ଅକ୍ସଫାମ ଇଣ୍ଡିଆ ଅସମାନତା ରିପୋର୍ଟ ବିଶ୍ୱବ୍ୟାପୀ ଅସମାନତା ବଢାଇଛି କରୋନା

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): କରୋନା କାଳରେ ଦେଶରେ ବ୍ୟାପକ ଅସମାନତା ଦେଖିବାକୁ ମିଳିଛି । ମାର୍ଚ୍ଚ ୨୦୨୦ ପରଠାରୁ ଦେଶର ୧୦୦ ଅରବପତିଙ୍କ ସମ୍ପତ୍ତି ୧୨,୯୭,୮୨୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହି ଅର୍ଥକୁ ଦେଶର ୧୩୮ ନିୟୁତ ଗରିବଙ୍କୁ ବଣ୍ଟାଗଲେ ପ୍ରତ୍ୟେକଙ୍କୁ୯୪,୦୪୫ ଟଙ୍କା ଲେଖାଏଁ ଭାଗ ପଡ଼ିବ ବୋଲି ଅକ୍ସଫାମ ଇଣ୍ଡିଆ ପକ୍ଷରୁ ଆଜି ଏଠାରେ ଉନ୍ମୋଚିତ ଅସମାନତା ଭୁତାଣୁ ସମ୍ପର୍କିତ ରିପୋର୍ଟରେ ଦର୍ଶାଯାଇଛି ।ଅକ୍ସଫାମ ଇଣ୍ଡିଆର ଆଞ୍ଚଳିକ ମୁଖ୍ୟ ଅକ୍ଷୟ ବିଶ୍ୱାଳଙ୍କ ସଂଯୋଜନାରେ ସୋମବାର ପ୍ରେସ୍ କ୍ଲବ ଅଫ ଓଡ଼ିଶା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଅସଂଗଠିତ କ୍ଷେତ୍ର ଓ କାମ କରୁଥିବା ଶ୍ରମିକ, ମହିଳା, କୃଷି, ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷାସ୍ତରରେ ଥିବା ଅସମାନତାକୁ ମହାମାରୀ କିଭଳି ଅଧିକ କାବୁ କରି ନେଇଛି ଦର୍ଶାଇଥିଲେ । ଲକଡ଼ାଉନ ଲାଗୁ ହେବା ପରେ ସମାଜରେ ପୂର୍ବରୁ ଥିବା ଅସମାନତା ଭୟଙ୍କର ଭାବେ ସାମ୍ନାକୁ ଆସିଛି ।୨୦୨୦ ମାର୍ଚ୍ଚ ୧୮ରୁ ସେହିବର୍ଷ ଡ଼ିସେମ୍ବର ୩୧ ମଧ୍ୟରେ ଜେଫ ବିଜୋସ, ଏଲାନ ମାସ୍କ, ବିଲ୍ ଗେଟ୍‌ସ, ମାର୍କ ଜୁକରବର୍ଗ, ଲାରି ଏଲିସନ ଓ ମୁକେଶ ଆମ୍ବାନୀଙ୍କ ପରି ୧୦ ଧନୀ ବ୍ୟକ୍ତି ୫୪୦ ବିଲିୟନ ଡ଼ଲାର ସମ୍ପତ୍ତିର ମାଲିକ ହୋଇଥିବା ବେଳେ ବିଶ୍ୱର ଏକ ବଡ଼ଭାଗ ଜନଗଣ ଜୀବିକା ହରାଇବାର ଦୁଃଖ ସହ ମହାମାରୀର ଆଶଙ୍କା ଭିତରେ ଥିଲେ । କଡ଼ାକଡ଼ି ଲକଡ଼ାଉନ ଜାରି ଫଳରେ ଅର୍ଥନୀତିରେ ସ୍ଥିତାବସ୍ଥା ଦେଖାଦେବା ସହ ବେକାରୀ, କ୍ଷୁଧା, ଅଭାବ, ଦେଶାନ୍ତର ଏବଂ କଠିନ ପରିସ୍ଥିତି ଦେଖାଦେଲା । ଏପ୍ରିଲର ପ୍ରତି ଘଣ୍ଟାରେ ବିଶ୍ୱରେ ୧,୭୦,୦୦୦ ଲୋକ ନିଯୁକ୍ତି ହରାଇଥିଲେ ବୋଲି ଆଲୋଚକମାନେ ସୁଚାଇଥିଲେ ।ଭାରତ ହେଉଛି ଷଷ୍ଠଦେଶ ଯେଉଁଠି ଭାରତୀୟ ଅରବପତିଙ୍କ ସମ୍ପତ୍ତି ଲକଡ଼ାଉନ ସମୟରେ ୩୫ ପ୍ରତିଶତ ବଢିଛି । ଲକଡ଼ାଉନ ଯୋଗୁଁ ପ୍ରାୟ ୩୦୦ ଅସଂଗଠିତ ଶ୍ରମିକ ପ୍ରାଣ ହରାଇଥିବା ଏହି ରିପୋର୍ଟ ଦର୍ଶାଇଛି । ଆତ୍ମହତ୍ୟା, ଦୁର୍ଘଟଣା ଓ ସ୍ୱାସ୍ଥ୍ୟସେବା ନ ପାଇ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି । ୨୦୨୦ ଏପ୍ରିଲରେ ଜାତୀୟ ମାନବାଧିକାର ଆୟୋଗ ୨୫୮୨ଟି ମାନବିକ ଅଧିକାର ଉଲଂଘନ ମାମଲା ପଞ୍ଜିକୃତ କରିଥିବା ବେଳେ ଦେଶରେ ଏହି ଅବଧି ମଧ୍ୟରେ ୧୪୭୭ ଘରୋଇ ହିଂସା ପଞ୍ଜିକୃତ ହୋଇଛି ।ଦୀର୍ଘଦିନ ଧରି ସ୍କୁଲ୍ ବନ୍ଦ ରହିବା ଯୋଗୁଁ ଅଧାରୁ ପାଠ ଛାଡୁଥିବା ସଂଖ୍ୟା ବୃଦ୍ଧି ପାଇବ । ଗ୍ରାମାଞ୍ଚଳରେ ମାତ୍ର ୩ ପ୍ରତିଶତ ଲୋକଙ୍କ ଘରେ କମ୍ପୁଟର ଥିବା ବେଳେ ୧୫ ପ୍ରତିଶତ ଗ୍ରାମୀଣ ପରିବାର ନିକଟରେ ଇଣ୍ଟରନେଟ ସୁବିଧା ଥିବାରୁ ଶିକ୍ଷା କ୍ଷେତ୍ରରେ ଅସମାନତା ଅଧିକ ପଡ଼ିଥିବା ଅତିଥି ଓ ଆଲୋଚକମାନେ କହିଛନ୍ତି ।ଅକ୍ସଫାମ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଆଞ୍ଚଳିକ ପ୍ରାବନ୍ଧିକ ଅକ୍ଷୟ ବିଶ୍ୱାଳ ସ୍ୱାଗତ ଭାଷଣ ଦେବା ସହିତ ଆଭିମୁଖ୍ୟ ଉପସ୍ଥାପନା କରିଥିଲେ । ଡକ୍ଟର ହିରଣ୍ମୟୀ ମିଶ୍ର, କିଟ୍‌ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡ଼ିର ଡିନ୍ ଡ଼କ୍ଟର ଏସ୍‌.ଏନ୍‌. ମିଶ୍ର, ଆଇଆଇଏମ୍‌ଏସ୍‌ର ନିର୍ଦ୍ଦେଶକ ଡ଼କ୍ଟର ମୃଣାଳ ଚାଟାର୍ଜୀ ପ୍ରମୁଖ ଅସମାନତାର ବିଭିନ୍ନ କାରଣ, ସ୍ତର, ସମସ୍ୟା ଓ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ