ରାଜ୍ୟ ମହିିଳା କମିଶନରଙ୍କ ଦ୍ୱାରା ଗଜପତିରେ ଭିନ୍ନକ୍ଷମଙ୍କ ଅଧିନିୟମ ନେଇ କର୍ମଶାଳା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ ଆଜି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭିନ୍ନକ୍ଷମମାନଙ୍କ ଅଧିକାର ଓ ଅଧିନିୟମ ୨୦୧୬ ଏବଂ ବିଭିନ୍ନ ଯୋଜନା ଉପରେ ଏକ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି । ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ କାର୍ଯ୍ୟାଳୟ ଓଡିଶା ଆନୁକୁଲ୍ୟରେ ଏବଂ ଗଜପତି ଜିଲ୍ଲା ପ୍ରଶାସନ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ଅଧିକାରୀ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ବିଭିନ୍ନ ସରକାରୀ ଯୋଜନା ବିଷୟରେ କହିଥିଲେ । ରାଜ୍ୟ ଭିନ୍ନକ୍ଷମ କମିଶନର ଶ୍ରୀମତୀ ଦାସ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଭିନ୍ନକ୍ଷମ ମାନଙ୍କର ଅଧିକାର ଓ ଅଧିନିୟମ ୨୦୧୬ର ବିଭିନ୍ନ ଦିଗ ସମ୍ପର୍କରେ କହି ସେମାନେ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ସେ ବିଷୟରେ କହିଥିଲେ । ଭିନ୍ନକ୍ଷମ ମାନଙ୍କୁ ସାହାଯ୍ୟ ଓ ସହଯୋଗ ଯୋଗାଇଦେବା କ୍ଷେତ୍ରରେ ଲୋକମାନଙ୍କ ମଧ୍ୟରେ ମାନସିକ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି କୁହାଯାଇଥିଲା । ସମୟ ଆସିଲେ ଆମେ ସମସ୍ତେ ଦିନେ ଭିନ୍ନକ୍ଷମ ହେବା ତେଣୁ ତାକୁ ଦୃଷ୍ଟିରେ ରଖି ଆମେ ଆବଶ୍ୟକ ସମୟରେ ଦୟା ନଭାବି ଭିନ୍ନକ୍ଷମ ମାନଙ୍କୁ ଟିକେ ସୁବିଧାର ବାଟ ଦେଖାଇଲେ ସେମାନେ ସ୍ୱାବଲମ୍ବୀ ହେବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି କମିଶନର ଶ୍ରୀମତୀ ଦାସ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା, ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ, ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ସେହିପରି ଓଡିଶା ବିକଳାଙ୍ଗ ମଞ୍ଚର ରାଜ୍ୟ ସଭାପତି ନିରଞ୍ଜନ ବେହେରା, ଭିନ୍ନକ୍ଷମ ଅନୁଷ୍ଠାନ ସମର୍ଥର ଜିଲ୍ଲା ସଂପାଦକ ସନ୍ତୋଷ କୁମାର ମହାରଣା ପ୍ରମୁଖ ଯୋଗ ଦେଇଥିଲେ ।


