ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଦେଶରେ ମାତୃ ଓ ଶିଶୁ ମୃତ୍ୟୁହାରକୁ ହ୍ରାସ କରିବା, ଜନସାଧାରଣଙ୍କ ସ୍ୱାସ୍ଥ୍ୟ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ୨୦୦୫ମସିହାରେ ଏନ.ଆର.ଏଚ.ଏମ. ସ୍କିମ ଆରମ୍ଭ କରିଥିଲେ । ଯେଉଁ ସ୍କିମର ଶେଷ କର୍ମଚାରୀ ଭାବେ ଆଶାକର୍ମୀମାନଙ୍କୁ ପ୍ରତ୍ୟେକ ଗ୍ରାମରେ ନିଯୁକ୍ତି ପ୍ରଦାନ କରାଯାଇଥିଲା । ଡେଲିଭରୀ, ପୋଷ୍ଟ ଡେଲିଭରୀ, ଇମୁନାଇଜେସନ, ମମତା ଦିବସ, ଗାଁ କଲ୍ୟାଣ ସମିତି, ଫାଇଲେରିଆ ଓ ପୋଲିଓ ଆଦି କେତେ କ’ଣ ସ୍ୱାସ୍ଥ୍ୟ ଓ ସଚେତନତା କାର୍ଯ୍ୟକ୍ରମ ମାସିକ ବେତନ ନଥାଇ କିଛି ପ୍ରୋତ୍ସାହନରାଶିରେ ଆଶାକର୍ମୀମାନେ ନିଜର ପରିବାର ଓ ନିଜକୁ ଭୁଲି ଏହି ଯୋଜନାକୁ ସଫଳ କଲେ । ଫଳରେ କେନ୍ଦ୍ର, ରାଜ୍ୟ, ଜିଲ୍ଲା ଠାରୁ ଆରମ୍ଭ କରି ପ୍ରତ୍ୟେକ ଗ୍ରାମରେ ସ୍ୱାସ୍ଥ୍ୟସେବାରେ ଯଥେଷ୍ଟ ଉନ୍ନତି ହୋଇ ସାରା ବିଶ୍ୱରେ ରାଜ୍ୟର ଟେକ ରହିଲା । ପରବର୍ତ୍ତୀ ସମୟରେ ଏନ.ଆର.ଏଚ.ରେ ପରିବର୍ତ୍ତିତ ହୋଇ କାମ ଅଧିକରୁ ଅଧିକ ଚାଲିଛି । କୋଭିଡ -୧୯ ସାରା ବିଶ୍ୱକୁ କବଳିତ କରିଥିବା ବେଳେ ଆମ ଦେଶ, ରାଜ୍ୟ ଓ ଆମ ଜିଲ୍ଲାକୁ କବଳିତ କଲାବେଳେ ଆଶାକର୍ମୀମାନେ ସଂସାର ଓ ନିଜକୁ ଭୁଲି କରୋନା ହଟିବ ଆମେ ଜିତିବୁ ଏହି କଥାକୁ କାର୍ଯ୍ୟକାରୀ କରିବାକୁ ଯିବାବେଳେ ଅନେକ ଲାଞ୍ଛନା ଓ ଅପମାନର ସମ୍ମୁଖୀନ ହୋଇଥିଲେ । ବାହାରୁ ଗ୍ରାମକୁ ଆସୁଥିବା ପ୍ରବାସୀମାନଙ୍କୁ ସଚେତନ କରାଇବା, କୋଭିଡ ସେଂଟରେ ଡ୍ୟୁଟି କରିବା ଥିଲା ସେମାନଙ୍କର ମୁଖ୍ୟ କାର୍ଯ୍ୟ । ଏଣୁ ଆଶାକର୍ମୀମାନଙ୍କୁ ମାସକୁ ସର୍ବନିମ୍ନ ୩ହଜାର ୫ଶହ ଟଙ୍କା ପ୍ରଦାନ କରାଯିବା, ମାର୍ଚ୍ଚମାସ ଠାରୁ ଚଳିତମାସ ପର୍ଯ୍ୟନ୍ତ କୋଭିଡ ଡ୍ୟୁଟି ନିମନ୍ତେ ମାସିକ ୭ହଜାର ୫ଶହ ଟଙ୍କା ପ୍ରଦାନ କରାଯିବା, ୨୦୨୦- ଜାନୁଆରୀମାସ ଠାରୁ କଟାଯାଇଥିବା ପାରିଶ୍ରମିକ ଅର୍ଥ ସେମାନଙ୍କୁ ପ୍ରଦାନ କରାଯିବା, ପ୍ରତ୍ୟେକମାସର ସେକ୍ଟର ମିଟିଂରେ ଆଶାକର୍ମୀଙ୍କୁ ତାଙ୍କ ପ୍ରାପ୍ୟ ସମ୍ପର୍କରେ ଅବଗତ କରାଯିବା, ସେମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯିବା, ଶିକ୍ଷାଗତ ଯୋଗ୍ୟତା, ଅଭିଜ୍ଞତାକୁ ଭିତ୍ତିକରି ପଦୋନ୍ନତି ପ୍ରଦାନ, ବୀମା ପ୍ରଦାନ ପ୍ରଭୃତି ସମ୍ପର୍କରେ ଦାବିପତ୍ରରେ ଉଲ୍ଲେଖ ରହିଛି । ସଙ୍ଘର ଉପଦେଷ୍ଟା ଆଇନଜୀବି ରମଣିରଞ୍ଜନ ରାଉତରାୟ, ସଭାପତି ବିକାଶ ଚନ୍ଦ୍ର ବେଉରା, ଉପସଭାପତି ଭଜହରି ପ୍ରଧାନ, ସମ୍ପାଦିକା କାନ୍ତିଲତା ନାୟକ, ସହସମ୍ପାଦିକା ବନ୍ଦନା ମଲ୍ଲିକ, ନନ୍ଦିନୀ ସ୍ୱାଇଁ ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ