ଖୋର୍ଦ୍ଧା ବନଖଣ୍ଡ ପକ୍ଷରୁ ଅଗ୍ନି ପ୍ରଶମନ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଖୋର୍ଦ୍ଧା ବନଖଣ୍ଡ ଓ ଭୁବନେଶ୍ୱରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ଅର୍ଗାନାଇଜେସନ ଫର୍ ୱାଇଲ୍ଡ଼ ଲାଇଫ ଆଣ୍ଡ ନେଚରର ମିଳିତ ଉଦ୍ୟମରେ ଦ୍ୱିତୀୟ ପର୍ଯ୍ୟାୟ ଅଗ୍ନି ପ୍ରଶମନ ସଚେତନତା ଶିବିର ଶୁକ୍ରବାର ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ କୁଞ୍ଜୁରୀ ଓ ପଟିଆ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଶନିବାର ଏହି ଦୁଇସ୍ଥାନରେ ଅଗ୍ନି ପ୍ରମଶନ ରେଖାର ନିର୍ମାଣ କାର୍ଯ୍ୟ ହେବାର କାର୍ଯ୍ୟକ୍ରମ ରହିଛି । ଗ୍ରୀଷ୍ମଋତୁରେ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲର ପ୍ରଭୁତ କ୍ଷତି ହୋଇଥାଏ । ଏହାଦ୍ୱାରା ଅନେକ ଔଷଧୀୟ ବୃକ୍ଷ, ଜୀବଜନ୍ତୁ ଆଦି ନଷ୍ଟ ହୋଇଥାନ୍ତି । ମୁଖ୍ୟତଃ ଜଙ୍ଗଲ ନିଆଁ ମନୁଷ୍ୟକୃତ । ବିଡି, ସିଗାରେଟ ନିଆଁ, ଜଙ୍ଗଲ ମଧ୍ୟରେ ରୋଷେଇବାସ, ଶିକାର ପାଇଁ ଲଗାଯାଉଥିବା ନିଆଁ, ଜନସାଧାରଣଙ୍କ ଆକ୍ରୋଶ ଜନିତ ନିଆଁ ଇତ୍ୟାଦି ଏହାର ମୁଖ୍ୟ କାରଣ । ରାଜ୍ୟ ସରକାର ଏହାକୁ ଏଡ଼ାଇବା ଲାଗି ଅନେକ ବ୍ୟବସ୍ଥା କରିଥାନ୍ତି । ସେଥିମଧ୍ୟରୁ ସଚେତନତା ଶିବିର ସବୁ ସମୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ସୂଚନାଯୋଗ୍ୟ ଯେ, ଅର୍ଗାନାଇଜେସନ ଫର୍ ୱାଇଲ୍ ଲାଇଫ୍ ଆଣ୍ଡ ନେଚର ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଫେବୃୟାରୀ ମାସ ମଧ୍ୟରେ ଖୋର୍ଦ୍ଧା ବନଖଣ୍ଡ ବାଲୁଗାଁ ରେଞ୍ଜ ଅନ୍ତର୍ଗତ ବରବରା, ଧୁଆଁନାଳି ଓ ମହୁଲିଆରେ ଅନୁରୂପ ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସଭାରେ ବନପାଳ ଶ୍ରୀ ରବୀନ୍ଦ୍ର ନାଥ ପଣ୍ଡା ସଭାପତିତ୍ୱ କରି ଗ୍ରାମବାସୀଙ୍କୁ ସହଯୋଗର ହାତ ବଢାଇଥିଲେ । ସଭାରେ ପୂର୍ବତନ ଅବୈତନିକ ବନ୍ୟଜନ୍ତୁ ତତ୍ତ୍ୱବଧାରକ ସେବାଶିଷ ଜେନା ଯୋଗଦେଇ ଜଙ୍ଗଲ ନିଆଁର ଭୟବହତା ବିଷୟରେ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ । ‘ଓନ୍’ର ମୁଖ୍ୟ ଉମାକାନ୍ତ ବିଶ୍ୱାଳ ଦୈନନ୍ଦିନ ଜୀବନରେ ଜଙ୍ଗଲର ଉପାଦେୟତା ବୁଝାଇବା ସହ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବା ମାତ୍ରେ ଗ୍ରାମବାସୀଙ୍କ ସାହାଯ୍ୟରେ ଏହାକୁ କିପରି ପ୍ରଶମନ କରାଯିବ ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ । ଗ୍ରାମବାସୀମାନେ ଜଙ୍ଗଲ ଅଗ୍ନି ପ୍ରଶମନ କାର୍ଯ୍ୟରେ ଜଙ୍ଗଲ ବିଭାଗକୁ ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ‘ଓନ୍’ର ସତ୍ୟବ୍ରତ ମିଶ୍ର ବହୁଳ ସଂଖ୍ୟାରେ ଯୋଗ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଦୁଇଟି ସଭାରେ ସମୁଦାୟ ୧୩ଗୋଟି ଗ୍ରାମର ପ୍ରାୟ ୮୫ଜଣ ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ସରପଞ୍ଚ, ସମିତି ସଭାପତି, ବୟୋଜ୍ୟୋଷ୍ଠ ବ୍ୟକ୍ତି, ଯୁବକ ଓ ମହିଳାମାନେ ଅଂଶଗ୍ରହଣ କରି ଅନୁଷ୍ଠାନର କାର୍ଯ୍ୟକୁ ପ୍ରଶଂସା କରିଥିଲେ ।


