ରାଜ୍ୟ ରାଜପଥ ନଂ ୨ର କଂକ୍ରିଟ୍ ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ

ଯୋଡା,(ସମୀର କୁମାର ଦାସ): ଯୋଡା ଖଣିମଣ୍ଡଳରେ ଥିବା ରାଜ୍ୟ ରାଜପଥ ନଂ-୨ ବାମେବାରୀ-ଯୋଡା ରାସ୍ତା ନିର୍ମାଣ ଅତି ନିମ୍ନମାନର କରାଯାଉଥିବା ନେଇ ଅଭିଯୋଗ ହୋଇଛି । କମାରଯୋଡା ଠାରେ ନିର୍ମାଣ ହେଉଥିବା କଂକ୍ରିଟ୍ ରାସ୍ତା ନିମ୍ନମାନର କରାଯାଉଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଅଂଚଳ ନିବାସୀ ସୁରେନ୍ଦ୍ରନାଥ ମହାନ୍ତି, ମହମ୍ମଦ ରାଜନ, ସୋଏବ ଖାନ୍‌, ମହେନ୍ଦ୍ର ସାହା ଅଭିଯୋଗରେ କହିଛନ୍ତି ଯେ, ରାସ୍ତାଟି ପି.ଡବ୍ଲ.ଡି (ପୂର୍ତ ବିଭାଗ) ପକ୍ଷରୁ ଏ ରାସ୍ତାକୁ ନିର୍ମାଣ କରିବାପାଇଁ ଏକ ଠିକା ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଛି । କଂକ୍ରିଟ୍ ରାସ୍ତା ନିର୍ମାଣ ପାଇଁ ଉପଯୁକ୍ତ ପରିମାଣରେ ବାଲି, ସିମେନ୍‌ଟ, ଚିପ୍ସ ଓ ଲୁହା ରଡ ପ୍ରଭୃତି ଦିଆନଯାଇ କମ୍ ପରିମାଣର ସିମେନ୍‌ଟ, ବାଲି, ଚିପ୍ସ ଦିଆଯାଉଥିବା ଦେଖିବାକୁ ମିଳିଛି । ଯାହାଦ୍ୱାରା ଏହି କଂକ୍ରିଟ୍ ରାସ୍ତା ଖୁବ୍‌ଶୀଘ୍ର ନଷ୍ଟ ହୋଇଯିବ । ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଠିକାସଂସ୍ଥାକୁ କହିଥିଲେ ହେଁ, ସଂସ୍ଥା ପକ୍ଷରୁ ଏହାକୁ ହେୟଜ୍ଞାନ କରି ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ରାସ୍ତା ନିର୍ମାଣ କାର୍ଯ୍ୟ ଏତେ ନିମ୍ନମାନର ହୋଇଛି ଯେ, ଯାନବାହାନ ଚଳାଚଳ କଲାବେଳେ କଂକ୍ରିଟ୍ ରାସ୍ତାଟି ନଷ୍ଟ ହୋଇ ଯାଉଛି । ଏ ସମ୍ପର୍କରେ ବିଭାଗୀୟ ଏସ୍‌ଡିଓ ଅଶୋକ କୁମାର ମହାପାତ୍ରଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ପୂର୍ବରୁ ଉକ୍ତ ରାସ୍ତାଟି କଂକ୍ରିଟ୍ କାମ ହୋଇଥିଲା ତେବେ ୧ ଫୁଟ୍ ଗଭୀରରେ କଂକ୍ରିଟ୍ କାମ କରାଯାଉଅଛି । ଏହି କାର୍ଯ୍ୟକୁ ଜେଇ (କନିଷ୍ଠ ଜନ୍ତ୍ରୀ) ତଦାରଖ କରୁଛନ୍ତି । ତେବେ ନିମ୍ନମାନର କାର୍ଯ୍ୟହେବା ଘଟଣାକୁ ସେ ଅସ୍ୱିକାର କରିଥିଲେ । ସୂଚନାଯୋଗ୍ୟ ଯେ, ଉକ୍ତ ରାସ୍ତାଦେଇ ଦୈନନ୍ଦିନ ହଜାର ହଜାର ଖଣିଜ ବୋଝେଇ ଟ୍ରକ ଯୋଡା ଅଭିମୁଖେ ଆସିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ