ଅବସରପ୍ରାପ୍ତ ମୁଖ୍ୟ କିରାଣୀଙ୍କ ବିୟୋଗରେ ଶୋକ ସଭା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ରାଜସ୍ୱ ବିଭାଗର ବିଭିନ୍ନ ବିଭାଗରେ ମୁଖ୍ୟ କିରାଣୀ ଭାବେ ରାଜ କିଶୋର ପଟ୍ଟନାୟକ ଅତ୍ୟନ୍ତ ଦକ୍ଷତାର ସହ କାର୍ଯ୍ୟକରି ସୁନାମ ଓ ଲୋକପ୍ରିୟତା ଅର୍ଜନ କରି ୨୦୦୮ ମସିହାରେ ଅବସର ଗ୍ରହଣ କରିଥିଲେ । ଅବସର ପରେ ପାରଳାଖେମୁଣ୍ଡି କରଣ ସାହି ଠାରେ ନିଜସ୍ୱ ବାସଗୃହରେ ଅବସ୍ଥାନ କରି ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରି ଲୋକଙ୍କ ସେବା କରି ଆସୁଥିଲେ । ପରେ ବୃଦ୍ଧାବସ୍ଥା ଯୋଗୁଁ ଭୁବନେଶ୍ୱର ଠାରେ ଚାକିରୀ କରି ଅବସ୍ଥାନ କରିଥିବା ତିନି ପୁତ୍ର ନିକଟକୁ ଚାଲିଯାଇଥିଲେ । ଇତି ମଧ୍ୟରେ ବୃଦ୍ଧାବସ୍ଥା ଯୋଗୁଁ ତାଙ୍କର ବିୟୋଗ ଘଟିଥିଲା । ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ପାର୍ଥବ ଶରୀରକୁ ସତ୍କାର କରାଯାଇଥିଲା । ଗତକାଲି ତାଙ୍କର ୧୪ତମ ଦିବସ ଉପଲକ୍ଷେ ପାରଳାଖେମୁଣ୍ଡି କରଣସାହି ହନୁମାନ ମନ୍ଦିର ଠାରେ ଏକ ଶୋକସଭା ଓ ପ୍ରସାଦସେବନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପାରଳା ପୌରପରିଷଦର ପୂର୍ବତନ ଉପାଧ୍ୟକ୍ଷ ଦେବେନ୍ଦ୍ର ଦାସ, ଗଜପତି ଲିଡ୍ବ୍ୟାଙ୍କର ଅବସର ପ୍ରାପ୍ତ ଜିଲ୍ଲା ପରିଚାଳକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଅବସରପ୍ରାପ୍ତ ଏସ୍ପି ଅଫିସର ମୁଖ୍ୟ କିରାଣୀ ରବିନାରାୟଣ ପଟ୍ଟନାୟକ, ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗରୁଡଧ୍ୱଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, ବାଳକୃଷ୍ଣ ପାଣିଗ୍ରାହୀ, କରଣସାହିର ଯୁବସମାଜସେବୀ ନରସିଂହ ପଟ୍ଟନାୟକ, ମନୋଜ ପାଢୀ, ନରସିଂହ ପ୍ରସାଦ ପଟ୍ଟନାୟକ, ରାମପ୍ରସାଦ ପଟ୍ଟନାୟକ, ସନ୍ତୋଷ ପଟ୍ଟନାୟକ, ଦଗଦୀଶ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିବା ସହ ତାଙ୍କର ବିଭିନ୍ନ ଗୁଣଗାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ “ନବୀନ” ଖବରକାଜର ଜିଲ୍ଲା ପ୍ରତିନିଧି ତଥା ସ୍ୱର୍ଗତ ପଟ୍ଟନାୟକଙ୍କ ଭାଇ ବୀରକିଶୋର ପଟ୍ଟନାୟକ ଏବଂ କନିଷ୍ଠ ଭାଇ ବ୍ରଜକିଶୋର ପଟ୍ଟନାୟକ ପରିଚାଳନା କରିଥିଲେ ।


