ବାହାଘର ପାଇଁ ଝିଅର ବାପା ଅରାଜି : ନାବାଳିକାଙ୍କୁ ଅପହରଣ କଲା ପ୍ରେମିକ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ନାବାଳିକା ପ୍ରେମିକାଙ୍କ ସହ ବିବାହ ପାଇଁ ପ୍ରେମିକାଙ୍କ ବାପା ମନାକରିବାରୁ ପ୍ରତିଶୋଧ ପରାୟଣ ହୋଇ ପ୍ରେମିକ, ନାବାଳିକା ପ୍ରେମିକାଙ୍କୁ ଅପହରଣ କରିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ହିଞ୍ଜିଳି ଥାନା ଅଂଚଳରେ ବୁଧବାର ସନ୍ଧ୍ୟାରେ ଘଟିଛି । ପ୍ରକାଶ ଯେ, ହିଞ୍ଜିଳି ଥାନା ଅଂଚଳର ଜୈନିକା ୧୭ ବର୍ଷିୟା ନାବାଳିକା ସହ ସେହି ଗ୍ରାମର ଜଣେ ଯୁବକଙ୍କ ପ୍ରେମ ସର୍ମ୍ପକ ଗଢି ଉଠିଥିଲା । ବୁଧବାର ଅପରାହ୍ନରେ ଝିଅର ବାପା ବଜାର ସଉଦା ସକାଶେ ହିଞ୍ଜିଳିକାଟୁ ସହରକୁ ଆସୁଥିବା ସମୟରେ ପ୍ରେମିକ ଓ ତାଙ୍କର ଦୁଇ ବନ୍ଧୁ ପ୍ରେମିକାଙ୍କ ବାପାଙ୍କୁ ରାସ୍ତା ମଝିରେ ଅଟକାଇ ତାଙ୍କରି ଝିଅକୁ ଭଲ ପାଇବା ସହ ମୋ ସହିତ ବିବାହ କରାଇବା ପାଇଁ ଅନୁରୋଧ କରିଥିଲେ । ଏଥିରେ ଝିଅର ବାପା ରାଜି ନହେବାରୁ ପ୍ରେମିକ ଓ ଜଣେ ବନ୍ଧୁ ମିଶି ପ୍ରେମିକାଙ୍କ ଘରକୁ ଯାଇ ଜୋର ଜବରଦସ୍ତ ମୋଟର ସାଇକେଲ ଯୋଗେ ଅପହରଣ କରି ନେଇଥିଲେ । ପ୍ରେମିକ ଓ ଜଣେ ବନ୍ଧୁ ସହ ପ୍ରେମିକାଙ୍କୁ ବାଇକ ଯୋଗେ ନେଉଥିବା ବେଳେ ରାସ୍ତାରେ ଝିଅ ବାପାଙ୍କୁ ଘରକୁ ଫେରୁଥିବାର ଦେଖି ଚିତ୍କାର କରିଥିଲା । ତେବେ ପ୍ରେମିକ ଓ ବନ୍ଧୁ ମିଶି ନାବାଳିକାଙ୍କୁ ଅପହରଣ କରି ନେଇ ଫେରାର ହୋଇ ଯାଇଥିଲେ । ଘଟଣା ନେଇ ଝିଅର ବାପା ବୁଧବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ହିଞ୍ଜିଳି ଥାନାରେ ନଂ-୩୩/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।


