ଆଇଏନ୍ଏକ୍ସ ମିଡିଆ ମାମଲା
ନୂଆଦିଲ୍ଲୀ: ନୂଆଦିଲ୍ଲୀ : ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ, ପୁଅ କାର୍ତ୍ତି ଚିଦମ୍ବରମ ଏବଂ ଅନ୍ୟ ୧୨ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ଦିଲ୍ଲୀ କୋର୍ଟରେ ପିସିଏ ( ଦୁର୍ନୀତି ନିବାରଣ ଆଇନ) ଏବଂ ଆଇପିସିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଧାରା ଅଧୀନରେ ସିବିଆଇ ଏହି ଚାର୍ଜସିଟ୍ ଦାଖଲ କରିଛି । ଆସନ୍ତା ସୋମବାର ଦିନ ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର କୁହର ଏହି ମାମଲାରେ ଶୁଣାଣି କରିବେ । ଆଇଏନ୍ଏକ୍ସ ମିଡିଆ ମନି ଲଣ୍ଡ୍ରିଂ ମାମଲାରେ ଚିଦମ୍ବରମଙ୍କୁ ୭ ଦିନ ଜେରା କରିବାପାଇଁ ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର କୁହର ଇଡିଙ୍କୁ ଅନୁମତି ଦେଇଛନ୍ତି । ଗତ ଅଗଷ୍ଟ ୨୧ ତାରିଖରେ ଚିଦମ୍ବରମଙ୍କୁ ସିବିଆଇ ଗିରଫ କରିଥିଲା । ସୁପ୍ରିମ୍ କୋର୍ଟରେ ମଧ୍ୟ ଚିଦମ୍ବରମଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହୋଇଥିଲା । ଚିଦମ୍ବରମଙ୍କୁ ଜାମିନ ଆବେଦନକୁ ସିବିଆଇ ଦୃଢ଼ ବିରୋଧ କରିଥିଲା । ଚିଦମ୍ବରମଙ୍କ ଆଇନଜୀବୀ କପିଲ ସିବଲ କହିଥିଲେ ଯେ, ଚିଦମ୍ବରମଙ୍କ ପାସପୋର୍ଟ ଜବତ ହୋଇଛି । ଲୁକ୍ଆଉଟ୍ ନୋଟିସ୍ ମଧ୍ୟ ଜାରି ହୋଇଛି । ତେଣୁ ସେ ଦେଶ ଛାଡ଼ି ଯିବାର ପ୍ରଶ୍ନ ଉଠୁନାହିଁ । ଜେଲରେ ଚିଦମ୍ବରମଙ୍କ ଓଜନ ୪ କିଲୋରୁ ଅଧିକ କମିଯାଇଛି ଏବଂ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟୁଛି । ଶୀତ ଆସୁଥିବାରୁ ଡେଙ୍ଗୁ ହେବା ଭୟ ମଧ୍ୟ ରହିଛି । ଚିଦମ୍ବରମଙ୍କୁ ଜେଲରେ ରଖିବା କିଛି ଆବଶ୍ୟକତା ନାହିଁ । କେବଳ ତାଙ୍କୁ ଅପମାନିତ କରିବାପାଇଁ ଜେଲରେ ରଖାଯାଇଛି ବୋଲି ସିବଲ କହିଥିଲେ । ଆଜି କୋର୍ଟ ଉଭୟ ପକ୍ଷଙ୍କୁ ଶୁଣିବା ପରେ ଚିଦମ୍ବରମଙ୍କ ଜାମିନ ଆବେଦନର ରାୟ ସଂରକ୍ଷିତ ରଖିଛନ୍ତି ।


