ଏଗ୍ରିଗୋଲ୍ଡ ଗ୍ରାହକଙ୍କ ଟଙ୍କା ଫେରସ୍ତ ପାଇଁ ଓଡିଶା ଆନ୍ଧ୍ର ଭଳି ପଦକ୍ଷେପ ଗ୍ରହଣ କରୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ବେସରକାରୀ ଅର୍ଥଲଗାଣକାରୀ ସଂସ୍ଥା “ଏଗ୍ରିଗୋଲ୍ଡ”ର ଗ୍ରାହକ ମାନଙ୍କୁ ତୁରନ୍ତ ଟଙ୍କା ଫେରସ୍ତ ପାଇଁ ଓଡିଶା ସରକାର ଆନ୍ଧ୍ର ଭଳି ପଦକ୍ଷେପ ଗ୍ରହଣ କରୁ । ଆନ୍ଧ୍ର ପ୍ରଦେଶରେ ଉକ୍ତ ସଂସ୍ଥାରେ ବିନିଯୋଗ କରିଥିବା ଗ୍ରାହକଙ୍କୁ ଟଙ୍କା ଫେରସ୍ତ ଚାଲିଛି । ସେଠାକାର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ସଂସ୍ଥାର ସମ୍ପତ୍ତି ଆଦି ବାଜ୍ୟାପ୍ତ ଏବଂ ଉପଯୁକ୍ତ ପଦକ୍ଷେପ ନେଇ ଲୋକଙ୍କ ଟଙ୍କା ଫେରାଉଛନ୍ତି । ଠିକ୍ ସେହିଭଳି ଓଡିଶାରେ ମଧ୍ୟ ଏପରି କଲେ ଏହି ସଂସ୍ଥାର ଗ୍ରାହକ ମାନେ ଟଙ୍କା ଫେରିପାଇବେ ବୋଲି କୁହାଯାଇଛି । ଏଥି ସହ କାର୍ଯ୍ୟକରି ଥିବା ଏଜେଣ୍ଟ ମାନଙ୍କ ସୁରକ୍ଷାକୁ ନେଇ ଜିଲ୍ଲା ସିପିଆଇ ପକ୍ଷରୁ ଦାବି କରାଯାଇ ଗଜପତି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ସିପିଆଇ ପକ୍ଷରୁ କୁହାଯାଇଛି ଯେ ବେସରକାରୀ ଅର୍ଥଲଗାଣକାରୀ ସଂସ୍ଥା “ଏଗ୍ରିଗୋଲ୍ଡ” ଜିଲ୍ଲାରେ ପ୍ରାୟ ୪୦କୋଟି ଟଙ୍କାର କାରବାର କରିଛି । ଯାହାକି ସମଗ୍ର ରାଜ୍ୟରେ ପ୍ରାୟ ୨୦୦କୋଟି ଟଙ୍କାରୁ ଉର୍ଦ୍ଧ କାରବାର କରିଅଛି । ଚିଟଫଣ୍ଡ ଠକେଇ ନାମରେ ରାଜ୍ୟ ସରକାର ସବୁ ଅର୍ଥଲଗାଣକାରୀ ସଂସ୍ଥା ତଥା ଚିଟଫଣ୍ଡ କମ୍ପାନୀ ଗୁଡିକୁ ବେଆଇନ ଘୋଷଣାକରି କାର୍ଯ୍ୟାଳୟ ଗୁଡିକୁ ସିଲ କରିଦେଇଛନ୍ତି । ତେବେ ଏଥିରେ ଅର୍ଥ ବିନିଯୋଗ କରିଥିବା ଗ୍ରାହକଙ୍କ ଦୁର୍ଦଶା ବଢିବାରେ ଲାଗିଛି । ଲୋକେ ପ୍ରାୟ ୭ବର୍ଷ ହେଲାଣି ଟଙ୍କା ପାଇବା ଆଶାବାନ୍ଧି ବସିଛନ୍ତି । ଇତି ମଧ୍ୟରେ କୋଭିଡ୍‌-୧୯ ନିୟମ ଯୋଗୁଁ ପ୍ରାୟ ୮-୯ ମାସ ପାଖାପାଖି ଲକଡାଉନ ସଟ୍‌ଡାଉନ ଆଦି ଯୋଗୁଁ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇଛି । ଏଥିରେ ବିଶେଷ କରି ମଧ୍ୟବିତ୍ତ ପରିବାର ଠାରୁ ଆରମ୍ଭ କରି ଗରୀବ ଲୋକଙ୍କ ଦୁର୍ଦଶା ବଢିଚାଲିଛି । ହେଲେ ଏହି ସଂସ୍ଥାରେ ଯେଉଁମାନେ ବିନିଯୋଗ କରିଛନ୍ତି ସେମାନେ ଟଙ୍କା ପାଇଲେ ଉପକୃତ ହୋଇପାରନ୍ତେ ବୋଲି କୁହାଯାଇଛି । ସେହିପରି ଏଥିରେ କାର୍ଯ୍ୟରତ ଏଜେଣ୍ଟ ମାନଙ୍କୁ ଗ୍ରାହକ ମାନେ ଟଙ୍କା ଫେରସ୍ତ ପାଇଁ ଚାପ ସୃଷ୍ଟି କରୁଛନ୍ତି । ଫଳରେ ବିଭିନ୍ନ ସମୟରେ ବିଭିନ୍ନ ଏଜେଣ୍ଟ ମାନେ ଗାଁ ଛାଡି ଚାଲିଯାଇଥିବାର ନଜିର ରହିଛି ଏବଂ କେତେକ ଏଜେଣ୍ଟ ଗାଳିଗୁଲଜର ଶୀକାର ହେଉଛନ୍ତି । ଯଦି ଲୋକଙ୍କ ଟଙ୍କା ଫେରସ୍ତ କରିବାରେ ରାଜ୍ୟ ସରକାର ଆନ୍ଧ୍ର ଭଳି ପଦକ୍ଷେପ ନିଅନ୍ତେ ତେବେ ଏସବୁ ସମସ୍ୟାର ସମାଧାନ ହୋଇପାରନ୍ତା । ଏଥି ସହ ଉକ୍ତ ସଂସ୍ଥାର ମାଲିକ ମାନଙ୍କ ତଥା ଡିପୋଜିଟ ଯେଉଁଠାରେ ରହିଛି ସେମାମଙ୍କ ସମ୍ପତ୍ତି ବାଜ୍ୟାପ୍ତ କରି ଲୋକଙ୍କୁ ଟଙ୍କା ଫେରସ୍ତର ବନ୍ଦୋବସ୍ତ କରିବାପାଇଁ ଜିଲ୍ଲା ସିପିଆଇର ବରିଷ୍ଠ ନେତା ଜେନା ସୁବାସ ଚନ୍ଦ୍ର ରାଓ ପ୍ରମୁଖ କହିଛନ୍ତି । ଯଦି ଏପରି ନକରାଯାଏ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସିପିଆର କାର୍ଯ୍ୟକର୍ତ୍ତାଙ୍କ ସମେତ ଏଗ୍ରିଗୋଲ୍ଡ ଗ୍ରାହକ ଓ ଏଜେଣ୍ଟ କଲ୍ୟାଣ ସଂଘର କର୍ମକର୍ତ୍ତା ଏବଂ ଏ.ଶ୍ରୀନିବାସ ରାଓ, ଆଇ. ଚନ୍ଦ୍ରରାଓ, ଯୋଗେନ୍ଦ୍ର ମଣ୍ଡଳ, ରାମଚନ୍ଦ୍ର ପାଢୀ, ବାଲୁ ବାରିକ, ଏଲ୍‌.ଆନନ୍ଦ ରାଓ ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ