ଗଜପତି ଜିଲ୍ଲା ଯୋଜନା କମିଟି ବୈଠକ ୧୧ଶହ ୫୫ କୋଟି ୪୬ ଲକ୍ଷ ବ୍ୟୟ ଅଟକଳ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲା ଯୋଜନା କମିଟି ବୈଠକ, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗ ଆନୁକୂଲ୍ୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ଯୋଜନା କମିଟିର ମେମ୍ବର ସେକ୍ରେଟାରୀ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ରାଜ୍ୟ ଏସ୍ଟି-ଏସ୍ସି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ ସମସ୍ତ ଉନ୍ନୟନ କାର୍ଯ୍ୟକ୍ରମରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧି ମାନେ ଉତ୍ତମ ସମନ୍ୱୟ ରକ୍ଷାକରି କାର୍ଯ୍ୟକଲେ ଉନ୍ନୟନ ଯୋଜନାର କାର୍ଯ୍ୟର ସଫଳତା ଅଞ୍ଚଳ ବାସୀଙ୍କ ଠାରେ ପହଞ୍ôଚ ପାରିବ ବୋଲି ମନ୍ତ୍ରୀ ଶ୍ରୀ ସାରକା କହିଥିଲେ । ଅନ୍ୟପକ୍ଷରେ ଜିଲ୍ଲାଞ୍ଚଳର ବିକାଶ ମୂଳକ ଯୋଜନା ଗୁଡିକ ମଞ୍ଜୁର ପାଇବା ଓ କାର୍ଯ୍ୟକାରୀ ହେବା ପୂର୍ବରୁ ପ୍ରଶାସନ, ଜନପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି କାର୍ଯ୍ୟ କଲେ ଯୋଜନା କାର୍ଯ୍ୟର ସୁଫଳ ଅଞ୍ଚଳବାସୀ ପାଇବେ ବୋଲି ଜନପ୍ରତିନିଧି ମାନେ କହିଥିଲେ । ଜିଲ୍ଲାର ପ୍ରାୟ ୧୮ ଗୋଟି ବିଭାଗ କ୍ଷେତ୍ରର ବିକାଶ ପାଇଁ ଚଳିତ ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ମୋଟ ୧୧ଶହ ୫୫ କୋଟି ୪୬ଲକ୍ଷ ୨୪ ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇ ମଞ୍ଜୁର ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ବ୍ୟୟ ଅଟକଳ ଓ ମଞ୍ଜୁର ଟଙ୍କା ମୁଖ୍ୟତଃ କୃଷି, ଗ୍ରାମୀଣ ବିକାଶ, ସ୍ୱତନ୍ତ୍ର ଅଞ୍ଚଳ କାର୍ଯ୍ୟକ୍ରମ, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ, ଶକ୍ତି, ପରିବହନ ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ଓ ପରିବେଶ, ସ୍କୁଲ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜନସ୍ୱାସ୍ଥ୍ୟ ଜଳସମ୍ପଦ, ସାମାଜିକ ସୁରକ୍ଷା ଓ ସାମାଜିକ କଲ୍ୟାଣ, ମହିଳା ଓଶିଶୁ ବିକାଶ ଏବଂ ସହରାଞ୍ଚଳ ବିକାଶ ପ୍ରଭୃତି କ୍ଷେତ୍ରରେ କରାଯିବ । ଏହି ସମସ୍ତ ବିଭାଗୀୟ ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ରହି ନିଜ ବିଭାଗର ଆଗାମୀ କାର୍ଯ୍ୟକ୍ରମ ଓ ବ୍ୟୟ ଅଟକଳ ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକ କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ଅଧିକାରୀ କୂଳମଣୀ ରାଉତଙ୍କ ସମେତ ଜିଲ୍ଲା ପରିଷଦ ସଭାପତି ଅନିତାରାଣୀ ବେହେରା ଓ ଉପାଧ୍ୟକ୍ଷ ଆର୍. ବିଜୟ କୁମାର, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ କୁମାର ଚୌଧୁରୀ ପ୍ରମୁଖ ମଞ୍ଚାସୀନ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।