ରାଞ୍ଚିରେ କ୍ଲିନସୁଇପ୍ କରିବୁ: କୋହଲି
ପୁଣେ: ପୁଣେ ଟେଷ୍ଟ ଜିତି ସିରିଜ୍ କବ୍ଜା କରିସାରିଥିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ନଜର ଏବେ ରାଞ୍ଚିରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ଉପରେ ରହିଛି । ସିରିଜ୍ ଜିତିବା ପରେ ଅଧିକାଂଶ ଟିମ୍ ପ୍ରତିପକ୍ଷ ଦଳକୁ ହାଲୁକା ଭାବେ ନିଅନ୍ତି, କିନ୍ତୁ କୋହଲି ଏହି ମାମଲାରେ ସମ୍ପୂର୍ଣ୍ଣ ବିପରୀତ । କାହଲିଙ୍କ ମତରେ ତୃତୀୟ ଟେଷ୍ଟକୁ ଆମେ ଆଦୌ ହାଲୁକା ଭାବେ ନେବୁ ନାହୁଁ ବରଂ ଏହି ମ୍ୟାଚ୍ ଜିତି ଆମେ ସିରିଜ୍ କ୍ଲିନ୍ ସୁଇପ୍ କରିବାକୁ ଲକ୍ଷ୍ୟ ରଖିଛୁ ।
ମ୍ୟାଚ୍ ପରେ କାହଲି କହିଥିଲେ, ଟେଷ୍ଟ ଚାମ୍ପିୟନଶିପକୁ ଦୃଷ୍ଟିରେ ରଖିଲେ, ଆମ ପାଇଁ ଏବେ ସବୁ ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ, ତେଣିକି ତାହା ସ୍ୱଦେଶ ହେଉ କିମ୍ବା ବିଦେଶ । ସବୁଠାରେ ଫର୍ମାଟ୍ ସମାନ ଏବଂ ଏଥିପାଇଁ ତୃତୀୟ ଟେଷ୍ଟ ମ୍ୟାଚରେ କୌଣସି ଖେଳାଳି ରିଲାକ୍ସ କରିବା ମୁଡରେ ନାହାନ୍ତି । ତୃତୀୟ ଟେଷ୍ଟକୁ ଜିତିବା ଲକ୍ଷ୍ୟରେ ଆମେ ମଇଦାନକୁ ଓହ୍ଲାଇବୁ ଏବଂ ସେଠାରେ ସିରିଜ୍ କ୍ଲିନସୁଇପ୍ କରିବାକୁ ଚାହିଁବୁ ।
ପୁଣେ ଟେଷ୍ଟରେ ୱିକେଟକିପର ଋଦ୍ଧିମାନ ସାହାଙ୍କୁ ନେଇ କୋହଲି କହିଛନ୍ତି, ସାହା ବିଶାଖାପାଟଣା ଟେଷ୍ଟରେ ପ୍ରତ୍ୟାବର୍ତ୍ତନ କରିବା ନେଇ ସାମାନ୍ୟ ନର୍ଭସ ଥିଲେ । ଏହା ସତ୍ତେ୍ୱ ସେ ପ୍ରଥମ ଟେଷ୍ଟରେ ଭଲ କିପିଙ୍ଗ୍ କରିଥିଲେ । ପୁଣେରେ ମଧ୍ୟ ତାଙ୍କ ୱିକେଟ୍ କିପିଙ୍ଗର କୌଣସି ଜବାବ ନାହିଁ । ରବିଚନ୍ଦ୍ରନ୍ ଅଶ୍ୱିନ୍ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ବର୍ତ୍ତମାନ ଟିମରେ ଥିବା ସବୁ ଖେଳାଳିଙ୍କର ଯୋଗଦାନ ରହିଛି । ପରବର୍ତ୍ତୀ ମ୍ୟାଚରେ ସେମାନେ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି ଆଶାବାଦୀ ଅଛନ୍ତି ।


