ଟ୍ରକ୍ ଅଟକାଇ ଟଙ୍କା ଲୁଟ୍ ଉଦ୍ୟମ ୨ ଗିରଫ
ଯୋଡା,(ସମୀର କୁମାର ଦାସ): ଯୋଡା ଥାନା ଅନ୍ତର୍ଗତ ଯୋଡା ଓ ବାମେବାରୀ ସୀମାନ୍ତ ଗୁରୁବେଡା ଛକ ନିକଟରେ ଶନିବାର ୬ ତାରିଖ ଦିନ ଦ୍ୱିପ୍ରହରରେ ଟିଏନ-୦୫ବିଏକ୍ସ-୧୩୧୨ ଓ ଜେଏଚ-୦୬ଇ-୩୬୮୧ ନମ୍ବର ଦୁଇଟି ଟ୍ରକ୍ର ଡ୍ରାଇଭର ଲକ୍ଷ୍ମଣ କୁମାର ମହାନ୍ତ ଓ ଏମଡି ଜଲିଲଙ୍କୁ ୩ଜଣ ଲୁଟେରା ଛୁରୀ ଓ ମାରଣାସ୍ତ୍ର ଦେଖାଇ ଏମାନଙ୍କ ଠାରୁୁ ସମୁଦାୟ ୩୩୦୦ ଟଙ୍କା ଓ ଦୁଇଟି ମୋବାଇଲ ଲୁଟିନେଇ ଫେରାର ହୋଇଯାଇଥିଲେ । ପରେ ଏ ସଂକ୍ରାନ୍ତରେ ଉଭୟ ଡ୍ରାଇଭରଙ୍କ ପକ୍ଷରୁ ଲିଖିତ ଅଭିଯୋଗ ଦିଆଯିବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଜୁରୁଡି ନ୍ୟୁ କଲୋନୀ ଅଂଚଳର ଦଶରଥ ମାଝୀ ଓ ସୁଦାମ ଲୋହାର ନାମକ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨ଟି ମୋବାଇଲ, ନଗଦ ୧୦୦୦ ଟଙ୍କା ଓ ୨ଟି ଛୁରୀ ଜବତ କରିଥିବା ବେଳେ ଅନ୍ୟଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଖବର ପୋଲିସ ସୂତ୍ରରୁ ଜଣା ପଡିଛି । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ଏ ନେଇ କେସ ନଂ ୨୦/୨୦୨୧ ରୁଜୁ କରାଯାଇ ତଦନ୍ତ ଚାଲିଛି ।