ପାଳିତ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ଜାତୀୟ ଉଠାଦୋକାନୀ ଦିବସ ଉପଲକ୍ଷେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟ ତରଫରୁ ରାଜ୍ୟସ୍ତରୀୟ ଜାତୀୟ ଉଠାଦୋକାନୀ ଦିବସ ମହାସମାରୋହରେ ୟୁନିଟ୍-୧ଠାରେ ପାଳିତ ହୋଇଯାଇଛି । ପ୍ରଥମେ ରାଜମହଲ ଛକରୁ ଉଠାଦୋକାନୀମାନଙ୍କର ଏକ ବିରାଟ ଶୋଭାଯାତ୍ରାରେ ବାହାରି ୟନିଟ୍-୧ଠାରେ ପହଞ୍ôଚଥିଲା । ସେଠାରେ ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ କହିଲେ ଯେ, ଉଠାଦୋକାନୀମାନଙ୍କ ସମସ୍ୟା ଉପରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇ ସେମାନଙ୍କ ସବୁ ସମସ୍ୟାର ସମାଧାନ କରାଯିବ । ମୁଖ୍ୟବକ୍ତା ଭାବରେ ମାନ୍ୟବର ରାଜ୍ୟସଭା ସାସଂଦ ସୁବାସ ସିଂ ଯୋଗଦେଇ ତାଙ୍କ ଅଭିଭାଷଣରେ କହିଲେ ଯେ, ଉଠାଦୋକାନୀଙ୍କ ସହିତ ମୋର ଦୀର୍ଘ ୩୦ ବର୍ଷର ସମ୍ପର୍କ ଏବଂ ଆପଣମାନଙ୍କ ସମସ୍ତ ସମସ୍ୟା ମୁଁ ନିଜ ଆଖିରେ ଦେଖିଛି ଏବଂ ଓଡ଼ିଶାର ବହୁ ଜାଗାରେ ଭେଣ୍ଡିଂଜୋନ ମାଧ୍ୟମରେ ଉଠାଦୋକାନୀମାନଙ୍କୁ ଥଇଥାନ କରିବାରେ ମୋର ମଧ୍ୟ ପ୍ରମୁଖ ଭୂମିକା ରହିଛି । ବାକି ରହିଯାଇଥିବା ଉଠାଦୋକାନୀମାନଙ୍କୁ ତୁରନ୍ତ ଥଇଥାନ କରାଯିବା ପାଇଁ ରାଜ୍ୟ ସରକାର ଚେଷ୍ଟା କରିବେ । ଉଚ୍ଛେଦ ହୋଇଥିବା ଉଠାଦୋକାନୀମାନଙ୍କୁ ଖୁବ୍ ଶୀଘ୍ର ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଟ୍ରଷ୍ଟର ଉପଦେଷ୍ଟା ତଥା ମାନ୍ୟବର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା କହିଲେ ଯେ, ମୁଁ ମେୟର ଥିବା ସମୟରେ ବହୁ ଉଠାଦୋକାନୀମାନଙ୍କୁ ଥଇଥାନ କରାଯାଇଛି ଏବଂ ଭବିଷ୍ୟତରେ ମଧ୍ୟ ଥଇଥାନ କରାଯିବ । କୌଣସି ଦୋକାନୀଭାଇ ଓ ଭଉଣୀମାନେ ବ୍ୟସ୍ତ ନହୋଇ ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ । ଭାରତ ସମେତ ସାରା ବିଶ୍ୱରୁ ବିଭିନ୍ନ ବ୍ୟକ୍ତିବିଶେଷ ଆସି ଏହି ଭେଣ୍ଡିଂଜୋନକୁ ଦେଖି ପ୍ରଶଂସା କରିଛନ୍ତି ଏବଂ ତାଙ୍କ ଦେଶରେ ଭେଣ୍ଡିଂଜୋନ ପ୍ରତିଷ୍ଠା ମଧ୍ୟ କରିଛନ୍ତି । ଅନ୍ୟତମ ଅତିଥି ଏସିପି ବିଷ୍ଣୁ ପ୍ରସାଦ ପାତ୍ର ଯୋଗଦେଇ କହିଲେ ଯେ, ଉଠାଦୋକାନୀମାନେ ନିଜେ ରୋଜଗାର କରି ପେଟ ପୋଷିବା ସହିତ ତାଙ୍କ ପରିବାରକୁ ମଧ୍ୟ ପ୍ରତିପୋଷଣ କରିଥାନ୍ତି । ଏଥିସହିତ ସଡକ ସୁରକ୍ଷା ଉପରେ ମଧ୍ୟ ସେ ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବରେ ଶ୍ରମିକନେତା ସନାତନ ବେହେରା, ପୂର୍ବତନ କର୍ପୋରେଟର ରାଜକିଶୋର ସାହୁ, ରାମଚନ୍ଦ୍ର ପ୍ରଧାନ, ନବକିଶୋର ବେହେରା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସଂଗଠନର ବିପିନ ବିହାରୀ ଦାସ, ସୂର୍ଯ୍ୟମଣି ସାହୁ, ଜୟଦେବ ସାହୁ, ନିରଞ୍ଜନ ପାଣ୍ଡେ, ଭରତ ସାହୁ, ବିପିନ ଜେନା, ସତ୍ୟରଞ୍ଜନ ମହାପାତ୍ର, ପି. ସୁଦର୍ଶନ ପୃଷ୍ଟି, ଶାନ୍ତନକୁ କୁମାର ସାହୁ, ମନୋଜ କୁମାର ସାହୁ, ସୁରେଶ ପଟ୍ଟନାୟକ, ଅନୁ ମିଶ୍ର ଓ ବାନାମ୍ବର ପଟ୍ଟନାୟକଙ୍କ ସମେତ ଶତାଧିକ ସଦସ୍ୟ ସହଯୋଗ କରିଥିଲେ । ଶେଷରେ ଟ୍ରଷ୍ଟର ସାଧାରଣ ସମ୍ପାଦକ ଅନୁଜ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।